News 18 Odia Digital
ସମ୍ୱଲପୁର; ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା ସମଲେଶ୍ୱରୀଙ୍କ ପୀଠରେ ଆଜି ନିର୍ଦ୍ଧାରିତ ଲଗ୍ନ ଅନୁସାରେ ନବାନ୍ନ ଅର୍ପଣ କରାଯାଇଛି । ପୂର୍ବାହ୍ନ ୧୦ଟା୫୬ ମିନିଟରୁ ୧୧ଟା୧୦ ମିନିଟ ମଧ୍ୟରେ ସମଲେଶ୍ୱରୀ ମନ୍ଦିରର ପୂଜକଗଣ ନୂତନ ଶସ୍ୟରୁ ପ୍ରସ୍ତୁତ ନୈବେଦ୍ୟ ଏବଂ ଅନ୍ୟ ପୂଜା ସାମଗ୍ରୀ ସହ ଦେବୀଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପ୍ରବେଶ କରିବା ପରେ ପୂଜାବିଧି ଆରମ୍ଭ ହୋଇଥିଲା ।
ସମଲେଶ୍ୱରୀ ମନ୍ଦିରର ପୂଜକଗଣ ପ୍ରଥମେ ମାଁଙ୍କୁ ମାର୍ଜନା କରିବା ପରେ ନୂତନ ବସ୍ତ୍ର ପରିଧାନ କରାଇଥିଲେ । ଏହା ପରେ ଘଣ୍ଟଘଣ୍ଟା ଏବଂ ଦୁଲଦୁଲି ବାଦ୍ୟ ମଧ୍ୟରେ ପୂଜାପାଠ କରାଯାଇ ଦେବୀଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା । ଏହା ପରେ ମନ୍ଦିର ଚାରିପଟେ ଥିବା ପାର୍ଶ୍ୱ ଦେବାଦେବୀଙ୍କୁ ମଧ୍ୟ ନବାନ୍ନ ଲାଗି କରାଯାଇଥିଲା । ନବାନ୍ନ ଲାଗି ପରେ ମାଁଙ୍କ ଠାରେ ମହାଆଳତୀ କରାଯାଇଥିଲା ।

ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ କହିଛନ୍ତି, ପ୍ରଥମେ ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରିଥିଲୁ । ଏହା ପରେ ମନ୍ଦିରରେ ଥିବା ପାର୍ଶ୍ୱ ଦେବାଦେବୀଙ୍କୁ ନବାନ୍ନ ଲାଗି ହୋଇଥିଲା । ’’ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନିଜ ଘରେ ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଲାଗି କରିଥିଲେ । ପରିବାର ସମସ୍ତେ ଏକାଠି ହୋଇ ନବାନ୍ନ ଗ୍ରହଣ କରିଥିଲେ ।

ପରିବାରର ସମସ୍ତ ସଦସ୍ୟ ଘରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ପିଠାପଣା ମିଳିମିଶି ଖାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଜୁହାର ଭେଟ । ନୂଆଖାଇରେ ପରିବାରର ସମସ୍ତ ସଦସ୍ୟ ଏକାଠି ନବାନ୍ନ ଗହଣ କରିଥିଲୁ । ଏହା ପରେ ସାନ ମାନେ ବଡ଼ ମାନଙ୍କୁ ଜୁହାର କରିଥିଲେ ବୋଲି ତାନିୟା ରାୟ କହିଛନ୍ତି ।

ଇଶ୍ୱରଙ୍କୁ କୃତଜ୍ଞତା ଜ୍ଞାପନ କରିବାର ପର୍ବ ହେଉଛି ନୂଆଖାଇ । ଏହି ପର୍ବ ଦିନ ନିଜ ଇଷ୍ଟଦେବଙ୍କ ନିକଟରେ ନୂତନ ଉତ୍ପାଦିତ ଶସ୍ୟ ପ୍ରଦାନ କରି ପରେ ନିଜେ ଗ୍ରହଣ କରିବା ଓ ଆଗାମୀ ଦିନ ପାଇଁ ଶୁଭ ମନାସିବା ତଥା ଇଶ୍ୱରଙ୍କ ଠାରେ ସମର୍ପଣ ଭାବ ରଖିବାର ପର୍ବ ହେଉଛି ନୂଆଖାଇ । ନୂଆଖାଇ ଦିନ ମା ସମଲେଶ୍ୱରୀଙ୍କୁ ଦର୍ଶନ କଲେ ଅନ୍ନକଷ୍ଟରୁ ମୁକ୍ତିମିଳିଥାଏ ବୋଲି ବିଶ୍ୱାସ ସହିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।