News18 Odia Digital
ଭୁବନେଶ୍ୱର: ଜୁଲାଇ ପହିଲାରେ ମୁକ୍ତିଲାଭ କରିବ ସମ୍ପୂର୍ଣ୍ଣ ମୌଳିକଧର୍ମୀ ଭିନ୍ନ ସ୍ଵାଦର ପାରିବାରିକ କାହାଣୀ ଉପରେ ପର୍ଯ୍ୟବସିତ ଦ୍ଵିଭାଷିକ ଚଳଚିତ୍ର ' ମାୟା ଦର୍ପଣ'। ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଏହି ଦ୍ୱିଭାଷିକ ଚଳଚ୍ଚିତ୍ର ମାୟା ଦର୍ପଣର ଅଡ଼ିଓ ସିଡି ଓ ପୋଷ୍ଟର ଉନ୍ମୋଚିତ ହୋଇଯାଇଛି।
ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ମହାକାଳ ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଛି । ମୁଖ୍ୟତଃ ମାଆ ଓ ପୁଅ ଭିତରେ ପାରିବାରିକ ସ୍ନେହ ଭାବନାକୁ ଏହି ସିନେମାରେ ଗୁରୁତ୍ୱ ଦିଆଯାଇଛି । ସମୟାନୁସାରେ ଲୋକଙ୍କ ମାନସିକତା ଓ ଚଳଣି ବଦଳିଯାଉଥିବା ବେଳେ ଏହା କିଭଳି ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କକୁ ପ୍ରଭାବିତ କରୁଛି ତାହା ଏହି ସିନେମାରେ କାହାଣୀ ଆକାରରେ ପରିବେଷିତ ହୋଇଛି ।
ସିନେମାର ପ୍ରଯୋଜନା ଦାୟିତ୍ୱରେ ଝରଣା ସାମଲ ଥିବା ବେଳେ କାହାଣୀ ଓ ଡ଼ାଇଲଗ ସହ ଗୀତ ଲେଖିଛନ୍ତି ରଞ୍ଜନ କୁମାର ଦାସ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଶୁକ୍ଳା । ସିନେମାଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରାଜୀବ ମହାନ୍ତି । ସିନେମାଟି ଆସନ୍ତା ଜୁଲାଇ ପହିଲାରୁ ଦେଶର ୫୦ଟି ସିନେମା ହଲରେ ମୁକ୍ତିଲାଭ କରିବ ।
ସଂପୂର୍ଣ୍ଣ ଗାଁର ପଟ୍ଟଭୂମିକୁ ନେଇ ଚଳଚିତ୍ରର କାହାଣୀଟିକି ଗତିଶୀଳ। ମହାକାଳ ପ୍ରଡକ୍ସନ ପ୍ରୋୟୋଜିତ ଚଳିଚ୍ଚିତ୍ର ମାୟା ଦର୍ପଣ ହିନ୍ଦି ଓ ଓଡିଆ ଭାଷାରେ ପ୍ରଦର୍ଶିତ ହେବ ବୋଲି ପ୍ରଯୋଜକ ଝରଣା ସାମଲ କହିଛନ୍ତି। ଉଭୟ ଭାଷାରେ ପ୍ରସ୍ତତ ସଂଗୀତକୁ ଲୋକାର୍ପଣ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ମହାନଗର ନିଗମ ମେୟର ଶ୍ରୀମତି ସୁଲୋଚନା ଦାସ, ସଂସ୍କତି ବିଭାଗ ସଚିବ ମଧୂସୁଦନ ପାଢୀ, ପୂର୍ବତନ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପ୍ରଯୋଜକ ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ, କର୍ପୋରେଟର ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାର୍ପଣ ଉତ୍ସବରେ ଫିଲ୍ମର କାର୍ଯ୍ୟକାରୀ ପ୍ରଯୋଜିକା ପ୍ରତିଭା ପଣ୍ଡା , ନିର୍ଦ୍ଦେଶକ ରାଜୀବ ମହାନ୍ତି, ସଂଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା, କଣ୍ଠଶିଳ୍ପୀ ଦିପ୍ତିରେଖା ପାଢି,, ସଂଗ୍ରାମ ମହାନ୍ତି ଯୋଗ ଦେଇଥିଲେ । ଉଭୟ ଓଡ଼ିଆ ଓ ହିନ୍ଦି ଭାଷାରେ ଚଳଚ୍ଚିତ୍ରର ସଂଗୀତ ପ୍ରସ୍ତୁତ ହୋଇଥିବା ବେଳେ ଗୀତ ଗୁଡିକ ଦର୍ଶକଙ୍କ ଦ୍ବାରା ଲୋକାଦୃତ ହୋଇପାରିବ ବୋଲି ଆଶାବାଦୀ। ଫିଲ୍ମର ସଙ୍ଗୀତ ଦର୍ଶକମାନଙ୍କ ଦ୍ବାରା ଆଦୃତ ହୋଇଥିବା ବେଳେ ଜୁଲାଇ ପହିଲାରେ ସାରା ଦେଶରେ ହିନ୍ଦି ଭାଷାରେ ଓ ଜୁଲାଇ ଶେଷ ସପ୍ତାହରେ ଓଡିଆ ଭାଷାରେ ଓଡିଶାର ବିଭିନ୍ନ ସହରର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଥିଲେ । ଚଳଚ୍ଚିତ୍ରର ହିନ୍ଦୀ ଭାଷାରେ ଭାଷାରେ ରୂପାନ୍ତର କରିଛନ୍ତି ଉଦୟନ ସୁପରକର।ବହୁ ଦିନ ପରେ ଓଡିଶାରୁ ଜଣେ ପ୍ରଯୋଜକ ଏଭଳି ଦ୍ବିଭାଷୀ ପ୍ରସ୍ତୁତ କରିବା ଏକ ଦୁଃସାହାସିକ ପଦକ୍ଷେପ ନିଶ୍ଚୟ । ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ପ୍ରତିଭା ପଣ୍ଡା, ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ରତନ ମେହେର, ଅନନ୍ତ ଦାସ, ମମତା, ସ୍ବାଗତିକା, ସଂଜିତା, ଚକ୍ରଧର, ଶିଶୁକଳାକାର ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ, ଶ୍ରେୟାନ୍ସ, ଦିବ୍ୟାଂଶୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।