ଆପ୍ ବନେଇବାରେ ଭାରତକୁ ଆତ୍ମନିର୍ଭର ହେବାକୁ ହେବ: ଚୀନକୁ ଟକ୍କର ଦେବାକୁ PM ମୋଦିଙ୍କ ଆହ୍ୱାନ
୫୯ଟି ଚାଇନିଜ୍ ଆପ୍ ଦେଶରେ ବ୍ୟାନ୍ କରିବା ପରେ ଡିଜିଟାଲ ଆପଗୁଡ଼ିକର ଆବଶ୍ୟକତାକୁ କିପରି ପୂରଣ କରାଯିବ ବୋଲି ଦେଶବାସୀ ପ୍ରଶ୍ନ କରୁଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମାର୍ଗ ଦର୍ଶାଇଛନ୍ତି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି
- News18 Odia
- Last Updated: July 4, 2020, 7:43 PM IST
ନୂଆ ଦିଲ୍ଲୀ: ଡିଜିଟାଲ୍ ଷ୍ଟ୍ରାଇକ୍ । ୫୯ଟି ଚାଇନିଜ୍ ଆପ୍ (Chinese apps) ଦେଶରେ ବ୍ୟାନ୍ କରିବା ଏକ ସର୍ଜିକାଲ ଷ୍ଟ୍ରାଇକ୍ ଠାରୁ କିଛି କମ୍ ନ ଥିଲା । ଗାଲୱାନରେ ଚୀନର ହିଂସାତ୍ମକ କାର୍ଯ୍ୟର (India-China border dispute) କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ୫୯ଟି ଚାଇନିଜ୍ ଆପ୍ ବ୍ୟାନ୍ କରିଥିଲେ । ତା’ ପରେ ବିକଳ୍ପର ପ୍ରଶ୍ନ ଉଠିଥିଲା । ଦେଶରେ ଡିଜିଟାଲ୍ ଆପର ଆବଶ୍ୟକତା କେବେ ପୂରଣ ହେବ ସେ ନେଇ ଦେଶବାସୀ ସନ୍ଦିହାନ ଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ରାସ୍ତା ଦେଖାଇଛନ୍ତି ।
ଦେଶ ଆତ୍ମନିର୍ଭରଶୀଳତା ହାସଲ କରିବା ବିଷୟରେ ମୋଦି ପୂର୍ବରୁ କହିଥିଲେ । ଏ ଥର ସେହି ସୂତ୍ରରେ ସେ ସୂଚନା ପ୍ରଯୁକ୍ତିବିଦ୍ୟା ଜଗତର ଅସୀମ ସମ୍ଭାବନାକୁ ବାନ୍ଧିଛନ୍ତି । ଆପ୍ ସୃଷ୍ଟି କରିବାକୁ ସେ ଦେଶରେ ଥିବା ସୂଚନା ପ୍ରଯୁକ୍ତିବିଦ୍ୟା ଷ୍ଟାର୍ଟଅପ୍ କମ୍ପାନୀମାନଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନ ମନ୍ତ୍ରୀ ଏକ ସ୍ଲୋଗାନ ଦେଇଛନ୍ତି: ଏକ ଆତ୍ମନିର୍ଭରଶୀଳ ଦେଶ ଗଠନ ପାଇଁ ଚାଲନ୍ତୁ କୋଡିଂ କରିବା । (App Innovation Challenge)
‘‘ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦେଶର ଟେକ୍ନୋଲୋଜି ଷ୍ଟାର୍ଟଅପ୍ ଓ ଟେକ୍ନୋଲୋଜି ସମ୍ପ୍ରଦାୟକୁ ଉତ୍ସାହିତ କରିବା ପାଇଁ ଅଟଳ ଇନୋଭେସନ୍ ମିଶନ୍ ଅଧୀନରେ ସେଲ୍ଫ ରିଲାଏଣ୍ଟ୍ ଇଣ୍ଡିଆ ଚ୍ୟାଲେଞ୍ଜ ଆଣିଛି । ଏହି ଚ୍ୟାଲେଞ୍ଜର ଦୁଇଟି ଅଂଶ ଅଛି। ଗୋଟିଏ ହେଉଛି ବର୍ତ୍ତମାନ ଥିବା ଦେଶୀ ଆପଗୁଡ଼ିକର ବହୁଳ ବ୍ୟବହାର ଓ ଅନ୍ୟଟି ହେଉଛି ନୂଆ ଆପ୍ ତିଆରି କରିବା,’’ କହିଛନ୍ତି ପ୍ରଧାନ ମନ୍ତ୍ରୀ ମୋଦି ।
Today there is immense enthusiasm among the tech & start-up community to create world class Made in India Apps. To facilitate their ideas and products @GoI_MeitY and @AIMtoInnovate are launching the Aatmanirbhar Bharat App Innovation Challenge. https://t.co/h0xqjEwPko
— Narendra Modi (@narendramodi) July 4, 2020
ପ୍ରଧାନ ମନ୍ତ୍ରୀଙ୍କ କହିବା ଅନୁସାରେ ବଜାରରେ ପୂର୍ବରୁ ଥିବା ଆପଗୁଡିକୁ ବିଭିନ୍ନ ବର୍ଗ ଆଧାରରେ ଚୟନ କରାଯିବ । ଇ-ଲର୍ଣ୍ଣିଂରୁ ସର୍ବୋତ୍ତମ ଆପ୍, ଘରୁ କାମ (work from home), ବ୍ୟବସାୟ, ଖେଳ, ବିଭିନ୍ନ ଅଫିସ୍ ୟୁଟିଲିଟି ଓ ସୋସିଆଲ୍ ନେଟୱାର୍କିଂ ଆଧାରିତ ଆପ୍ ଟ୍ରାକ୍ ୧ରେ ଚୟନ କରାଯିବ । ଟ୍ରାକ୍ ୨ରେ ସର୍ବୋତ୍ତମ ଉଦ୍ଭାବନ ଭାବରେ ଆପ୍ ଚୟନ କରାଯିବ । ସର୍ବୋତ୍ତମ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଆବଶ୍ୟକ ସହାୟତା ପ୍ରଦାନ କରିବେ । ଇନକ୍ୟୁବେସନ ଓ ମାର୍କେଟିଂ ଭଳି ପଦକ୍ଷେପଗୁଡ଼ିକୁ ସହାୟତା ମିଳିବ ।
ଦେଶରେ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ଭାରତ ପଛରେ ପଡ଼ିଯାଇନାହିଁ, ବର୍ଂ ଆତ୍ମନିର୍ଭରଶୀଳତା ଦିଗରେ ପ୍ରଥମ ପଦକ୍ଷେପ ନେଇଛି ବୋଲି କହିଛନ୍ତି ମୋଦି । ଏହି ବାର୍ତ୍ତା ସହିତ ପ୍ରଧାନ ମନ୍ତ୍ରୀ ବିଶ୍ୱ ବଜାରରେ ଭାରତୀୟ ଟେକ୍ ଷ୍ଟାର୍ଟ-ଅପର ଶକ୍ତିକୁ ଆଲୋକିତ କରିବାକୁ ଚାହୁଁଛନ୍ତି ।
କେଉଁ ପ୍ରକାର ଆପ୍ ଆଗକୁ ଯାଇପାରେ? ପ୍ରଧାନ ମନ୍ତ୍ରୀ ଏହା ଉପରେ ବି କିଛି ଆଇଡିଆ ଦେଇଛନ୍ତି । ତାଙ୍କ ଅନୁସାରେ ପୁରାତନ ଭାରତୀୟ ଖେଳଗୁଡିକୁ ଆପ୍ ମାଧ୍ୟମରେ ଫେରାଇ ଅଣାଯାଇପାରିବ । ଖେଳ ସହିତ ମେଳ ଖୁଆଇ ଓ ସଠିକ୍ ବୟସ ପାଇଁ ଅଧ୍ୟୟନ କରି ଆପ୍ ସୃଷ୍ଟି କରାଯାଇପାରିବ ବୋଲି ସେ କହିଛନ୍ତି । ଏଉ କିଛି ଆପ୍ ଲୋକଙ୍କୁ ବିଭିନ୍ନ ବିଷୟରେ ପରାମର୍ଶ ଦେବା ପାଇଁ ସୃଷ୍ଟି କରାଯାଇପାରିବ ବୋଲି ବି ସେ କହିଛନ୍ତି ।
ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ ଏହି ଆତ୍ମନିର୍ଭରଶୀଳ ଆପ୍ ଚ୍ୟାଲେଞ୍ଜକୁ ମଜବୁତ କରିବା ପାଇଁ ଦେଶର ଅନେକ ଜଣାଶୁଣା ସଙ୍ଗଠନ ସରକାରଙ୍କ ସହ ହାତ ମିଳାଇବେ ।