ଅକ୍ଷୟ ତୃତୀୟା; ସବୁ ଅନୁକୂଳର ପର୍ବ

ଆଜି ଅନୁକୂଳର ପର୍ବ ଅକ୍ଷୟ ତୃତୀୟା । ମୁଠି, ଷଠିର ପରମ୍ପରା ସହ ଆରମ୍ଭ ହୁଏ ସବୁ ଶୁଭ କାମ ।

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Akshaya Tritiya 2023: ବୈଶାଖ ଶୁକ୍ଳ ତୃତୀୟା ତିଥି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ସରକାରୀ ସ୍ତରରେ କୃଷକ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଏହା କୃଷକମାନଙ୍କ ପାଇଁ ଏକ ସିଦ୍ଧି ଓ ଶୁଦ୍ଧିର ଦିନ ଭାବେ ଜଣାଶୁଣା । କୃଷକଟିଏ ଅକ୍ଷୟ ତୃତୀୟାରେ ଅଖି ମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ। ଶୁଭ ଦିନ ମନେ    କରି ଏହି ଦିନ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତୋପନୟନ ଭଳି ଶୁଭକର୍ମ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଚାଷୀ ନୂଆ ଗଉଣିରେ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନକୁ ଶଙ୍ଖ ହୁଳହୁଳିର ଧ୍ବନିର ସହ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ସେହି ନୈବେଦ୍ୟକୁ କିଆରିର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠା ମୁଠା ବିହନ କିଆରିରେ ବୁଣେ । ଏହାକୁ ଅଖି ମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏହି ଦିନ ‘ଷଠିଦେବୀ’ଙ୍କ ପୂଜା କରିଥା’ନ୍ତି ।

ଅକ୍ଷୟ ତୃତୀୟାର ମାହତ୍ମ୍ୟ ଦୃଷ୍ଟିରୁ ବହୁ ପୌରାଣିକ ଆଖ୍ୟାନ ରହିଛି । ମହର୍ଷି ଜନକ କୃଷକ କୁଳର ପ୍ରତିନିଧି ରୂପେ ଭୂମିପୂଜା କରି ବୀଜବପନ କରୁଥିଲେ । ହଳ କରିବା ବେଳେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତାଙ୍କୁ ବୀଜଦାତ୍ରୀ ଦେବୀ ଭାବେ ବର୍ଣ୍ଣନା କରାଯାଇଛି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପାଇବା ପାଇଁ ସୀତାଙ୍କୁ ସ୍ତୁତି କରିଥିବା ଉଲ୍ଲେଖ ରହିଛି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣରେ ଅକ୍ଷୟ ତୃତୀୟାକୁ ପବିତ୍ର ଓ ଶୁଭଦିନ ରୂପେ ବର୍ଣ୍ଣନା କରାଯାଇଛି ।

AKSHAYA TRITIYA 2023: ଅକ୍ଷୟ ତୃତୀୟାରେ କାହିଁକି ସୁନା କିଣନ୍ତି ମହିଳା?

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତିହୁଏ । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭ କରି ଆଠବର୍ଷରେ ଉଦ୍‌ଯାପନ କରନ୍ତି । ଏହିଦିନ ଜଳଦାନ କଲେ ପୁଣ୍ୟଫଳ ମିଳିବାର ବିଶ୍ବାସ ରହିଛି । ପୌରାଣିକ ଉପାଖ୍ୟାନ କହେ- ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ତୃଷାର୍ତ୍ତ ବ୍ରାହ୍ମଣକୁ ପାଣି ମଧ୍ୟ ତ ଦେଇ ନଥିଲା ବରଂ ନିଷ୍ଠୁର ଭାବେ ଘରୁ ତଡ଼ି ଦେଇଥିଲା । ଏହି ସମୟରେ ତା’ର ସ୍ତ୍ରୀ ସୁଶୀଳା ଆସି ତୃଷାର୍ତ୍ତକୁ ଜଳଦାନ କରିଥିଲା । ପାପୀ ବ୍ରାହ୍ମଣର ମୃତ୍ୟୁ ପରେ ଯମପୁରୀରେ ଯମଦୂତମାନେ ତାକୁ ସମାନ ଭାବେ ଦଣ୍ଡିତ କରିଥିଲେ । କିନ୍ତୁ ସେତେବେଳେ ଯମରାଜ ସ୍ବହସ୍ତରେ ବ୍ରାହ୍ମଣକୁ ଜଳଦାନ କରିଥିଲେ । ସ୍ତ୍ରୀର ପୁଣ୍ୟ ବଳରେ ପାପୀ ବ୍ରାହ୍ମଣର ପାପ ଖଣ୍ଡନ ହୋଇଥିବା ଯମରାଜ ଯମଦୂତଙ୍କୁ ବୁଝାଇଥିଲେ ।

ଅକ୍ଷୟ ତୃତୀୟାରେ ପୁରୀରେ ଶ୍ରୀଜିଉମାନଙ୍କର ରଥନିର୍ମାଣ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯାଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥ ନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅନୁସାରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠ ଲାଗିଥାଏ ।

ପାଖରେ ଅଛି କି SBI କାର୍ଡ଼? ସୁନା ଗହଣାରେ ରିହାତି ସହ ମିଳିବ କ୍ୟାସ ବ୍ୟାକ୍


ଅକ୍ଷୟ ତୃତୀୟ ଦିନଠାରୁ ଶ୍ରୀକ୍ଷେତ୍ର ଏବଂ ଅନ୍ୟସ୍ଥାନରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ୨୧ ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ଏବଂ ପରବର୍ତ୍ତୀ ୨୧ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ପାଳିତ ହୋଇଥାଏ । ମୁଠି, ଷଠିର ପରମ୍ପରା ପାଲଟିଥିବା ଅକ୍ଷୟ ତୃତୀୟାରେ ମିଳୁଥିବା ଐଶ୍ବର୍ଯ୍ୟର କ୍ଷୟ ହୁଏ ନାହିଁ ବୋଲି ବିଶ୍ବାସ ରହିଛି ।

(Report By: ରାକେଶ କୁମାର ମହାନ୍ତି)
Published by:Soumya Das
First published: