News18 Odia Digital
ଭୁବନେଶ୍ବର: ଓଡ଼ିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଶୁକ୍ରବାର ରିଲିଜ ହୋଇଯାଇଛି। ଯାହାକୁ ଦେଖିବାକୁ ସବୁ ପ୍ରେକ୍ଷାଳୟରେ ଭିଡ ପରିଲକ୍ଷିତ ହୋଇଥିଲା।
ବହୁଦିନ ପରେ ଅଭିନେତା ବାବୁସାନ କମେଡି, ରୋମାଣ୍ଟିକ ଓ ଆକ୍ସନ ଛାଡ଼ି ବାସ୍ତବବାଦୀ ଅଭିନୟ କରିଛନ୍ତି ଚଳଚ୍ଚିତ୍ ‘ଦମନ’ରେ। କରୋନା କାରଣରୁ ଦୁଇ ବର୍ଷ ହେଲା ବଡ଼ ବଜେଟ୍ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା। ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଛି। ‘ବିଦ୍ୟାରାଣ’ ପରେ ବିଗ୍ ବଜେଟ୍ ଫିଲ୍ମ ହେଉଛି ‘ଦମନ’।
ଚଳଚ୍ଚିତ୍ରରେ ବାବୁସାନଙ୍କ ସହ ଅଛନ୍ତି ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ଚଳଚ୍ଚିତ୍ର ‘ଦମନ’ରେ।

ବାବୁସାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦମନ’କୁ ଦେଖିବାକୁ ଆଶାତୀତ ଭିଡ଼
ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ଦେଖିବାକୁ ମିଳିବ ଚଳଚ୍ଚିତ୍ରରେ।
ବଡ଼ ବଜେଟ୍ର ଏହି ଫିଲ୍ମରେ ବାବୁସାନଙ୍କ ଅଲଗା ଅବତାର ଦେଖିବାକୁ ମିଳିଛି। ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା। ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ। ଯୁବ ନିର୍ଦ୍ଦେଶକ ଦ୍ବୟ ଆଗରୁ ‘ଵିଜୁ ବାବୁ’ ଚଳଚ୍ଚିତ୍ର ମାଧ୍ୟମରେ ଅନେକ ପ୍ରଶଂସା ସାଇଁଟି ସାରିଛନ୍ତି।
ଜେପି ୱାର୍ଲଡ୍ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର। ବାସ୍ତବ କାହାଣୀ ଓ ପରିଚିତ ଷ୍ଟାରଙ୍କୁ ନେଇ ନିର୍ମିତ ‘ଦମନ’ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ। ଜେଠୀ କହିଛନ୍ତି ଯେ ଏ ଫିଲ୍ମଟିଟି ଟିଭିରେ ନୁହେଁ, ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ। ଆମ ଦୈନନ୍ଦିନ ଜୀବନରେ ଘଟୁଥିବା କାହାଣୀକୁ ନେଇ ନିର୍ମାଣ ହୋଇଥିବା 'ଦମନ' ଚଳଚ୍ଚିତ୍ର ଖୁବ୍ ସଫଳତା ଆଣିବା ସହିତ ଏହି ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଦର୍ଶକ ଆଗକୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ହେବେ ବୋଲି ସମ୍ପୂର୍ଣ୍ଣ ଭରସା ଦେଇଛନ୍ତିl

ସିନେମାହଲରେ ନଜର ଆସିଲେ ବାବୁସାନ
ଚଳଚ୍ଚିତ୍ରର ସଙ୍ଗୀତ ଓ ସାଟେଲାଇଟ୍ ବିତରଣ ଦାୟିତ୍ବ ଆମର ମ୍ୟୁଜିକ ନେଇଛନ୍ତି। ଚଳଚ୍ଚିତ୍ର ‘ଦମନ’ ୪୩ଟି ପ୍ରେକ୍ଷାଳୟରେ ସାରା ଓଡ଼ିଶାରେ ମୁକ୍ତିଲାଭ କରଛି। ଭୁଵନେଶ୍ବରରେ ମହାରାଜା ପ୍ରେକ୍ଷାଳୟରେ ଓଡ଼ିଶାର ଅନେକ କଳାକାରମାନଙ୍କ ସହ ଅଭିନେତା ବାବୁସାନ, ମା' ଅପରାଜିତା ଓ ପତ୍ନୀ ତୃପ୍ତିଙ୍କ ସହ ଅଭିନେତା ଆକାଶ, କେକେ, ତନ୍ମୟ, ପାର୍ଥ, ଅଭିନେତ୍ରୀ ଅନୁ ଚୌଧୁରୀ, ଗୁନଗୁନ୍, ଗୁଡ୍ଡୀ ସମେତ ଅନେକ ଅଭିନେତା, ଅଭିନେତ୍ରୀ ଯୋଗ ଦେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।