News 18 Odia Digital
ବ୍ରହ୍ମପୁର; ଦୁଇ ବର୍ଷର କରୋନା କଟକଣା ପରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ସେହିପରି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରେ ମଧ୍ୟ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ପବିତ୍ର ମୂଳାଷ୍ଟମି ଠାରୁ ମାଆ ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ପରମ୍ପରା ରହିଆସିଛି ।

ଶନିବାର ସନ୍ଧ୍ୟାରେ ଋଷିକୂଲ୍ୟା ନଦୀରୁ ମନ୍ଦିର ସେବାୟତ ପରିବାରର ମହିଳା ମାନେ ୧୦୮ ମାଠିଆରେ ପାଣି ଧରି ପାହାଚ ଚଢ଼ି ମନ୍ଦିରରେ ପହଞ୍ଚିବା ପରେ ମାଆଙ୍କୁ ସେବାୟତ ମାନଙ୍କ ଦ୍ୱାରା ସ୍ନାନ କରାଯାଇଥିଲା । ଏହାପରେ ମାଆଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ଭକ୍ତ ମାନଙ୍କୁ ମାଆଙ୍କୁ ଦର୍ଶନ ଦେଇଥିଲେ । ମାଆଙ୍କ ସ୍ନାନ ଦେଖିବା ସହ ଷୋଡ଼ଶ ଉପଚାର ପୂଜା ଦେଖି ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ରାଜ୍ୟରେ ରହିଥିବା ପ୍ରମୁଖ ଶକ୍ତିପୀଠରୁ ଅନ୍ୟତମ ହେଉଛି ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀଙ୍କ ପୀଠ । ମାଆ ତାରାତାରିଣୀଙ୍କ ପୀଠରେ ଶନିବାର ସଂଧ୍ୟାରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ପୂଜାର ପ୍ରଥମ ଦିନରେ ଶନିବାର ସନ୍ଧ୍ୟାରେ ମନ୍ଦିରର ସେବାୟତ ଓ ସେବାୟତଙ୍କ ପରିବାରର ମହିଳା ମାନେ ଋଷିକୂଲ୍ୟା ନଦୀ ନିକଟରେ ପହଞ୍ଚିଥିଲେ । ସେଠାରେ ଋଷିକୂଲ୍ୟା ନଦୀକୁ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା ।
‘‘ନଦୀ ନିକଟରେ ପୂଜା ସରିବା ପରେ ମହିଳା ମାନେ ମୁଣ୍ଡରେ ମାଠିଆ ଧରି ୯୯୯ ପାହାଚ ଚଢ଼ି ମାଆଙ୍କ ମନ୍ଦିରରେ ପହଞ୍ଚିଥିଲେ । ଏହାପରେ ମାଆଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ମନ୍ଦିର ପରିସରରେ ରହିଥିବା ସ୍ନାନ ମଣ୍ଡପକୁ ମାଆଙ୍କୁ ଅଣାଯାଇଥିଲା । ସେଠାରେ ମାଆଙ୍କୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରିବା ପରେ ସ୍ନାନ କରାଯାଇଥିଲା । ଏହାପରେ ପୁଣିଥରେ ସ୍ନାନ ମଣ୍ଡପରୁ ମାଆଙ୍କୁ ମୁଖ୍ୟ ମନ୍ଦିରକୁ ନିଆଯାଇଥିଲା । ଆଜି ମାଁଙ୍କ ଉତଥାପନା ହୋଇଛି । ଏଣୁ ମାଆଙ୍କ ଏଭଳି ଷୋଡ଼ଶ ଉପଚାର ପୂଜାରେ ନିଜକୁ ସାମିଲ କରି ନଦୀ ପାଣି ମଣ୍ଡରେ ଧରି ମାଙ୍କୁ ଜଳଲାଗି କରିଥିବା ଯୋଗୁଁ ବେଶ ଖୁସି କହିଛନ୍ତି,‘‘ ସେବାୟତ ପରିବାରର ମହିଳା ଅନୀତା ରଣା ।
‘‘ଶନିବାର ସଂକ୍ରାନ୍ତି ରହିଥିବା ବେଳେ ମାଆଙ୍କ ଷୋଡ଼ଶ ଉପଚାର ପୂଜା ମଧ୍ୟ ହୋଇଥିଲା । ଯାହାଫଳରେ ମନ୍ଦିରରେ ଲାଗିଥିଲା ଭକ୍ତ ମାନଙ୍କର ପ୍ରବଳ ଭିଡ଼ । ମା'ଙ୍କ ସ୍ନାନ ଦେଖିବା ସହ ମାଆଙ୍କୁ ଦର୍ଶନ କରି ବେଶ ଖୁସି ଥିବା କହିଛନ୍ତି,‘‘ ଭକ୍ତ ସ୍ବୟଂପ୍ରଭା ସାହୁ । ‘‘ମାଆଙ୍କ ସ୍ନାନ ମଣ୍ଡପରେ ସ୍ନାନ କରାଯିବା ପରେ ମନ୍ଦିର ଭିତରେ ପୁଣିଥରେ ମହାସ୍ନାନ କରାଯାଇଥିଲା । ଏହାପରେ ପୂଜାର ପ୍ରଥମ ଦିନରେ ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ମୂଳାଷ୍ଟମି ଠାରୁ ମହାଷ୍ଟମି ପର୍ଯ୍ୟନ୍ତ ମାଆ ତାରାତାରିଣୀଙ୍କ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଷୋଡ଼ଶ ଉପଚାର ପୂଜା ସମୟରେ ମାଆଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ ବୋଲି ଭକ୍ତମାନଙ୍କର ଯେଉଁ ଅଗାଢ ବିଶ୍ୱାସ ରହିଛି ତାହାକୁ ମାଆ ପୂରଣ କରିଥାନ୍ତି ବୋଲି କହିଛନ୍ତି,‘‘ ଶ୍ରୀଅଙ୍ଗ ଲାଗି ସେବାୟତ ବାପୁଜୀ ରଣା ।
‘‘ଷୋଡଶ ଉପଚାର ପୂଜା ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ ମାଆଙ୍କୁ ଦର୍ଶନ କରିବା ନିମନ୍ତେ ବର୍ତ୍ତମାନ ଭକ୍ତଙ୍କ ଭିଡ ଲାଗିବ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହିତ ଶାନ୍ତିଶୃଙ୍ଖଳା ଦର୍ଶନ ନିମନ୍ତେ କିଛି ପୋଲିସ ମଧ୍ୟ ମନ୍ଦିର ପରିସରରେ ମୁତୟନ ହୋଇଛନ୍ତି । ସମସ୍ତ ବିଭାଗର ସହଯୋଗରେ ପୂଜା ଶେଷ ହେବ ବୋଲି ଆଶା ରଖାଯାଇଥିବା କହିଛନ୍ତି,‘‘ ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ ।
ପବିତ୍ର ମୁଳାଷ୍ଟମିଠାରୁ ମହାଷ୍ଚମି ପର୍ଯ୍ୟନ୍ତ ମାଆ ତାରାତାରିଣୀଙ୍କ ପୀଠରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ପୂଜା । କରୋନା କଟକଣା ହଟିଥିବା ଯୋଗୁଁ ଚଳିତ ବର୍ଷ ମାଆଙ୍କୁ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ଆଶା ରଖାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।