News18 Odia Digital
ପୁରୀ: ଆଜି ଚୈତ୍ରମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି । ଏହି ପବିତ୍ର ତିଥି ଅବସରରେ ଶ୍ରୀମନ୍ଦିରରେ (puri temple) ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କର ଖସାପଡା ନୀତି । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ଅପରାହ୍ନ ୫ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନ ସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ । ଖସାପଡା ନିତି ଶ୍ରୀଜୀଉମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ବର୍ଷରେ ଦୁଇରୁ ତିନିଥର ଏହି ନୀତି ସମ୍ପାଦନ କରାଯାଏ ।
ଯେହେତୁ ଦେବସ୍ନାନ ପୂର୍ଣ୍ଣମୀ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଆଦିରେ ମହାପ୍ରଭୁ ପହଣ୍ଡି ହୋଇଥିଲେ ଏଣୁ ତାହା ପୂର୍ବରୁ ଖସାପଡା ନୀତି କରାଯାଇଥିଲା । ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା (rathayatra) ରହିଥିବାରୁ ଶ୍ରୀଜୀଉମାନେ ପହଣ୍ଡି ହେବେ । ଏଣୁ ଏହାପୂର୍ବରୁ ଅର୍ଥାତ ସୋମବାର ଦିନ ପୁନର୍ବାର ଖସାପଡା ନୀତି ଅନୁଷ୍ଠିତ ହେବ ବୋଲି ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର ସୂଚନା ଦେଇଛନ୍ତି ।
ସେପଟେ ଶ୍ରୀମନ୍ଦିରରେ ଏହି ନୀତିକୁ ନେଇ ସେବାୟତଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଇଛି । ନୀତି ଶୃଙ୍ଖଳିତ ସହ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗର ସହଯୋଗ ଲୋଡିଛି । ସେପଟେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ପ୍ରତି ମୂଷାଙ୍କ ବିପଦ ରହିଥିବାରୁ ତାହାର ମଧ୍ୟ ସ୍ଥିତି ଅନୁଧ୍ୟାନ କରାଯିବ। ପୁଣି ଶ୍ରୀଅଙ୍ଗର ସ୍ଥିତି କିଭଳି ସୁରକ୍ଷିତ ରହିବ ତାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଦଇତାପତି ନିଯୋଗ ସେବାୟତ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।