News18 Odia Digital
ଆଜି ରୋମିଓ ବୟ ବାବୁସାନଙ୍କ ଜନ୍ମଦିନ। ଓଲିଉଡର ଭର୍ସାଟାଇଲ ଅଭିନେତା ବାବୁସାନଙ୍କ ଅଭିନୟ ଅନ୍ଦାଜ କିଛି ନିଆରା। କେବେ ଲଭ ମାଷ୍ଟର ସାଜି ସମସ୍ତଙ୍କୁ ବିଦ୍ୟାରାଣ ପକାଇ ସ୍ୱିଟ ହାର୍ଟ ହୋଇଯାଆନ୍ତି ତ କେବେ ସୁପର ମିଛୁଆ ହୋଇ ସମସ୍ତଙ୍କର ସ୍କୃ ଢିଲା କରନ୍ତି। ନିଜ ଅଭିନୟରେ ଦର୍ଶକଙ୍କୁ ମତୁଆଲା କରି ଇଡ଼ିଅଟ ସଜେଇ ଦିଅନ୍ତି। ଆଉ କୁହନ୍ତି ଭଲ ପାଏ ତମକୁ ୧୦୦ରୁ ୧୦୦। କେବଳ ସେତିକି ନୁହେଁ ଅଭିନେତାଙ୍କ ନଟଖଟ ଚରିତ୍ର ଫ୍ୟାନଙ୍କ ଆଗରେ ତାଙ୍କୁ ଡାହା ବାଳୁଙ୍ଗା ସଜେଇ ଦିଏ ତ କେବେ ସୁନ୍ଦରଗଡ଼ର ସଲମାନ ହୋଇ ସମସ୍ତଙ୍କ ହୃଦୟ ଜିଣି ପାରନ୍ତି ବାବୁସାନ।
ଅଜବ ସଞ୍ଜୁ ହୋଇ ଏମିତି ଗଜବ ଲଭ କରନ୍ତି ଯେ ଫିଲ୍ମ ପ୍ରେମୀଙ୍କ ମନ ଲଭ ଷ୍ଟେସନ ଛାଡ଼ି ଯିବାକୁ ମନ କରେନି। ବାବୁସାନଙ୍କ ଦୋସ୍ତି ପାଇଁ ଥୁକୁଲ ପକାଇବାକୁ ପସନ୍ଦ କରନ୍ତି ଦର୍ଶକ। କେବଳ ସେତିକି ନୁହେଁ ଏହି ଲୋକାଲ ଟୋକା ପାଇଁ ଦର୍ଶକ ବି କୁହନ୍ତି ଲଭ ପାଇଁ କୁଛ ଭି କରେଗା।
ଓଲିଉଡକୁ ରୋମାଣ୍ଟିକ, ଦୁଃଖ, ଆକ୍ସନ, କମେଡ଼ି ସିନେମା ଭେଟି ଦେଇଥିବା ବାବୁସାନ ଓରଫ ତନ୍ମୟ ମହାନ୍ତି ଆଜି ୩୪ବର୍ଷରେ ପାଦ ଦେଇଛନ୍ତି। ପ୍ରାୟ ୩୭ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବାବୁସାନ ଓଲଉଡ଼ ଜଗତର ବେଶ ଚର୍ଚ୍ଚିତ ଚେହେରା।
ସେ ପ୍ରଥମ ଫିଲ୍ମ ‘ରୋମିଓ ଦି ଲଭର ବୟ’ ଓଲିଉଡରେ ଏଣ୍ଟ୍ରି କରିଥିଲେ । ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଙ୍ଗୀୟ ସୁନ୍ଦରୀ ଝିଲ୍ଲିକ ସାଜିଥିଲେ ହିରୋଇନ।
‘ସିଷ୍ଟର ଶ୍ରୀଦେବୀ’ ଫିଲ୍ମରେ ବାବୁସାନଙ୍କ ନିଖୁଣ ଅଭିନୟକୁ ବେଶ ପ୍ରଂଶସା କରିଥିଲେ ସିନେ ପ୍ରେମୀ । ଝିଅ ରୋଲରେ ବାବୁସାନଙ୍କ ଅଭିନୟ ଥିଲା ନିଆରା । ଚକୋଲେଟ ହିରୋ ହୋଇଥିବାରୁ ସେ ସତରେ ମଧ୍ୟ ଝିଅଙ୍କଠାରୁ ଅଧିକ ସୁନ୍ଦର ଦେଖାଯାଉଥିଲେ ।
ଏହି ସଫଳତା ପରଠାରୁ ଆଉ ପଛକୁ ଚାହିଁ ନାହାଁନ୍ତି ବାବୁସାନ। ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ସେ ଓଡିଆ ସିନେ ପ୍ରେମୀଙ୍କୁ ଭେଟି ଦେଇଛନ୍ତି । ବାବୁସାନଙ୍କ କମେଡି ସିକ୍ୟୁଏନ୍ସ ସମସ୍ତଙ୍କ ମତୁଆଲ କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।