News 18 Odia Digital
ଭୁବନେଶ୍ୱର; ସ୍ୱରାଜଙ୍କ ଅଭିନୟକୁ ଶିଶୁ କଳାକାର ସମୟରୁ ଆପଣ ପସନ୍ଦ କରିଛନ୍ତି । ଅଳ୍ପ କିଛି ବର୍ଷ ହେବ ବଡ଼ ପରଦାରେ ମୁଖ୍ୟ ନାୟକ ଭୂମିକାରେ ମଧ୍ୟ ସ୍ୱରାଜ ରାଜ୍ କରୁଛନ୍ତି । ତେବେ କେବଳ ଅଭିନୟ ନୁହେଁ ଏହା ସାଙ୍ଗକୁ ନିର୍ଦ୍ଦେଶନାର ଯାତ୍ରା ମଧ୍ୟ ଜାରି ରଖିଛନ୍ତି ଓଡ଼ିଶାର ଯୁବ ନାୟକ ସ୍ୱରାଜ ବାରିକ ।
ପୂର୍ବରୁ 'ମଞ୍ଜୁନାଥ' ଏବଂ 'ଫ୍ରସ୍ 2' ନାମରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ସଫଳ ହେବା ସହ ଅନେକ ପ୍ରଶଂସା ପାଇଛନ୍ତି ସ୍ୱରାଜ । ତେବେ କିଛିଦିନ ହେବ ଅନ୍ୟ ସିନେମା ସୁଟିଂ କାମରେ ବ୍ୟସ୍ତ ରହିଥିବାରୁ ସ୍ୱରାଜ ନିଜେ କୌଣସି ସିନେମାରେ ନିର୍ଦ୍ଦେଶନା ଦେଇପାରୁନଥିଲେ । ସ୍ୱରାଜ କୁହନ୍ତି, ମୁଁ ଯେଉଁ ସିନେମାରେ ନିର୍ଦ୍ଦେଶନା ଦିଏ ସେଥିରେ ଅଭିନୟ କରେନାହିଁ । ଆଉ ଯେଉଁ ସିନେମାରେ ଅଭିନୟ କରେ ସେଥିରେ ନିର୍ଦ୍ଦେଶନା ଦିଏ ନାହିଁ । ତେଣୁ ନିଜର ସୁଟିଂ ପରେ ଏବେ ପୁଣିଥରେ କ୍ଷୁଦ୍ର ଚଳଚ୍ଚିତ୍ର 'ଶୂନ୍ୟତା'ରେ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରାଜ । ଆସନ୍ତା ଶୁକ୍ରବାର ଅର୍ଥାତ ଜୁଲାଇ ୨୨ରେ କ୍ଷୁଦ୍ର ଚଳଚ୍ଚିତ୍ର 'ଶୂନ୍ୟତା' କୁହୁ ସିନେ ଫ୍ଲିକ୍ସ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହେବ ବୋଲି ସ୍ୱରାଜ ନ୍ୟୁଜ୍ ୧୮କୁ ସୂଚନା ଦେଇଛନ୍ତି ।
'କୁହୁ ସିନେ ଫ୍ଲିକ୍ସ' ଏବଂ 'SBF' (SWARAJ BARIK FILMS)ର ମିଳିତ ପ୍ରୟାସରେ ନିର୍ମାଣ ହୋଇଥିବା ସତ୍ୟ କାହାଣୀ ଭିତ୍ତିକ କ୍ଷୁଦ୍ର ଚଳଚ୍ଚିତ୍ର ଶୂନ୍ୟତାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶୁଭେନ୍ଦୁ କୁମାର ସାହୁ । କ୍ରିଏଟିଭ୍ ହେଡ ତାପସ ସରଘରିଆଙ୍କ କାର୍ଯ୍ୟ ସିନେମାକୁ ଜୀବନ୍ତ କରିବାରେ ସାହାର୍ଯ୍ୟ କରିଛି । ଏଥିସହ ସତ୍ୟମ ଏସଏସ ,ସରୋଜ କୁମାର, ରାଜେସ ଦାସ ସିନେମାଟିକୁ ସୁନ୍ଦର କରି ଗଢି ତୋଳିବାର ଦାୟିତ୍ୱରେ ଅଛନ୍ତି । ଉଭୟ ଓଡ଼ିଶା ଏବଂ ମୁମ୍ୱାଇର ଟେକନିସିଆନ ମାନେ ସିନେମାରେ କାମ କରିଛନ୍ତି ।
ନିଜ ସିନେମା ମାଧ୍ୟମରେ ସମାଜକୁ କିଛି ଭଲ ବାର୍ତ୍ତା ଦେବାପାଇଁ ସ୍ୱରାଜ ସବୁବେଳେ ପ୍ରୟାସ କରିଛନ୍ତି । ପୂର୍ବ ସିନେମା ଗୁଡ଼ିକରେ ମଧ୍ୟ ତାହା ଦେଖିବାକୁ ମିଳିଛି । ସେହିପରି ଏଥର ମଧ୍ୟ କିଛି ନୂଆ ରହିଛି । ଆଧୁନିକ ଜୀବନ ଶୈଳୀ କିପରି ଗୋଟେ ଛୋଟ ପରିବାରକୁ ପ୍ରଭାବିତ କରୁଛି ତାହା ଆପଣ ସିନେମାରେ ଦେଖିବାକୁ ପାଇବେ । ସିନେମାର ସ୍ପେଶାଲ ସ୍କିନିଂ ବାରିପଦା ସହୀଦ ସ୍ମୃତି ଭବନରେ ୨୨ ତାରିଖ ଦିନ ଅନୁଷ୍ଠିତ ହେବ । ସିନେମାଟି ଦର୍ଶକଙ୍କୁ ଭଲ ବାର୍ତ୍ତା ଦେବା ସହ ହୃଦୟକୁ ଛୁଇଁବ ବୋଲି ପୂରା ଟିମ୍ ଆଶା ରଖିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।