ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!
ପୋଲିସ କହିଛି ଯେ ଗୋଟିଏ ବର୍ଷରେ ରାଜୀବ ଶର୍ମା ୪୦ରୁ ୫୦ ଲକ୍ଷ ଟଙ୍କା ପାଇଥିଲେ । ପୋଲିସ ବର୍ତ୍ତମାନ ତାଙ୍କ ସହ ପଚରାଉଚରା କରୁଛି । ତାଙ୍କ ଠାରୁ ଏକ ଲାପଟପ୍, ୧୦-୧୨ଟି ମୋବାଇଲ୍ ଫୋନ୍ ଓ ଏଟିଏମ୍ କାର୍ଡ ଜବତ କରାଯାଇଛି ।

ସାମ୍ବାଦିକ ରାଜୀବ ଶର୍ମା (ପ୍ରଥମ ଫଟୋ); ଚାଇନିଜ୍ ମହିଳା କିଙ୍ଗ୍ ସି ଉପର) ଓ ରାଜ ବୋହରା (ତଳ)
- News18 Odia
- Last Updated: September 19, 2020, 8:39 PM IST
ନୂଆ ଦିଲ୍ଲୀ: ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିମାନଙ୍କ ଇନପୁଟ୍ ଆଧାରରେ ଦିଲ୍ଲୀର ପୀତମପୁରାରେ ରହୁଥିବା ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ (Rajiv Sharma) ୧୪ ତାରିଖ ଦିନ ଗିରଫ କରାଯାଇଥିଲା । ପ୍ରାଥମିକ ଅନୁସନ୍ଧାନରେ ରାଜୀବ ଶର୍ମା ଚୀନର ଗୁପ୍ତଚର ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଥିବା ଓ ଏଠାରୁ ସମ୍ବେଦନଶୀଳ ସୂଚନା ପଠାଉଥିବା ଜଣାପଡ଼ିଛି । ତାଙ୍କ ସହ ପଚରାଉଚରା ଆଧାରରେ ଚୀନର ଜଣେ ମହିଳା କିଙ୍ଗ୍ ସି ଓ ତାଙ୍କ ସହଯୋଗୀ ନେପାଳୀ ନାଗରିକ ରାଜ ବୋହରାଙ୍କୁ ମଧ୍ୟ ଗିରଫ କରାଯାଇଛି।
ରାଜୀବ ଶର୍ମା ଗତ ୪୦ ବର୍ଷ ଧରି ସାମ୍ବାଦିକତା କରୁଛନ୍ତି । ୨୦୧୦ ପର ଠାରୁ ସେ ଫ୍ରିଲାନ୍ସ ସାମ୍ବାଦିକତା କରିଆସୁଛନ୍ତି । ସେତେବେଳେ ରାଜୀବ ଶର୍ମା ଚୀନର ଗ୍ଲୋବାଲ ଟାଇମ୍ସରେ (Global Times) ଆର୍ଟିକ୍ଲ୍ ଲେଖୁଥିଲେ । ୨୦୧୬ରେ ରାଜୀବଙ୍କର ଲିଙ୍କଡଇନ ମାଧ୍ୟମରେ ଚାଇନିଜ୍ ଅଧିକାରୀ ମାଇକେଲଙ୍କ ସହ ସମ୍ପର୍କ ଗଢ଼ିଉଠିଥିଲା । ସେ ରାଜୀବଙ୍କୁ ଚୀନକୁ ନିମନ୍ତ୍ରଣ କରିଥିଲେ । ସେଠାରେ ରାଜୀବ ଶର୍ମାଙ୍କୁ ଭାରତର ପ୍ରତିରକ୍ଷା ଓ ଭାରତ-ଚୀନ୍ ସୀମା ସମ୍ବନ୍ଧୀୟ ସୂଚନା ଦେବାକୁ ପ୍ରଲୋଭିତ କରାଯାଇଥିଲା ।
ଏହା ପରେ ରାଜୀବ ମାଇକେଲଙ୍କୁ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଅନେକ ସୂଚନା ଦେଇଥିଲେ । ୨୦୧୯ରେ ସେ ଅନ୍ୟ ଜଣେ ଚାଇନିଜ୍ ଅଧିକାରୀ ଜର୍ଜଙ୍କ ସହ ଯୋଗାଯୋଗ କରିଥିଲେ । ଏହି ସମୟରେ ମାଲଦ୍ୱୀପ, ଥାଇଲ୍ୟାଣ୍ଡ, ଲାଓସ୍ ଓ କାଠମାଣ୍ଡୁ ପରି ବିଶ୍ୱର ବିଭିନ୍ନ ସ୍ଥାନରେ ସେମାନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ବିଭିନ୍ନ କାର୍ଯ୍ୟ ବଣ୍ଟନ କରାଯାଇଥିଲା । ୨୦୧୯ ପରେ ସେ ଜର୍ଜଙ୍କ ସହ ଯୋଗାଯୋଗରେ ରହି ସୂଚନା ପଠାଉଥିଲେ । ଭାରତ-ଚୀନ୍ ସୀମା ବିବାଦ ସମ୍ବନ୍ଧୀୟ ସୂଚନା ଦେବା ଜାରି ରଖିଥିଲେ । ଏଥି ପାଇଁ ତାଙ୍କୁ ହାୱାଲା ମାଧ୍ୟମରେ ବିପୁଳ ପରିମାଣର ଅର୍ଥ ମିଳୁଥିଲା ।
ସେହି ଚାଇନିଜ୍ ମହିଳା ଓ ନେପାଳର ନାଗରିକ ଭାରତରେ ଏକ ସେଲ୍ କମ୍ପାନୀ ଗଠନ କରିଛନ୍ତି । ସେ ଦୁହେଁ ମହିପାଲପୁରରେ ଥିବା MZ ମଲ୍ ଓ MZ ଫାର୍ମାସ୍ୟୁଟିକାଲ୍ ନାମରେ ବନେଇଥିବା ଦୁଇଟି କମ୍ପାନୀ ମାଧ୍ୟମରେ ଭାରତରୁ ଚୀନକୁ ଔଷଧ ରପ୍ତାନି କରୁଥିଲେ । ଏହା ବଦଳରେ ଆସୁଥିବା ଟଙ୍କାକୁ ସେମାନେ ରାଜୀବ ଶର୍ମାଙ୍କ ପରି ଏଜେଣ୍ଟମାନଙ୍କୁ ଦେଉଥିଲେ । କୁହାଯାଉଛି ଯେ ଗୋଟିଏ ବର୍ଷରେ ରାଜୀବ ଶର୍ମା ୪୦ରୁ ୫୦ ଲକ୍ଷ ଟଙ୍କା ପାଇଥିଲେ । ପୋଲିସ ବର୍ତ୍ତମାନ ଶର୍ମାଙ୍କ ସହ ପଚରାଉଚରା କରୁଛି । ଶର୍ମାଙ୍କ ଠାରୁ ଏକ ଲାପଟପ୍, ୧୦-୧୨ଟି ମୋବାଇଲ୍ ଫୋନ୍ ଓ ଏଟିଏମ୍ କାର୍ଡ ଜବତ କରାଯାଇଛି ।
ସୂଚନା ଅନୁଯାୟୀ ରାଜୀବ ଶର୍ମା ଦିଲ୍ଲୀର ମିଡ଼ିଆ ସର୍କଲରେ ଠିକ୍ ଠାକ୍ ମୁଭମେଣ୍ଟ୍ କରୁଥିଲେ । ତାଙ୍କର ଏକ PIB କାର୍ଡ଼ ମଧ୍ୟ ଥିଲା । ବିଭିନ୍ନ ମନ୍ତ୍ରଣାଳୟକୁ ଯିବା ଆସିବାର ସୁବିଧା ବି ଥିଲା । ଆନୁଷ୍ଠାନିକ ଭାବରେ ଓ ଅନୌପଚାରିକ ଭାବେ ବିଭିନ୍ନ ଅଧିକାରୀଙ୍କ ସହ ଭେଟୁଥିଲେ । ସେମାନଙ୍କ ଠାରୁ ଯାହା ସୂଚନା ପାଉଥିଲେ ତାକୁ ଚୀନକୁ ପଠାଉଥିଲେ ବୋଲି ପୋଲିସ୍ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ।
ରାଜୀବ ଶର୍ମା ଚୀନକୁ ପଠାଇଥିବା ସବୁ ସୂଚନା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଓ ମେଲରେ ଅଛି । ସେଗୁଡ଼ିକ ଡାଉନଲୋଡ୍ କରାଯାଉଛି । ଏହା ପରେ ଜାଣିବାକୁ ମିଳିବ ସେ କେଉଁ ପ୍ରକାରର ସୂଚନା ପଠାଉଥିଲେ । ତାଙ୍କୁ କୌଣସି ଅଧିକାରୀ ପଦବୀ ମିଳିଥିଲା କି ନାହିଁ ତାହା ଏ ପର୍ଯ୍ୟନ୍ତ ଅନୁସନ୍ଧାନର ବିଷୟ ରହିଛି । ତାଙ୍କ କହିବା ଅନୁସାରେ ତାଙ୍କର କୌଣସି ପ୍ରତ୍ୟକ୍ଷ ସଂଯୋଗ ନ ଥିଲା ।
ରାଜୀବ ଶର୍ମା ୧୯୮୧-୮୨ରୁ ସାମ୍ବାଦିକତା ଆରମ୍ଭ କରିଥିଲେ । ସେ ଦିଲ୍ଲୀରେ ଶିକ୍ଷା ଲାଭ କରିଥିଲେ ଓ UNI, ହିନ୍ଦୁସ୍ତାନ ଟାଇମ୍ସ, ଟାଇମ୍ସ ଅଫ୍ ଇଣ୍ଡିଆ ଓ ଟ୍ରିବ୍ୟୁନ୍ ପରି ଅନେକ ମିଡ଼ିଆ ଅନୁଷ୍ଠାନରେ କାର୍ଯ୍ୟ କରିଥିଲେ । ୧୫ ତାରିଖ ଦିନ ସର୍ଚ୍ଚ ୱାରେଣ୍ଟ ସହିତ ତାଙ୍କ ଘରେ ପୋଲିସ୍ ଖୋଜାଖୋଜି କରିଥିଲା । ସେଥିରେ ଅନେକ ଗୋପନୀୟ ତଥ୍ୟ ମିଳିଥିଲା ।
ଏହା ବି ପଢ଼ନ୍ତୁ | କରୋନାରୁ ସୁସ୍ଥ ହେବା ପରେ କେମିତି ଅନୁଭବ ହୁଏ? ଅନେକ ଦିନ ଯାଏଁ ଅନବରତ ଥକାପଣ
ଏହା ବି ପଢ଼ନ୍ତୁ | ମାଛ ବଦଳରେ କଇଁଛ ପାଟିରେ ଲାଗିଲା ବନଶୀ କଣ୍ଟା; ଦେଢ଼ ଘଣ୍ଟାର ଅପରେସନ ପରେ ବଞ୍ଚିଲା କଇଁଛ
ସେହି ଚାଇନିଜ୍ ମହିଳା ପାଠ ପଢ଼ିବା ପାଇଁ ୨୦୧୩ରେ ଜାମିଆ ମିଲିଆରେ ଆଡମିଶନ ନେଇଥିଲେ । ସେବେ ଠାରୁ ସେ ଏଇଠି ଅଛନ୍ତି । ସେହି କମ୍ପାନୀ ଅନ୍ୟ ଜଣେ ଚାଇନିଜ୍ ନାଗରିକ ବନେଇଥିଲେ । ଭାରତ ଛାଡ଼ି ଯିବା ବେଳେ ସେ ସେହି କମ୍ପାନୀରେ ଏହି ମହିଳାଙ୍କୁ ନିର୍ଦ୍ଦେଶକ ବନାଇ ଯାଇଥିଲେ ।
ପୋଲିସ ଏ ପର୍ଯ୍ୟନ୍ତ ପାଇଥିବା ସୂଚନା ଅନୁଯାୟୀ ରାଜୀବ ଶର୍ମା ଗ୍ଲୋବାଲ ଟାଇମ୍ସରେ ଲେଖୁଥିଲେ । ଏହା କେବଳ ଏକ ଶୋ ପାଇଁ ଥିଲା । ଇଣ୍ଡୋ-ଚାଇନା ସମ୍ପର୍କ ଉପରେ ସେ ଲେଖୁଥିଲେ । ଏହାରି ନାଁରେ ସେ ଚୀନକୁ ଅନେକ ସମ୍ବେଦନଶୀଳ ସୂଚନା ପଠାଉଥିଲେ ବୋଲି ପୋଲିସ୍ କହିଛି ।