News18 Odia Digital
Birth Anniversary Of Kuntala Kumari: ଆଜି କୁ୍ନ୍ତଳା କୁମାରୀ ସାବତ(Kuntala Kumari Sabat)ଙ୍କ ଜନ୍ମ ଜୟନ୍ତୀ । ସେ ଏକାଧାରରେ ଥିଲେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ । ସେ ଥିଲେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା, ଔପନ୍ୟାସିକା, କବୟିତ୍ରୀ ଓ ସମ୍ପାଦିକା ।
୧୯୦୧ ମସିହା ଫେବୃଆରୀ ୮ ତାରିଖରେ ଜଗଦଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ବର୍ମାର ଅଣ ଓଡ଼ିଆ ପରିବେଶରେ ତାଙ୍କର ଶୈଶବ ଓ କୈଶର କଟିଥିଲା । ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେଶାରେ ଡାକ୍ତର ଥିଲେ । ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା। ତାଙ୍କ ପିତାମହ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ । କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ ।
ବର୍ମାରୁ ଫେରିବା ପରେ କୁନ୍ତଳା ନିଜ ମାତାଙ୍କ ସହ କିଛି ଦିନ ନିମନ୍ତେ ଖୋର୍ଦ୍ଧାରେ ରହୁଥିଲେ । ସେ ରେଭେନସା ବାଳିକା ବିଦ୍ୟାଳୟରେ ଶିକ୍ଷା ଲାଭ କଲା ପରେ କଟକ ଡାକ୍ତରୀ ବିଦ୍ୟାଳୟରେ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ବିଦ୍ୟାଳୟ) ଡାକ୍ତରୀ ଶିକ୍ଷା ଗ୍ରହଣ କରି ୧୯୨୧ ମସିହାରେ ସ୍ୱର୍ଣ୍ଣ ପଦକ ସହ ଏଲ୍.ଏମ୍.ପି. ଡିଗ୍ରୀ ପାଇ ଉତ୍ତୀର୍ଣ୍ଣ ହେଲେ । ସେ ଯୁଗରେ ନାରୀ ଶିକ୍ଷା ଆଦୌ ନ ଥିଲା ।
ଡ. କୈଳାସ ଚନ୍ଦ୍ରଙ୍କୁ ପ୍ରେମ କରି ବିବାହ କରିବା ନିମନ୍ତେ ବ୍ରାହ୍ମ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ ବିବାହ କରି ପାରି ନ ଥିଲେ । ତା ପରେ ସେ ଆର୍ଯ୍ୟ ଧର୍ମ ଗ୍ରହଣ କରି ବ୍ରହ୍ମଚାରୀ କୃଷ୍ଣ ପ୍ରସାଦ ଦାସଙ୍କୁ ୮ ଅଗଷ୍ଟ ୧୯୨୮ ମସିହାରେ ବିବାହ କରିଥିଲେ । ସେ ଦୁଇ ପୁତ୍ର ଓ ଦୁଇ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଅନେକ କାଳଜୟୀ କବିତା ଲେଖିଥିଲେ । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ ।
ତତ୍କାଳୀନ ସମାଜରେ ପୂରି ରହିଥିବା ଅନ୍ଧବିଶ୍ବାସ, କୁସଂସ୍କାର ବିଶେଷତଃ ନାରୀ ଜୀବନର ବିବିଧ ସମସ୍ୟାକୁ ଦୂରେଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନର ପରିକଳ୍ପନା କରିଥିଲେ କୁନ୍ତଳା କୁମାରୀ ସାବତ। ୧୯୩୭ରେ ଏକ ପୁତ୍ର ସନ୍ତାନ ଜନ୍ମଦେବା ପରେପରେ ସେ ଚିରଦିନ ପାଇଁ ଆଖି ବୁଜିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।