News18 Odia Digital
ପୁରୀ: ପଶ୍ଚିମ ଓଡ଼ିଶା ବରଗଡ, ସମ୍ବଲପୁର ଆଦି ଅଞ୍ଚଳରୁ କିଛି ମହିଳା ଚାକିରିରୁ ଅବସରରେ ପରେ ଏବେ ପୁରୀରେ କାର୍ତ୍ତିକ ବ୍ରତ କରି ମହାପ୍ରଭୁଙ୍କୁ ସମର୍ପଣ କରି ତାଙ୍କ ଶରଣରେ ଅଛନ୍ତି। ଏଭଳି ଜଣେ ମହିଳା ହେଲେ ବରଗଡର ଅବସରପ୍ରାପ୍ତ କୋ ଅପରେଟିଭ ବ୍ୟାଙ୍କ କ୍ଲର୍କ ୬୨ ବର୍ଷୀୟା ସଂଯୁକ୍ତା ପାଣିଗ୍ରାହୀ।
ସ୍ୱାମୀଙ୍କ ମୃତ୍ୟ ପରେ କେବଳ ଜଗନ୍ନାଥଙ୍କୁ ସାହା। ଆଉ ତାଙ୍କରି ପାଇଁ ଧାଇଁ ଆସିଛି ଶ୍ରୀକ୍ଷେତ୍ର ବ୍ରତ କରିବା ପାଇଁ। ସେପଟେ ଆଉ ଜଣେ ହେଲେ ଗୃହିଣୀ ଦୁଇ ଭଉଣୀ। ପରିବାର ଜଞ୍ଜାଳ ଭୁଲି ଧର୍ମ ମାସ କାର୍ତ୍ତିକ ବ୍ରତ କରିବା ପାଇଁ ପୁରୀରେ ଅଛନ୍ତି।
ସ୍ୱାମୀ ଓ ପୁଅ ସବୁ ଚାକିରିଆ ହେଲେ ବର୍ଷ ତମାମ ଜଗନ୍ନାଥଙ୍କୁ ଆରାଧନା କରୁଥିବା ବେଳେ ଏଥର କିନ୍ତୁ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ବ୍ରତ କରିବା ପାଇଁ ଦୁଇ ଭଉଣୀ ଗଞ୍ଜାମରୁ ଆସି ପ୍ରଶାସନ ଶିବିରରେ ନୁହେଁ ମଠରେ ରହି କରୁଛନ୍ତି ପ୍ରଥମ କରି କାର୍ତ୍ତିକ ବ୍ରତ।
ଆଉ ଦିଗପହଣ୍ଡିରୁ କାର୍ତ୍ତିକ ବ୍ରତ କରିବା ପାଇଁ ପ୍ରଥମ ଥର ଆସିଛନ୍ତି ୫ ଭଉଣୀ। କାର୍ତ୍ତିକ ମାସରେ ୫ ଭଉଣୀ ଅଲଗା ଅଲଗା ରହି ହବିଷ କରୁଥିଲେ ସୁଦ୍ଧା ଚଳିତ ବର୍ଷ ପୁରୀରେ ରହି ହବିଷ ବ୍ରତ କରିବା ପାଇଁ ମନସ୍ଥ କରି ବ୍ରତ କରିଛନ୍ତି। ଆଉ ଏହା କେବଳ ଜଗନ୍ନାଥଙ୍କ କୃପାରୁ ସମ୍ଭବ ହୋଇଛି। ତେବେ ହବିଷ ବା କାର୍ତ୍ତିକ ବ୍ରତ କରିବା ପାଇଁ କୌଣସି ବୟସ ନ ଥାଏ। ନିଜ ମନ ପ୍ରାଣ କେବଳ ଜଗନ୍ନାଥଙ୍କୁ ସମର୍ପଣ କରି ନିଷ୍ଠାର ସହ ପାଳନ କରି ଶ୍ରୀକ୍ଷେତ୍ରରେ ବ୍ରତ କଲେ ମହାପୁଣ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ବୋଲି କହିଛନ୍ତି ସେମାନେ।
ଆରମ୍ଭ ହୋଇ ସାରିଛି ଧର୍ମର ମାସ କାର୍ତ୍ତିକ ମାସ। ଆଉ ଶ୍ରୀକ୍ଷେତ୍ରରେ ଏବେ ହବିଷ୍ୟାଳିଙ୍କ ଭିଡ଼। କେଉଁଠି ପ୍ରଶାସନର ନିଶୁଳ୍କ ଶିବିର ତ କେଉଁଠି ପୁଣି ପୂର୍ବ ପରମ୍ପରା ଆଧାରରେ ମଠରେ ବି ହବିଷ୍ୟାଳିଙ୍କ ଭିଡ। ଆଉ ଏସବୁ ଭିତରେ କିଛି ନିଆରା ହବିଷ୍ୟାଳି ଯେଉଁମାନେ ମହାପ୍ରଭୁଙ୍କ ପ୍ରତି ଆକର୍ଷିତ ହୋଇ ଶ୍ରକ୍ଷେତ୍ରକୁ ସୁଦୂର ବରଗଡ ବରପାଲିରୁ ଧାଇଁ ଆସିଛନ୍ତି କାର୍ତ୍ତିକ ବ୍ରତ କରିବା ପାଇଁ। ବରଗଡର ଅବସରପ୍ରାପ୍ତ କୋ ଅପରେଟିଭ ବ୍ୟାଙ୍କ କ୍ଲର୍କ ୬୨ ବର୍ଷୀୟା ସଂଯୁକ୍ତା ପାଣିଗ୍ରାହୀ। ୨୦୦୬ରେ ସ୍ୱାମୀଙ୍କ ମୃତ୍ୟ ପରେ ଆଉ ଘରେ କେହିନାହାଁନ୍ତି। ଦୁଇ ବର୍ଷ ହେବ ଚାକିରିରୁ ଅବସର ନେବା ପରେ କରୋନା ଯୋଗୁଁ କାର୍ତ୍ତିକ ବ୍ରତ କରିବା ପାଇଁ ପୁରୀ ଆସିପାରିନଥିଲେ। ଆଉ ଏଥର ଶ୍ରୀକ୍ଷେତ୍ର ଆସି ମଣିରାମ ମଠରେ ରହି କାର୍ତ୍ତିକ ବ୍ରତ କରୁଛନ୍ତି। ନିଜର ଆଉ କେହି ନଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ସବୁ କିଛି ଭାବି ବୟସ୍କ ହବିଷ୍ୟାଳିଙ୍କ ପାଖରେ ନିଜ ପରିବାର ଭାବେ ରହି ନିୟମ ନିଷ୍ଠାରେ କରୁଛନ୍ତି କାର୍ତ୍ତିକ ବ୍ରତ କରୁଛନ୍ତି। ଗତକାଲି ସଂକଳ୍ପ କରି ବ୍ରତ ଆରମ୍ଭ କରିବା ପରେ ପଞ୍ଚତୀର୍ଥରେ ସ୍ନାନ ଓ ତୁଳସୀ ଚଉରା ପୂଜା ପରେ ଦିନକୁ ଥରେ ମହାପ୍ରସାଦ ଖାଇ ବ୍ରତ କରୁଛନ୍ତି। ଧର୍ମର ମାସରେ ସଂସାରର ମୋହମାୟା ଛାଡ଼ି କେବଳ ମହାପ୍ରଭୁଙ୍କ ଆରାଧନା କରୁଛନ୍ତି। ତେଣୁ ସୁଦୁର ବଗଡରରେ ରହିଲେ ବି ମହାପ୍ରଭୁଙ୍କ କ୍ଷେତ୍ରରେ ରହି ଦର୍ଶନ କରି ପ୍ରସାଦ ପାଇଁ ମହୋଦଧିରେ ସ୍ନାନ କରି ଅନ୍ୟ ହବିଷ୍ୟାଳି ମା'ମାନଙ୍କ ସହ ରହି ନିଜକୁ ଭୁଲି ଯାଆନ୍ତି ସେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।