News18 Odia Digital
ପୁରୀ: ଶ୍ରୀ ମନ୍ଦିର (Jagannath Temple)ରେ ଚାଲିଥିବା ଶ୍ରୀଜୀଉଙ୍କର ପହିଲି ଭୋଗ ନୀତି ଆଜି ଶେଷ ହୋଇଛି । ଦୀର୍ଘ ଏକମାସ ଧରି ଏହି ନୀତି ଚାଲିଆସୁଥିଲା । ମକର ସଂକ୍ରାନ୍ତି(Makar Sankrati) ଦିନ ଅର୍ଥାତ ଆଜି ଏହା ଶେଷ ହୋଇଛି । ସଂକ୍ରାନ୍ତି ଅବସରରେ ଶ୍ରୀଜୀଉମାନେ ଆଜି ମକର ଚୌରାଶୀ ବେଶରେ ଦର୍ଶନ ଦେବେ ।
ଆଜି ପବିତ୍ର ମକର ସଂକ୍ରାନ୍ତି(Makar Sankranti 2023)। ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି। ବିଧି ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଦିନ ବାପଘରକୁ ଚାଲି ଯାଇଥିଲେ। ଆଜି ନବାଙ୍କରେ ଫେରିବା ବେଳେ ସାଙ୍ଗରେ ଆଣିଥିବା ନୂଆ ଚାଉଳରେ ମହାପ୍ରଭୁଙ୍କୁ ମକର ଚାଉଳ ଭୋଗ କରାଯିବ । ସେପଟେ ନବାଙ୍କ ବେଶକୁ ନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ହେଉଛି କୁସୁମ ଫୁଲ ଓ ତୁଳ୨ରେ ଜଗନ୍ନାଥଙ୍କ ପାଇଁ ୧୬ ହାତ ,ବଳଭଦ୍ରଙ୍କ ପାଇଁ ୧୪ ହାତ ଓ ସୁଭଦ୍ରାଙ୍କ ପାଇଁ ୧୪ ହାତର ମାଳ । ବଡ଼ସିଂହାର ବେଳେ ଏହି ମାଳ ପରିଧାନ କରି ମକର ସଂକ୍ରାନ୍ତି ଦିନ ମଙ୍ଗଳ ଆଳତି ଯାଏଁ ବେଶରେ ରହି ଭକ୍ତଙ୍କୁ ଦର୍ଶନ ଦେବେ।
ଆଜି ମହାପ୍ରଭୁ ମକର ଚୌରାଶି ବେଶ(Chourashi Vesh)ରେ ଭକ୍ତ ଜନଙ୍କୁ ଦର୍ଶନ ଦେବେ। ଏହି ବେଶରେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅମୂର୍ତ୍ତୀ ଅଳଙ୍କାରରେ ଭୁଷିତ କରାଯାଏ। ମଧ୍ଯାନ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର,ଖୁଆ ଓ ଚାଉଳକୁ ମିଶ୍ରିତ କରାଯାଇ ମକର ଭୋଗ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ। ସେପଟେ ଏହି ପବିତ୍ର ଅବସରରେ ଅଁଳାଶ୍ରୀରେ ଗେରୁ ରଙ୍ଗରେ ଅଙ୍କନ କରାଯାଇଥାଏ।
ଆଜି ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ପରଠାରୁ ମକର ପାଳନ ପ୍ରସ୍ତୁତି ଆରମ୍ଭ ହେବ । ଅନୁଷ୍ଠିତ ହେବା ପରେ ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ମକର ତାଡକୁ ଭୋଗମଣ୍ଡପରୁ ଆଣି ସେବାୟତମାନେ ସେଥିରେ ମକର ଚାଉଳ ପ୍ରସ୍ତୁତ କରିବେ । ଏଥିସହିତ ଶ୍ରୀଜୀଉଙ୍କୁ ମକର ଚୌରାଶି ବେଶ କରାଯିବା ସହିତ ପ୍ରସ୍ତୁତ ହୋଇଥିବା ମକର ଚାଉଳକୁ ମହାପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ । ଏହି ଅବସରରେ ସାକ୍ଷୀଗାପାଳସ୍ଥିତ ଶ୍ରୀଗୋପାଳ ଜୀଉଙ୍କ ମନ୍ଦିର ଓ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥ ଦେବଙ୍କ ପୀଠରେ ମକର ସଂକ୍ରାନ୍ତୀ ଲାଗି କେତେକ ବିଶେଷ ନୀତି ଅନୁଷ୍ଠିତ ହେବ ।
ଆଜିଠୁ ମକର ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଲାଗି ଶ୍ରୀମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଦିଆଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।