News18 Odia Digital
ନୂଆ ଦିଲ୍ଲୀ: ପୂର୍ବ ଲଦ୍ଦାଖରେ ପ୍ରକୃତ ନିୟନ୍ତ୍ରଣର ରେଖା ( Line of Actual Control in Ladakh) ମଧ୍ୟରେ ଭାରତ ଓ ଚୀନ୍ ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି । ଏହି ତିକ୍ତତା ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ବୁଝାମଣାକୁ ନେଇ ବୈଠକ ଚାଲିଛି । ଏହି ସମୟରେ LAC ଉପରେ ଗୁଳି ଚାଲିଥିବାକୁ ନେଇ ଏକ ନୂତନ ଖୁଲାସା ହୋଇଛି । ଏକ ରିପୋର୍ଟ ଅନୁଯାୟୀ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର (S Jaishankar) ଓ ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ (Wang Yi) ଭେଟିବା ପୂର୍ବରୁ ଦୁଇ ସେନାଙ୍କ ମଧ୍ୟରେ ପାଙ୍ଗୋଙ୍ଗ ହ୍ରଦର (Pangong Tso) ଉତ୍ତର କୂଳ ନିକଟରେ ଗୁଳି ବିନିମୟ ହୋଇଥିଲା । ଜଣେ ଅଧିକାରୀଙ୍କ ଅନୁଯାୟୀ ଯେଉଁଠାରେ ଫିଙ୍ଗର -୩ ଓ ଫିଙ୍ଗର -୪ ମିଶିଥାଏ ସେଠାରେ ଉଭୟ ପାର୍ଶ୍ୱରେ ୧୦୦-୨୦୦ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା । ଇଂରାଜୀ ଖବରକାଗଜ 'ଇଣ୍ଡିଆନ୍ ଏକ୍ସପ୍ରେସ୍' ଏହାର ଏକ ରିପୋର୍ଟରେ ଏହି ବିଷୟରେ ସୂଚନା ଦେଇଛି ।
ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ଅବଗତ ଥିବା ଜଣେ ଅଧିକାରୀ କହିଛନ୍ତି ଯେ ଦୁଇ ଦେଶର ସୈନ୍ୟବାହିନୀ ଫିଙ୍ଗର ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଗୁଳି ବିନିମୟ ଘଟିଛି । ଏପର୍ଯ୍ୟନ୍ତ ଚୀନ୍ କିମ୍ବା ଭାରତ ଏହି ଘଟଣା ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି । ଏହାପୂର୍ବରୁ ଉଭୟ ଦେଶରେ ଚୁସୁଲ ସେକ୍ଟରରେ ଗୁଳି ବିନିମୟ ହୋଇଥିଲା । ଅଧିକାରୀ କହିଛନ୍ତି ଯେ ଚୁସୁଲରେ ଗୁଳି ବିନିମୟ ଅପେକ୍ଷା ଏବେର ଗୁଳି ବିନିମୟ ଆହୁରି ଭୟଙ୍କର ଥିଲା ।
ରିପୋର୍ଟ ଅନୁଯାୟୀ, ଅଧିକାରୀ କହିଛନ୍ତି ଯେ ମାସକୁ ତିନିଥର LAC ଉପରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଚୁସୁଲ ସେକ୍ଟରରେ ଗୁଳି ବିନିମୟ ସମ୍ପର୍କରେ ଉଭୟ ଦେଶରୁ କେବଳ ସରକାରୀ ବିବୃତ୍ତି ଆସିଛି । ଅଗଷ୍ଟରେ ମୁକପାରିରେ ମଧ୍ୟ ଗୁଳି ବିନିମୟ ହୋଇଥିଲା କିନ୍ତୁ ଏ ସମ୍ପର୍କରେ କୌଣସି ବିବୃତ୍ତି ଦିଆଯାଇ ନାହିଁ । ବର୍ତ୍ତମାନ ପାଙ୍ଗୋଙ୍ଗରେ ଉତ୍ତର ପାର୍ଶ୍ୱରେ ୧୦୦-୨୦୦ ରାଉଣ୍ଡ ଗୁଳି ଚଳାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଉଭୟ ଦେଶରେ କେହି କୌଣସି ବିବୃତ୍ତି ଦେଇନାହାଁନ୍ତି ।
ରିପୋର୍ଟ ଅନୁଯାୟୀ ପେଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ କିପରି ଗୁଳି ବିନିମୟ ଆରମ୍ଭ ହୋଇଛି ତାହା ମଧ୍ୟ ଅଧିକାରୀ ଜଣାଇଛନ୍ତି । ସେପ୍ଟେମ୍ବର ପ୍ରାରମ୍ଭରେ ପେଙ୍ଗୋଙ୍ଗ ସୋ ର ଉତ୍ତର ପାର୍ଶ୍ୱରେ ଭାରତୀୟ ସେନା ନିଜର ସ୍ଥିତି ପରିବର୍ତ୍ତନ କରୁଥିଲା । ଚୀନ୍ ସେନାର ଏହି ସ୍ଥାନଠୁ ଦୂରତା ମାତ୍ର ୫୦୦ ମିଟର । ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।
ତେବେ ମସ୍କୋରେ ଭାରତ-ଚୀନ୍ ବୈଦେଶିକ ମନ୍ତ୍ରୀ ଓ ପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ପରିସ୍ଥିତି କିଛି ନିୟନ୍ତ୍ରଣରେ ଥିବା କୁହାଯାଉଛି । ଦୁଇ ଦେଶ ମଧ୍ୟରେ ଆର୍ମି କମାଣ୍ଡର ସ୍ତରର ଆଲୋଚନା ଚାଲିଛି । ଏବେ ଦେଖିବାକୁ ପଡିବ ଯେ ଏହାର କଣ ଫଳାଫଳ ଆସୁଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।