News18 Odia Digital
Pintu Nanda First Love: ଆଉ ନାହାନ୍ତି ଓଡ଼ିଆ ସିନେମାର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଫ୍ୟାନ୍ସଙ୍କଠୁ ନେଇ କଳାକାରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
ଏହି ଦୁଃଖଦ ସମୟରେ ଆସନ୍ତୁ ଜାଣିବା ପିଣ୍ଟୁଙ୍କର ପ୍ରଥମ ପ୍ରେମ କାହାଣୀ ବିଷୟରେ। ସେ ପିଲାବେଳେ ପ୍ରଥମେ କାହାକୁ ଦେଇଥିଲେ ନିଜର ମନ ଓ ହୃଦୟ ଏହି ବିଷୟରେ ସେ ନିଜେ ଖୁଲାସା କରିଥିଲେ। ନିଜର ଏକ ପୁରୁଣା ସାକ୍ଷାତକାରରେ ମନ ଖୋଲି କହିଥିଲେ ସେ ନିଜ ପ୍ରେମ କାହାଣୀ କଥା।
ଏହି ସାକ୍ଷାତକାରରେ ସେ କହିଥିଲେ, ‘‘ମୁଁ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲି, ଆମର ସାହିତ୍ୟ ଦିଦି ଥିଲେ। ଏବେ ସେ ଦୁନିଆରେ ଅଛନ୍ତି କି ନାହାଁନ୍ତି ମୁଁ ଜାଣିନି, ଭଗବାନ କରନ୍ତୁ ସେ ବଞ୍ଚିଥାଆନ୍ତୁ ଓ ସୁଖରେ ଥାଆନ୍ତି। ମୁଁ ଦିଦିଙ୍କ ପାଇଁ ସ୍କୁଲ ଯାଉଥିଲି। ତାଙ୍କୁ ନଦେଖିଲେ ମୋ ଛାତିରେ କଷ୍ଟ ଅନୁଭବ ହୋଇଥିଲା। ମୋର ପ୍ରଥମ ଭଲ ପାଇବା ସେହି ମ୍ୟାଡମ୍ ଥିଲେ। ଆଉ ଯେତେବେଳେ ମ୍ୟାଡମଙ୍କର ହାଠତ ଟ୍ରାନ୍ସଫର ହୋଇଗଲା ମୁଁ ଚାରି ଦିନ ଘରେ ଖାଇନଥିଲି। ମୁଁ ବହୁତ କଷ୍ଟ ଅନୁଭବ କରିଥିଲି। ଏହା ପରେ ଭାବିଥିଲି ଜୀବନରେ କେବେ କାହାକୁ ଭଲ ପାଇବି ନାହିଁ। ଆଉ ଯାହାକୁ ବି ଭଲ ପାଇବି ତାଙ୍କ ସାଥିରେ ରହିବି। ମ୍ୟାଡମଙ୍କ ଭଲ ପାଇବା ମାତୃତୁଲ୍ୟ ଥିଲା। ହେଲେ ମୋର ପ୍ରଥମ ପ୍ରେମ ସେ ହି ଥିଲେ। ଏହା କୌଣସି ବୟଫ୍ରେଣ୍ଡ କିମ୍ବା ଗର୍ଲଫ୍ରେଣ୍ଡଙ୍କ ପ୍ରେମ ପରି ନଥିଲା। ମୋର ଆଦର୍ଶ ରୂପେ ମୁଁ ତାଙ୍କୁ ଭଲ ପାଉଥିଲି।’’
ମ୍ୟାଡମଙ୍କ ସହ ନିଜ ପତ୍ନୀଙ୍କ ବିଷୟରେ ମଧ୍ୟ ଏହି ସାକ୍ଷାତକାରରେ ସେ ଅନେକ କଥା କହିଥିଲେ। ପତ୍ନୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ତାଙ୍କ ଜୀବନରେ ଆସିଥିବାରୁ।
ପ୍ରକାଶ ଥାଉକି ପିଣ୍ଟୁ ନନ୍ଦ ମାତ୍ର ୧୭ ବର୍ଷ ବୟସରେ ନିଜ କ୍ୟାରିୟର ଆରମ୍ଭ କରିଥିଲେI ଏକାଧିକ ଆଲବମରେ ଅଭିନୟ କରି ସେ ସଫଳତା ସାଉଁଟିଥିଲେI
ସେଥିମଧ୍ୟରୁ ‘ଏ ଗଉରI’ ଆଲବମ ଗୀତ ବେଶ ଲୋକପ୍ରିୟ ହୋଇଥିଲାI ଏହା ବାଦ ସେ ‘କୋଇଲି’ ଫିଲ୍ମରେପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ।
ତାଙ୍କର ଲୋକପ୍ରିୟ ଫିଲ୍ମ ମଧ୍ୟରେ ରହିଛି, ‘୨୦୨୨ରେ ଆସିଥିବା ‘ରଙ୍ଗ ନମ୍ବର’, ୨୦୦୬ରେ ଆସିଥିବା ‘ପ୍ରେମ ଋତୁ ଆସିଲାରେ’, ୨୦୧୧ରେ ଆସିଥିବା ‘ଦୋସ୍ତି’, ୨୦୧୧ ହାତ ଧରି ଚାଲୁଥା’ ଓ ୨୦୧୩ରେ ଆସିଥିବା ରୁମ୍କୁ ଝୁମା।
ସେହିପରି ‘ବ୍ୟାଚଲର’, ‘ଧର୍ମ’, ‘ଡାହI ବାଳୁଙ୍ଗା’, ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ସେI ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।