ଆସୁଛି ଗଣପର୍ବ ନୂଆଖାଇ; ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ଧାର୍ଯ୍ୟ ହେଲା ସମୟ
- News18 Odia
- Last Updated :
- Other, India
News 18 Odia Digital
ସମ୍ୱଲପୁର; ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସମ୍ବଲପୁରର ଇଷ୍ଟଦେବୀ ମାଆ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ପାଇଁ ଲଗ୍ନ ନିରୁପଣ ହୋଇଛି । ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ଦିବା ୧୦ଟା୫୬ ମିନିଟରୁ ୧୧ଟା୧୦ ମିନିଟ ମଧ୍ୟରେ ମାଆ ସମଲେଶ୍ଵରୀଙ୍କ ଠାରେ ନବାନ୍ନ ଲାଗି ହେବ । ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମଣ୍ଡଳୀ ବୈଠକରେ ଏହି ଲଗ୍ନ ନିର୍ଣ୍ଣୟ ହୋଇଛି । ପ୍ରତି ବର୍ଷ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡର ଆହ୍ବାନ କ୍ରମେ ବ୍ରହ୍ମପୁରା ମନ୍ଦିର ଝାଡୁଆପଡାରେ ପଣ୍ଡିତମାନେ ବିଜ୍ଞ ବ୍ୟକ୍ତିଙ୍କ ଉପସ୍ଥିତିରେ ମାଆ ସମଲେଶ୍ବରୀଙ୍କ ନୂଆଖାଇ ଲଗ୍ନ ନିରୁପଣ ହୋଇଥାଏ ।

ଇଷ୍ଟଦେବୀ ମାଆ ସମଲେଶ୍ବରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆ ଖାଇବେ ସମ୍ୱଲପୁରବାସୀ । ଏଥି ପାଇଁ ସରିଛି ଲଗ୍ନ ନିରୁପଣ । ପ୍ରତି ବର୍ଷ ନନ୍ଦ ଉତ୍ସବ ଦିନ ମାଆ ସମଲେଶ୍ବରୀଙ୍କ ନୂଆଖାଇ ଲଗ୍ନ ନିରୁପଣ କରାଯାଇଥାଏ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ନନ୍ଦ ଉତ୍ସବ ଦିନ ଲଗ୍ନ ନିରୁପଣ କରାଯାଇଥିଲା । ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ଆୟୋଜିକ ବୈଠକରେ ପଣ୍ଡିତ ମହାସଭା ସଦସ୍ୟ ମାନେ ଯୋଗ ଦେଇଥିଲେ । ଏହି ବୈଠକରେ ପଣ୍ଡିତ ମାନେ ମାଆ ସମଲେଶ୍ବରୀଙ୍କ ଠାରେ ନବାର୍ଣ୍ଣ ଲାଗି ପାଇଁ ଗଣନ ଆରମ୍ଭ କରିଥିଲେ । ମାଆ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି କେଉଁ ସମୟରେ ମାଆଙ୍କ ଠାରେ ନବାର୍ଣ୍ଣ ଲାଗିହେବ ସେଥି ପାଇଁ ଲଗ୍ନ ନିରୁପଣ କରିଥିଲେ । ମାଆ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ମାଆଙ୍କ ରାଶି ନକ୍ଷତ୍ର ଗଣନା କରାଯାଇ ସମୟ ନିର୍ଦ୍ଧାରଣ କରାଯାଏ ବୋଲି ଶ୍ରୀ ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭାର ସଭାପତି ଲକ୍ଷ୍ମଣ କୁମାର ବେହେରା କହିଛନ୍ତି । ’’ ଲଗ୍ନ ନିରୁପଣ ହେବା ପରେ ବ୍ରହ୍ମପୁରା ମନ୍ଦିର କମିଟି ତରଫରୁ ପଣ୍ଡିତମାନଙ୍କ ଏକ ପ୍ରତିନିଧି ମଣ୍ଡଳି ଯାଇ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଲଗ୍ନ ପତ୍ର ପ୍ରଦାନ କରିଥିଲେ । ନବାନ୍ନ ଲଗ୍ନ ପତ୍ର ପାଇବା ପରେ ମା ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଲଗ୍ନ ପତ୍ରଟିକୁ ମାଙ୍କ ଠାରେ ଲାଗି କରିବା ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।