News18 Odia Digital
ପୁରୀ : ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହେବ।
ଗଜ ଉଦ୍ଧାରଣ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଠାକୁର ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ। ଶ୍ରୀ ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ।
ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।
MAGH PURNIMA: ସନ୍ତାନ ଓ ଧନ ପାଇଁ କରନ୍ତୁ ଏହି କାମ; ଖୁସି ସହ ଘରକୁ ଆସିବ ଶାନ୍ତିମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ସନ୍ଧ୍ୟା ଧୂପରେ ଠାକୁରଙ୍କୁ କ୍ଷିରୀ ଓ ଅମାଲୁ ଭୋଗ କରାଯିବ। ପୌରାଣିକ କଥା ବସ୍ତୁ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭକ୍ତର ଡାକ ଶୁଣି ମହାପ୍ରଭୁ କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ। ତେଣୁ ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜ ଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଆସୁଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।