ଆଜି ପଞ୍ଚୁକ ତୃତୀୟ ଦିନ: ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ବଡ ଏକାଦଶୀ ପରଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଳନ କରାଯାଉଛି । ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ।

ଆଜି ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ (ପ୍ରତୀକାତ୍ମକ ଛବି)

ଆଜି ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପାଞ୍ଚଦିନ ଧରି ପଞ୍ଚୁକ ବ୍ରତ ପାଳନ ହେବ। ମହାପ୍ରଭୁ ପାଞ୍ଚଦିନରେ ପାଞ୍ଚଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ତେବେ ବଡ ଏକାଦଶୀ ପରଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ବା ବକ ପଞ୍ଚକ ପାଳନ କରାଯାଉଛି । ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ।

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଠାକୁରମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ଆଜି ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ। ତ୍ରିବିକ୍ରମ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ।

ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ। ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ ।

ବଡ ଏକାଦଶୀରେ ମହାପ୍ରଭୁ ଜଗନ୍ନାଥ ଲକ୍ଷ୍ମୀ ନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କଚୁଡା ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଚତୁର୍ଦ୍ଦଶୀରେ ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ। ଚନ୍ଦ୍ରଗ୍ରହଣରେ ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ। ପୁଣି ଏହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସୂର୍ଯ୍ୟୋଦୟ ପୂର୍ବରୁ ନୀତିକାନ୍ତି ସରିବ । ନୀତି ନିର୍ଘଂଟ ଅନୁସାରେ, ୮ ତାରିଖ ରାତି ୧୨ଟା ୧୦ମିନିଟରେ ଦ୍ୱାରଫିଟା ନୀତି ହେବ । ରାତି ୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜଧିରାଜ ବେଶ ସରିବ । ସକାଳ ୫ଟା ୫୦ ସୁଦ୍ଧା ଭୋଗମଣ୍ଡପ ଶେଷ କରିବାକୁ ନିଷ୍ପତି ହୋଇଛି ।

ଚଳିତ ବର୍ଷ କାର୍ତ୍ତିକ ମାସର ମାସ ତମାମ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିଥିଲେ ମଧ୍ୟ ଚନ୍ଦ୍ରଗ୍ରହଣ ଯୋଗୁଁ ସୁନାବେଶ ଦର୍ଶନ ପାଇବେନାହିଁ। ପଞ୍ଚୁକ ପୂର୍ଣ୍ଣିମା ଦିନ ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବାକୁ ଥିବାରୁ ଗହଳିକୁ ନଜରରେ ରଖି ସୁରକ୍ଷା କଡାକଡି କରାଯାଇଛି।
Published by:Soumya Das
First published: