News18 Odia Digital
ଭୁବନେଶ୍ବର: ଏଥର ଦୀପାବଳିରେ ପରାଗ। ଅକ୍ଟୋବର ୨୫ ତାରିଖ ଦୀପାବଳି ଅମାବାସ୍ୟାରେ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବ। ଯାହାକୁ ଆଂଶିକ ସୂର୍ଯ୍ୟ ପରାଗ କୁହାଯାଉଛି। ଏହା ଦେଶ ବିଦେଶରେ ଦୃଶ୍ୟମାନ ହେବ।
ଭାରତ ସମେତ ୟୁରୋପ, ଦକ୍ଷିଣ ପଶ୍ଚିମ ଏସିଆ, ଉତ୍ତର ପୂର୍ବ ଆଫ୍ରିକା ଓ ଆଟଲାଣ୍ଟିକରେ ଦୃଶ୍ୟମାନ ହେବ। ଓଡ଼ିଶାରେ ଅକ୍ଟୋବର ୨୫ ତାରିଖ ଅପରାହ୍ନ ୪.୫୬ ମିନିଟରେ ଆରମ୍ଭ ହୋଇ ୫.୧୬ ମିନିଟରେ ଛାଡ଼ିବ।
ମାତ୍ର ୨୦ ମିନିଟ ପାଇଁ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ। ପଶ୍ଚିମ ଦିଗବଳୟରେ ସୂର୍ଯ୍ୟ ଥିବାବେଳେ ପରାଗକୁ ଦେଖିପାରିବେ ଲୋକେ। ସେହିଭଳି ନଭେମ୍ବର ୮ ତାରିଖରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଓଡ଼ିଶାରେ ଅପରାହ୍ନ ୫.୦୫ ମିନିଟରୁ ଆରମ୍ଭ ହୋଇ ୭.୨୬ ରେ ଛାଡ଼ିବ। ୨ଘଣ୍ଟା ୨୦ ମିନିଟ ପାଇଁ ଦୃଶ୍ୟମାନ ହେବ ଚନ୍ଦ୍ର ଗ୍ରହଣ।
ଶାସ୍ତ୍ର ମତରେ ଅକ୍ଟୋବର ୨୫ ଅମାବାସ୍ୟାରେ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟ ପରାଗ। ଆଉ ତା ଦିନକ ପୂର୍ବରୁ ଅର୍ଥାତ ଅକ୍ଟୋବର ୨୪ ତାରିଖ ଦିନ କାର୍ତ୍ତିକ ଚର୍ତୁଦଶୀ ସୋମବାର ପଡୁଥିବାରୁ ଅମାବାସ୍ୟା ପୂର୍ବ ଦିନ ହେବ ପୟାଶ୍ରାଦ୍ଧ , ଦୀପଦାନ, କାଳିପୂଜା କରାଯିବ। ତେଣୁ ଦୀପାବଳି ଏଥର ୨୪ ତାରିଖରେ ପାଳନ ହେବ ବୋଲି କହିଛନ୍ତି ଜ୍ୟୋର୍ତିବିଦ।
ସୋମବାର ଅର୍ଥାତ ଅକ୍ଟୋବର ୨୪ ଭୋର ୪.୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ। ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬.୨୬ ମିନିଟ। ସେପଟେ ନଭେମ୍ବର ୮ରେ ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି। ଏ ନେଇ ଦିନ ୨.୩୮ରେ ଗ୍ରହଣ ସ୍ପର୍ଶ, ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନୀତି ପରେ ଅନ୍ୟାନ୍ୟ ନୀତି ହେବ। ସକାଳ ୮. ୨୯ ମିନିଟରୁ ପାକ ତ୍ୟାଗ ,ଦେବନୀତି ନିଷେଧ।
ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି। ବୈଜ୍ଞାନିକ ମତରେ ପରାଗକୁ ଖାଲି ଆଖିରେ ଦେଖିବା ଅନୁଚିତ। ଅନ୍ୟପଟେ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରୀୟମରେ ହେବ ସ୍ୱତନ୍ତ୍ର ଆୟୋଜନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।