ମହାପ୍ରଭୁଙ୍କର ‘ମାନବୀୟ ଲୀଳା’ର ନିଦର୍ଶନ; ଶୀତରୁ ରକ୍ଷା ପାଇଁ ପିନ୍ଧନ୍ତି ଶୀତବସ୍ତ୍ର

ମହାପ୍ରଭୁଙ୍କର ଏହି ଲୀଳା ‘ପ୍ରାବରଣ ଯାତ୍ରା’ ବା “ଓଢ଼ଣ ଷଷ୍ଠୀ’ନାମରେ କଥିତ। ମାର୍ଗଶିର ଶୁକ୍ଳଷଷ୍ଠୀ ବା ଓଢ଼ଣଷଷ୍ଠୀ ଠାରୁ ମାଘ ଶୁକ୍ଳ ପଞ୍ଚମୀ ବା ବସନ୍ତ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ପାଳିତ ହୋଇଥାଏ।।

ଘୋଡ଼ା ଲାଗି ବେଶ

ଘୋଡ଼ା ଲାଗି ବେଶ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଚାଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଜାମା ବା ଟେକାଘୋଡ଼ ପରିଧାନ କରିଥାନ୍ତି।। ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ‘ଦ୍ଵାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ ।

ଯାତ୍ରା ଭାଗବତରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ବରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରମାନଙ୍କ ଦ୍ଵାରା ଆଚ୍ଛାଦିତ କରିବା ବିଧେୟ । ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି।

"ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରୀ  , ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ ପାଇଁ ରହିଥାଏ । ଏହା ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟା ଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଚାଙ୍ଗଡ଼ାରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ ।

ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମଇଲମ ବଢ଼ିବା ପରେ ପାଣି ପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି । ସର୍ବାଙ୍ଗଲାଗି(ଚନ୍ଦନ) ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଏହି ଦିନ ଅଧିବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବା ଶୟନ ଠାକୁର ବିଜେ ହୁଅନ୍ତି ନାହିଁ। ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମଇଲମ ହୁଏ। ଗତ ଦିନ ଭୋଗମଣ୍ଡପ ଘରେ ଅଧିବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, , କାହାଳି ସହ ପଟୁଆରରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସଂହାସନକୁ ବିଜେ କରାଯାଏ।

ସଂହାସନରେ ସିଂହାରୀ ପୁଷ୍ପାଳକଙ୍କ ଦ୍ବାରା ଠାକୁରମାନଙ୍କର ପାଗ ଓ ଘୋଡ଼ ଲାଗି ବଢ଼ିଲେ ଛଅମୂର୍ତ୍ତି ଅଳକାଂର ଲାଗି ହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନି ବାଡ଼ରେ ବନ୍ଦାପନା ହୋଇଥାଏ ।

ଏହାପରେ ଅନ୍ୟାନ୍ୟ ନୀତି ମାନ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅବକାଶ ପରେ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ । ଘୋଡ଼ଲାଗି ବେଶରେ ଗଡ଼ା (ସୂତା ବସ୍ତ୍ର), ଖଣ୍ଡୁଆ ପାଟ, ଭେଲ୍‌ଭେଟ୍‌ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି । ବିଧି ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।

ଯେଭଳି

ରବି ବାର- ଲାଲ ରଙ୍ଗ,

ସୋମବାର- କଳାଛିଟ ମିଶା ଧଳା ରଙ୍ଗ

ମଙ୍ଗଳବାର- ବାରିପଟିଆ (ପଞ୍ଚରଙ୍ଗମିଶା),

ବୁଧବାର- ନୀଳରଙ୍ଗ,

ଗୁରୁବାର- ବସନ୍ତ (ହଳଦିଆ) ରଙ୍ଗ,

ଶୁକ୍ରବାର- ଧଳା ରଙ୍ଗ

ଶନିବାର- କଳା ରଙ୍ଗ

ଜ୍ୟୋତିଷ ଶାସ୍ତ୍ର ମତରେ ମହାପ୍ରଭୁଙ୍କର ସାତ ଦିନର ସାତପ୍ରକାର ଘୋଡ଼ରଙ୍ଗକୁ ସାତଗୋଟି ଗ୍ରହର ପ୍ରତୀକ ବୋଲି ବିବେଚନା କରାଯାଇଛି ।

ତେବେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣ ଷଷ୍ଠୀ ନୀତିକୁ ନେଇ  ମହାପ୍ରଭୁଙ୍କ ସକାଳ ଧୂପବଢିବା ପରେ ମଇଲମ କରାଯାଇ ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନସିଂହାସନକୁ ବିଜେ କରାଯିବ ।

ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯିବ । ମଖମଲ ଓ ସୂତା କପଡ଼ାରେ ଦରଜୀ ସେବକଙ୍କ ଦ୍ଵାରା ଶ୍ରୀଜୀଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥିଲା।ଆଉ ପରମ୍ପରା ଅନୁଯାୟୀ ଶ୍ରୀ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାକ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି ବୋଲି କହିଛନ୍ତି ଗବେଷକ ପଣ୍ଡିତ ସୂର୍ଯ୍ଯନାରାୟଣ ରଥଶର୍ମା ।

ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରମାନଙ୍କୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରିଥାନ୍ତି। 'ନୀଳାଦ୍ରିମହୋଦୟ' ରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି  ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, ସେମାନଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ଓ ମୃତ୍ୟୁ ପରେ ବୈକୁଣ୍ଠ ପ୍ରାପ୍ତି ହୁଏ।
Published by:Soumya Das
First published: