News 18 Odia Digital
ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ଖୁବ ଶୀଘ୍ର ୱେବ୍ ସିରିଜ୍ 'କ୍ୟାଟ୍'ରେ ନଜର ଆସିବେ। ଏହି ସିରିଜ୍ ହେତୁ ରଣଦୀପ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ବଲବିନ୍ଦର ସିଂ ଜାନଜୁଆଙ୍କ ଦ୍ୱାରା ନିର୍ମିତ ଏହି ଧାରାବାହିକରେ ରଣଦୀପ ପୋଲିସ ସୂଚନାଦାତା ଭୂମିକାରେ ନଜର ଆସିବେ। ନିକଟରେ, ରଣଦୀପ ଏହି ସିରିଜ୍ ସହିତ ଜଡିତ କିଛି ବିଶେଷ ଜିନିଷ ସେୟାର କରିଛନ୍ତି।
ରଣଦୀପ କହିଛନ୍ତି, ‘‘ଏହି ସିରିଜ୍ ସହିତ ଏହା ଏକ ନୂଆ ଅନୁଭୂତି। ଏହା ମାଧ୍ୟମରେ ମୁଁ ପଞ୍ଜାବର ଇତିହାସ ଜାଣିବାକୁ ପାଇଲି, ଯାହାକୁ ମୁଁ ବହୁତ ଭଲ ପାଏ, ସେଠାରେ ଥିବା ଲୋକଙ୍କ ବିଷୟରେ କିଛି ଅଲଗା ଅଛି। ସେଥିପାଇଁ ମୁଁ ସେଠାକୁ ଯାଇ ଏହି ସିରିଜ୍ ସୁଟିଂ କରିବାକୁ ବହୁତ ଉତ୍ସାହିତ ଥିଲି। ଏହି ସିରିଜରେ ଆମ ଦେଶରେ ବିଭାଜନ ପରବର୍ତ୍ତୀ ଦୃଶ୍ୟ ଚିତ୍ରିତ ହୋଇଛି। ବିଭାଜନ ପରେ ପଞ୍ଜାବରେ ପ୍ରଥମେ ବିଦ୍ରୋହ ଏବଂ ପରେ ଡ୍ରଗ୍ ମହାମାରୀର ଯନ୍ତ୍ରଣାଦାୟକ ପର୍ଯ୍ୟାୟ ହୋଇଥିଲା। ମୋର ଚରିତ୍ର ଏହି ଦୁଇଟି ପର୍ଯ୍ୟାୟରେ ବିଭିନ୍ନ ସମୟସୀମା ସହିତ ଜଡିତ। ଏହି ଚରିତ୍ର ମାଧ୍ୟମରେ, ଆମେ ଦେଖାଇବାକୁ ଚେଷ୍ଟା କରିଛୁ ଯେ ଜଣେ ସାଧାରଣ ଲୋକ ଏହି ଜିନିଷ ଦ୍ୱାରା କିପରି ପ୍ରଭାବିତ ହୁଏ।’’
୨୦୦୧ରେ ମୀର ନାୟାରଙ୍କ ଚଳଚ୍ଚିତ୍ର ‘ମନସୁନ’ ସହିତ ରଣଦୀପ ହୁଡ଼ା ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। ମୁଖ୍ୟ ଅଭିନେତା ଭାବରେ ସେ ରାମ ଗୋପାଳ ଭର୍ମାଙ୍କ ଫିଲ୍ମ 'ଡି'ରେ ଅଭିନୟ କରିଥିଲେ। ଫିଲ୍ମ ' once upon time in ମୁମ୍ବାଇ' (୨୦୧୦) ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା। ସେ 'ଜନ୍ନତ ୨', 'ସରବଜିତ', 'ସୁଲତାନ', 'ସାହିବ ବିବି ଅର ଗ୍ୟାଙ୍ଗଷ୍ଟର', 'ରଙ୍ଗାରାସିଆ', 'ରାଜପଥ' ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।
ଫିଲ୍ମ 'ସରବଜିତ'ରେ ରଣଦୀଙ୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ଚଳଚ୍ଚିତ୍ର ୨୦୧୬ରେ ମୁକ୍ତିଲାଭ କରିଥିଲା । ସେ ସରବଜିତ ଭୂମିକାରେ ପ୍ରବେଶ କରିବାକୁ କଠିନ ପରିଶ୍ରମ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ୨୮ ଦିନରେ ୧୮ କିଲୋଗ୍ରାମ ହ୍ରାସ କରିଥିଲେ। ଏଥିପାଇଁ ତାଙ୍କ ଭଉଣୀ ଓ ଡାକ୍ତର ଅଞ୍ଜଲି ହୁଡା ସାହାଯ୍ୟ କରିଥିଲେ। କୁହାଯାଏ ଯେ ଓଜନ ହ୍ରାସ କରିବାକୁ ସେ କ୍ୟାଲୋରୀ ଓ କାର୍ବୋହାଇଡ୍ରେଟ୍ ଥିବା ଜିନିଷ ଖାଇବା ଛାଡି ଦେଇଥିଲେ। କେବଳ ଏତିକି ନୁହେଁ, କ୍ୟାଲୋରୀ ହ୍ରାସ କରିବା ପାଇଁ ଘୋଡା ଚାଳନା ମଧ୍ୟ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।