News 18 Odia Digital
ସମ୍ବଲପୁର : ଦୀର୍ଘ ଦୁଇ ବର୍ଷ ପରେ ବିନା କଟକଣାରେ ପାଳନ କରାଯିବ ଗଣପର୍ବ ନୂଆ ଖାଇ। ରାତି ପାହିଲେ ଗଣ ପର୍ବ ନୂଆ ଖାଇ। ଏଥି ପାଇଁ ମା' ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାରରେ ପ୍ରସ୍ତୁତି। ମନ୍ଦିରକୁ ନୂଆ ଭାବେ ରଙ୍ଗ କରାଯାଇଥିବା ବେଳେ ପାର୍ଶ୍ବ ଦେବାଦେବୀଙ୍କୁ ମଧ୍ୟ ନୂଆ ରଙ୍ଗ ଦିଆଯାଇଛି। ଏଥି ସହ ମନ୍ଦିରକୁ ଭଲ ଭାବରେ ସଫା ସୁତୁରା କରାଯାଉଛି।

ନୂଆ ଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ପର୍ବ। ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟକୁ ନିଜ ନିଜର ଅଧିଷ୍ଟାତ୍ରୀ ଦେବାଦେବୀଙ୍କୁ ଅର୍ପଣ କରି ବର୍ଷ ତମାମ ପେଟ ପୁରା ଅନ୍ନ ମୁଠାକ ପାଇଁ ପ୍ରାର୍ଥନା କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିବା ହେଉଛି ନୂଆଖାଇର ପରମ୍ପରା।
ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖ ତାରିଖ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମି ତିଥି ଦିନ ୧୦.୫୬ ମିନିଟ ରୁ ୧୧.୧୦ ମିନିଟ ମଧ୍ୟରେ ମା' ସମଲେଶ୍ବରୀଙ୍କ ପୀଠରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି। ଏହି ଦିନ ଭୋର ୪ଟାରୁ ମନ୍ଦିରର ପୂଜକମାନେ ପ୍ରଥମେ ନିଜେ ସୁଦ୍ଧ ହୋଇ ମାଙ୍କୁ ନୂଆ ପାଟବସ୍ତ୍ର ପରିଧାନ କରାଇ ବିଶେଷ ରୀତିନୀତିରେ ପୂଜା କରିବା ସହ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି କରାଇବେ। ପରମ୍ପରା ଅନୁଯାୟୀ ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହେଲା ପରେ ହିଁ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ପାଖରେ ନବାନ୍ନ ଲାଗି ଲଗା ଯାଇଥାଏ ଓ ପରେ ସମସ୍ତେ ନୂଆ ଖାଇଥାନ୍ତି।
ନୂଆ ଖାଇବା ପରେ ସାନକୁ ଆଦର ଓ ବଡକୁ ସମ୍ମାନ ସ୍ବରୁପ ଜୁହାର ଭେଟଘାଟ ଅନୁଷ୍ଠିତ ହୁଏ। ଏହା ପରେ ସମ୍ବଲପୁର ସହର ଓ ଆଖପାଖର ବାସିନ୍ଦାମାନେ ମା ସମଲେଶ୍ବରୀଙ୍କୁ ଦର୍ଶନ କରି ବର୍ଷକ ପାଇଁ କୁଶଳ ମାନସିବାର ପରମ୍ପରା ମଧ୍ୟ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।