ଆଜି ପବିତ୍ର ଧନୁ ସଂକ୍ରାନ୍ତି; କାଉ ରାବ ପୂର୍ବରୁ ଶ୍ରୀମନ୍ଦିରରେ ପହିଲି ଭୋଗ
- News18 Odia
- Last Updated :
- Puri, India
News 18 Odia Digital
ପୁରୀ; ଶ୍ରୀମନ୍ଦିରରେ ଆଜି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ କାଉ କା କରିବା ପୂର୍ବରୁ ମହାପ୍ରଭୁଙ୍କୁ ଲାଗି ହେବ ପହିଲି ଭୋଗ । ଏହି ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆଜି ରାତ୍ର ୨ଟା୪୧ରୁ ସିଂହଦ୍ୱାର ଫିଟା ଏବଂ ୩.୦୫ରୁ ଠାରୁ ଦ୍ୱାରଫିଟା ହେବା ପରେ ୪ଟାରେ ରୋଷହୋମ ହୋଇ ଅନ୍ୟାନ୍ୟ ନୀତି ବଢିବା ସହ ସକାଳ ୬ଟା୩୦ ରେ ପହିଲି ଭୋଗ ଛେକ ହୋଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି ପହିଲି ଭୋଗ । ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁମୁଆଁ ଲାଗି ହୋଇଛି ।
ପାଳବଲ୍ଲଭ ପରେ ପହିଲି ଭୋଗ ସମ୍ପନ୍ନ ହୋଇଛି । ଏହି ଅବସରରେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରବଳ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ବହୁ ପ୍ରତିକ୍ଷୀତ ପହିଲିଭୋଗର ମହତ୍ୱ ଅନ୍ୟ ଦିନ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି ।କଥିତ ଅଛି ଯେ,ଏହି ସମୟରେ ମାଆ ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ଶ୍ରୀମନ୍ଦିରରେ ମାଆ ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମାଆ ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ଆଜିଠାରୁ ମକର ସଂକ୍ରାନ୍ତି ଯାଏଁ ପହଲି ଭୋଗ ପ୍ରସ୍ତୁତ କରାଯାଏ । ପହିଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଢି ଭୋରରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ । ବିରି, ଗହମରେ ପ୍ରସ୍ତୃତ ୩୨ ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି ହୁଏ। ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା, ଝଡେଇ ନେଦା ଓ ବଡି ଆଦି ଭୋଗ କରାଯାଇଥାଏ ।
ଶ୍ରୀ ଜଗନ୍ନାଥଙ୍କ ସେବାରେ ଶୃଙ୍ଗାର, ବୀର, ବାତ୍ସଲ୍ୟାଦି ସମସ୍ତ ରସର ସେବା ଭାବ ରହିଥାଏ। ତନ୍ମଧ୍ୟରୁ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟ ରସ ଉପାସନାର କାଳ। ତେବେ ବିଶ୍ୱାସ ରହିଛି ମାତା ଯଶୋଦା ରାତି ନ ପାହୁଣୁ , କାଉ କା କରିବା ପୂର୍ବରୁ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ଲଘୁ ଦ୍ରବ୍ୟ ଭୁଂଯାଇ ଦିଅନ୍ତି । ଅତଏବ ଏହି ଭୋଗ ହେଉଛି ମାତା ଯଶୋଦାଙ୍କର ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ତଥା ନୈସର୍ଗିକ ପ୍ରେମର ନିଦର୍ଶନ ଏବଂ ଏହା ଶ୍ରୀମନ୍ଦିରରେ ବୋହୁ ପ୍ରାଚୀନ କାଳରୁ ପ୍ରଚଳିତ ବୋଲି କୁହାଯାଏ । ଏ ସମ୍ପର୍କୀୟ ପୌରାଣିକ ଆଖ୍ୟାନକୁ ଅବତାରଣା କରି କୁହାଯାଏ ଯେ, ଏକଦା ଦ୍ୱାରକାରେ ମାତା ଯଶୋଦାଙ୍କ ସ୍ମୃତିରେ ବ୍ୟାକୁଳିତ ହୋଇ ବାଳଗୋପାଳ ରୂପ ଧାରଣ କରିଥିବାବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ। ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ଵାରା ପ୍ରେରିତ ହୋଇ ନାରଦ ଗୋପପୁରକୁ ଯାଇ ମାଆ ଯଶୋଦାଙ୍କ ଦୁଇ କୋଳରେ ବଳରାମ ଓ କୃଷ୍ଣ ଦୁଇ ଭାଇଙ୍କୁ ବସି ଆନନ୍ଦରେ ନାନା ସୁମିଷ୍ଟ ଦ୍ରବ୍ୟ ଭୋଜନ କରୁଥିବାର ଦେଖିଲେ । ଶ୍ରୀ ଜଗନ୍ନାଥଙ୍କ 'ପହିଲିଭୋଗ' ଏହାର ସ୍ମାରକୀ। ପୌରାଣିକ ଭିତ୍ତିଭୂମି ଅନୁଯାୟୀ ଦ୍ୱାପର ଯୁଗରେ ଯଶୋଦାଙ୍କର ପୁତ୍ର ବାତ୍ସଲ୍ୟର ପ୍ରମାଣ ସ୍ୱରୂପ ରୁକ୍ମଣୀ(ଲଷ୍ମୀ)ଙ୍କର ପିତୃ ଗୃହ ଗମନ ହେତୁ ପହିଲିଭୋଗର ସୃଷ୍ଟି ହୋଇଛି। ପୁଣି ଜନଶ୍ରୁତି ଅନୁଯାୟୀ ଲଷ୍ମୀ ଏହି କେତେଦିନ ନିଜ ସ୍ଥାନରୁ ଅନ୍ତର ଥାଆନ୍ତି । ଲୋକବିଶ୍ୱାସରେ ଲଷ୍ମୀ ଏହି ମାସଟି ନିଜର ବାପଘରେ କାଟନ୍ତି। ପୌଷ ମାସରେ ବୋହୂ ନିଜର ବାପ ଘରକୁ ଯିବାର ଚଳଣୀ ଓଡ଼ିଆ ଘର ମାନଙ୍କରେ ରହିଛି। ତେଣୁ ମାଆ ବ୍ୟଗ୍ର ହୋଇ ନିଜ ପୁଅଝିଅଙ୍କୁ ଶୀତ ସକାଳରେ ଗରମ ଗରମ ଖାଦ୍ୟ ଖୁଆଇ ଦିଅନ୍ତି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।