News18 Odia Digital
ଭୁବନେଶ୍ବର: ଷ୍ଟାର ଦମ୍ପତି ବର୍ଷା-ଅନୁଭବ ବିବାଦରେ ଏଥର ଏକ ନୂଆ କଥା ସାମ୍ନାକୁ ଆସିଛି। ଅନୁଭବଙ୍କ ଘରେ ରହୁଥିବା ତାଙ୍କର ଜଣେ ସହଯୋଗୀ ସୁଜିତ ଦଳେଇଙ୍କୁ ଜାତିଆଣ ଆକ୍ଷେପ କରିବା ମାମଲାରେ ବର୍ଷାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ସୁଜିତଙ୍କ ପିଟିସନକୁ ଗ୍ରହଣ କରି ଦିଲ୍ଲୀ ପୋଲିସ ବର୍ଷାଙ୍କୁ ନୋଟିସ ଜାରି କରିଥିବା ବେଳେ ଓ ଜାତୀୟ ଅନୁସୂଚିତ ଜାତି କମିଶନ ମାମଲା ତଦନ୍ତ ପାଇଁ କଟକ ଜିଲ୍ଲାପାଳ ଓ କଟକ ଡିସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବର୍ଷା।
ଦିଲ୍ଲୀ ପୋଲିସ ଜାରି କରିଥିବା ନୋଟିସରେ ବର୍ଷାଙ୍କ ସହ ତାଙ୍କ ମା' ଓ ଝିଆରୀଙ୍କ ନାଁ ମଧ୍ୟ ଉଲ୍ଲେଖ ରହିଛି। ଏହି ତିନି ଜଣଙ୍କୁ ଦିଲ୍ଲୀ ଆସି ପୋଲିସ ସମ୍ମୁଖରେ ନିଜର ବୟାନ ରେକର୍ଡ କରାଇବା ପାଇଁ ନୋଟିସରେ ଉଲ୍ଲେଖ କରିଛି ଦିଲ୍ଲୀ ପୋଲିସ।
ଦିଲ୍ଲୀ ପୋଲିସ କଟକ ଆସି ପୁରୀଘାଟ ଥାନା ଜରିଆରେ ବର୍ଷାଙ୍କୁ ଏହି ନୋଟିସ ଦେଇଛି। ସେପଟେ ଦିଲ୍ଲୀ ପୋଲିସ ପକ୍ଷରୁ ଜାରି ହୋଇଥିବା ଏହି ନୋଟିସ ପାଇବା ପରେ ବର୍ଷା, ତାଙ୍କ ମା' ଓ ଝିଆରୀ ତିନିଜଣ ଯାକ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।
ଏହା ବ୍ୟତୀତ ସୁଜିତ ଦଳେଇ ଲିଖିତ ଅଭିଯୋଗ ପରେ ଦିଲ୍ଲୀ ସ୍ଥିତ ଜାତୀୟ ଅନୁସୂଚିତ ଜାତି କମିଶନ ମଧ୍ୟ ଏଥିରେ ହସ୍ତକ୍ଷେପ କରିଛନ୍ତି। ୧୫ ଦିନ ମଧ୍ୟରେ ମାମଲାର ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ କଟକ ଜିଲ୍ଲାପାଳ ଓ କଟକ ଡିସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏପରି ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ରିପୋର୍ଟ ନ ଦେଲେ ଉଭୟ ଅଧିକାରୀଙ୍କୁ କମିଶନଙ୍କ ନିକଟରେ ବ୍ୟକ୍ତିଗତ ହାଜର ହେବା ପାଇଁ କମିଶନ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି କଟକ ଜିଲ୍ଲାପାଳ ଓ କଟକ ଡିସପି ଜାତୀୟ ଅନୁସୂଚିତ ଜାତି କମିଶନ ଜାରି କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି।
ଅଭିଯୋଗ ମୁତାବକ ଅନୁଭବଙ୍କ ସହଯୋଗୀ ଭାବେ କାର୍ଯ୍ୟ କରି ଆସୁଥିବା ସୁଜିତଙ୍କୁ ପ୍ରତି ବର୍ଷା ଦୁଇ ଦୁଇ ଥର ଜାତିଆଣ ଆକ୍ଷେପ କରିଥିଲେ। ପ୍ରଥମ ଘଟଣାଟି କଟକ ନନ୍ଦି ସାହି ସ୍ଥିତ ବାସଭବନରେ ଘଟିଥିବା ବେଳେ ଦ୍ବିତୀୟ ଘଟଣାଟି ଅନୁଭବଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ହୋଇଥିଲା।
୨୦୨୦ ସେପ୍ଟେମ୍ବର ମାସ ୭ ତାରିଖ ଦିନ ବର୍ଷା ତାଙ୍କୁ ଜାତିଗତ ଆକ୍ଷେପ କରି ଗାଳି ଗୁଲଜ କରିଥିବା ନେଇ ସୁଜିତ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। କିନ୍ତୁ ଏହି ଏତଲା ସମ୍ପର୍କରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ଦିଲ୍ଲୀ ସ୍ଥିତ ଜାତିୟ ଅନୁସୂଚିତ ଜାତି କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ସେହିପରି ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ରହଣୀ ସମୟରେ ବର୍ଷା, ତାଙ୍କ ମା' ଓ ଝିଆରି ସୁଜିତଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଦୁବ୍ୟବହାର ପ୍ରଦର୍ଶନ କରିଥିବା ନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।