ସାବାଡ଼ ହେଲା ଡ୍ରାଗନ୍: ଲଦ୍ଦାଖରେ ସୀମାରୁ ୨ କିମି ପଛକୁ ହଟିଲା ଚୀନ୍ ସେନା; ଟେଣ୍ଟ୍ ଓ ସାମଗ୍ରୀ ହଟାଇଲା
ଚୀନ୍ ସେନା ପଛକୁ ହଟିବା ଖବର ଆସିବା ପରେ ଚୀନୀ ବିଦେଶ ମନ୍ତ୍ରାଳୟ ମଧ୍ୟ ଏ ନେଇ ସ୍ପଷ୍ଟ କରିଛି । ଭାରତର କଡ଼ା ଆଭିମୁଖ୍ୟ, ସୀମାରେ ଭାରତୀୟ ସେନାର ଜୋରଦାର ପ୍ରସ୍ତୁତି ଓ ଅଟଳ ମନୋଭାବ ଆଗରେ ଶେଷରେ ନଇଁଛି ଚୀନ୍ ।

ଗାଲୱାନ୍ ଘାଟିର ସଙ୍ଘର୍ଷ ସ୍ଥଳ ଓ (ଡାହାଣ) ଅଜିତ୍ ଡୋଭାଲ୍
- News18 Odia
- Last Updated: July 7, 2020, 1:26 AM IST
ନୂଆ ଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦକୁ (India-China border dispute) ନେଇ ଆସିଛି ଏକ ବଡ଼ ଖବର । ଏଲ୍.ଏ.ସି.ରେ (LAC) ଉତ୍ତେଜନା କମ୍ କରିବାକୁ ଲଗାତର ଆଲୋଚନା ହେଉଥିବା ବେଳେ ଏବେ ତା'ର ପ୍ରଭାବ ଦିଶିବା ଆରମ୍ଭ ହୋଇଛି । ଚୀନର ସେନା ଲଦ୍ଦାଖର (Ladakh) ଗାଲୱାନ ଘାଟିରୁ (Galwan Valley) ପ୍ରାୟ ୨ କିମି ପଛକୁ ଫେରିଛି । ସୋମବାର ଚୀନ୍ ସେନା ଏହି ଘାଟିରୁ ନିଜର ଟେଣ୍ଟ ବି ପ୍ରତ୍ୟାହାର କରିବା ଆରମ୍ଭ କରିଥିବା ଦେଖାଯାଇଛି ।
ସୀମାରେ ସ୍ଥିତିର ଭେରିଫିକେସନ୍ ପାଇଁ ଦୁଇ ଦେଶ ମଧ୍ୟରେ ୭୨ ଘଣ୍ଟାର ଏକ ସମୟ ସୀମା ସ୍ଥିର କରାଯାଇଛି ଓ ଏହା ଭିତରେ ଏକ ବଫର ଜୋନ୍ ନିର୍ଦ୍ଧାରଣ ହୋଇଛି, ଯାହା ଫଳରେ କୌଣସି ପ୍ରକାର ସଙ୍ଘର୍ଷ ନ ହେବ ।
ସୋମବାର ଚୀନ୍ ସେନା ପଛକୁ ହଟିବା ଖବର ଆସିବା ପରେ ଚୀନୀ ବିଦେଶ ମନ୍ତ୍ରାଳୟ ମଧ୍ୟ ଏ ନେଇ ସ୍ପଷ୍ଟ କରିଛି । ଏହି ମାମଲାରେ ଚୀନୀ ବିଦେଶ ମନ୍ତ୍ରାଳୟ ପକ୍ଷରୁ ବୟାନ ବି ଜାରି କରାଯାଇଛି । କୁହାଯାଇଛି ଯେ ଶାନ୍ତି ପ୍ରତିଷ୍ଠା ପାଇଁ ଫରୱାର୍ଡ ପୋଷ୍ଟରେ କିଛି ପଦକ୍ଷେପ ନିଆଯାଇଛି ଓ ସୈନିକଙ୍କୁ ପଛକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଶୁକ୍ରବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲେହ ଗସ୍ତ କରିଥିଲେ ।
ଗତ ଜୁନ୍ ୧୫ ରାତିରେ ଗାଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଙ୍ଘର୍ଷ ପରେ ଉତ୍ତେଜନା କମ୍ କରିବାକୁ ଲଗାତର ଉଦ୍ୟମ ହେଉଥିଲା । କୂଟନୈତିକ ଓ ସାମରିକ ସ୍ତରରେ ଲଗାତାର ଆଲୋଚନା ଚାଲିଥିଲା । ତା’ ପ୍ରଭାବ ଏବେ ଏଲ୍.ଏ.ସି.ରେ ଦେଖାଯିବା ଆରମ୍ଭ ହୋଇଛି । ଗଲବାନ୍ ଘାଟିରୁ ପ୍ରାୟ ୨ କିଲୋମିଟର ପଛକୁ ହଟିଛି ଚୀନ୍ ସେନା । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ରବିବାର ଚୀନ୍ ବିଦେଶ ମନ୍ତ୍ରୀ ବାଙ୍ଗ ୟିଙ୍କ ସହ ଆଲୋଚନା କରିଥିଲେ । ଏଥିରେ ଦୁଇ ଦେଶଙ୍କ ମଧ୍ୟରେ ସହମତି ହୋଇଥିବା କୁହାଯାଉଛି । ବାଙ୍ଗ ହି ହେଉଛନ୍ତି ଚୀନର ଜାତୀୟ ସୁରକ୍ଷା ପରାମର୍ଶଦାତା ।

ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ରବିବାର ଚୀନ୍ ବିଦେଶ ମନ୍ତ୍ରୀ ବାଙ୍ଗ ୟି (ଫାଇଲ୍ ଫଟୋ)
ଭାରତ ଓ ଚୀନ୍ (India-China) ମଧ୍ୟରେ ଦୀର୍ଘ ସମୟ ଧରି ଲାଗି ରହିଛି ସୀମା ବିବାବ । ଏହାର ସମାଧାନ ପାଇଁ ଦୁଇ ଦେଶ ପକ୍ଷରୁ ପ୍ରତିନିଧି ସ୍ଥିର କରାଯାଇଛନ୍ତି । ଭାରତ ପକ୍ଷରୁ ଅଜିତ୍ ଦୋଭାଲ୍ ହିଁ ସ୍ଥାୟୀ ପ୍ରତିନିଧି । ସେ ନିଜ ପ୍ରତିପକ୍ଷ ବାଙ୍ଗ ୟିଙ୍କ ସହ ସୀମାରେ ଶାନ୍ତି ପ୍ରତିଷ୍ଠାକୁ ନେଇ ଆଲୋଚନା କରିଲେ ଓ ଆଗକୁ ମିଳିମିଶି କାମ କରିବା ଉପରେ ମନ୍ଥନ କରିଥିଲେ । ଭବିଷ୍ୟତରେ ଏମିତି କୌଣସି ଘଟଣା ଯେପରି ନ ଘଟେ ସେ ନେଇ ମଧ୍ୟ ଦୁଇ ପକ୍ଷ ମଧ୍ୟରେ ସହମତି ହୋଇଛି । ଏହା ଛଡ଼ା ସୀମାରେ ପର୍ଯ୍ୟାୟକ୍ରମେ ସେନାକୁ ପଛକୁ ହଟାଇବାକୁ ବି ସହମତି ହୋଇଛି । ଏଥି ସହ ସୀମାକୁ ନେଇ ଯେଉଁ ବିବାଦ ରହିଛି ତା' ଉପରେ ଆଲୋଚନା ଜାରି ରହିବ ।
ଏହା ବି ପଢ଼ନ୍ତୁ: ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା
ମେ' ମାସ ଠାରୁ ଏଲ୍.ଏ.ସି.ରେ ଚୀନ୍ ଓ ଭାରତୀୟ ସେନା ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି । ଜୁନ୍ ୩୦ରେ ଦୁଇ ଦେଶର ସେନା ଅଫିସରଙ୍କ ସ୍ତରରେ ଯେଉଁ ଆଲୋଚନା ହୋଇଥିଲା ଏବେ ସେହି ଆଧାରରେ ସେନା ପଛକୁ ହଟିଛି । ଚୀନୀ ସେନା ନିଜର ଟେଣ୍ଟ, ସାମଗ୍ରୀ ଓ ସୈନିକଙ୍କୁ ପଛକୁ ହଟାଇ ନେଇଛି ।
ଏହା ବି ପଢ଼ନ୍ତୁ: ଭାରତ-ଚୀନ୍ ସୀମାରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚାଲିଥିବା ପରି ଲାଗୁଛି; ଲଦ୍ଦାଖରେ କମୁନାହିଁ ଉତ୍ତେଜନା
ସୀମାରେ ଉତ୍ତେଜନା ଭିତରେ ଗତ ଶୁକ୍ରବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲେହ ଗସ୍ତ କରିଥିଲେ । ପିଏମ୍ ମୋଦି ନିମୁ ପୋଷ୍ଟ ଯାଇଥିଲେ, ଯେଉଁଠି ବହୁ ସଂଖ୍ୟାରେ ଯବାନ ମୁତୟନ ଅଛନ୍ତି । ସେଠାରୁ ହିଁ ସେ ଚୀନକୁ ବାର୍ତ୍ତା ଦେଇ କହିଥିଲେ ଯେ ବିସ୍ତାରବାଦର ସମୟ ଏବେ ଚାଲିଯାଇଛି । ଏବେ ବିକାଶବାଦର ସମୟ । ପ୍ରଧାନ ମନ୍ତ୍ରୀଙ୍କ ଏହି ବୟାନ ପରେ ଅନୁମାନ କରାଯାଉଥିଲା ଯେ କୂଟନୈତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ମାମଲା ସମାଧାନର ବାଟ ବାହାର କରାଯାଇପାରେ ।