News18 Odia Digital
ମୁମ୍ବାଇ: ବହୁ ଚର୍ଚ୍ଚିତ ପାନାମା ପେପର ଲିକ୍ ମାମଲାରେ ବଚ୍ଚନ ପରିବାରର ଅସୁବିଧା ବଢ଼ିପାରେ । ଏହି ପରିପ୍ରେକ୍ଷୀରେ ଇନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ବଚ୍ଚନ ପରିବାରର ବୋହୂ ତଥା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପଚରାଉଚରା ପାଇଁ ସମନ ପଠାଇଥିଲା । ହେଲେ ଐଶ୍ୱର୍ଯ୍ୟା ଆଜି ଇଡିରେ ହାଜର ହୋଇନାହାଁନ୍ତି ବୋଲି ଖବର ଶୁଣିବାକୁ ମିଳୁଛି ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଆଜି ଦିଲ୍ଲୀର ଲୋକନାୟକ ଭବନରେ ଇଡି ସମ୍ମୁଖରେ ହାଜର ହେବାର ଥିଲା। ଦ୍ୱିତୀୟ ନୋଟିସ୍ ପରେ ଐଶ୍ୱର୍ଯ୍ୟା ଇଡି ଅଫିସରେ ହାଜର ହେବେ। ଇଡି ସୂତ୍ର ଅନୁଯାୟୀ ଐଶ୍ୱର୍ଯ୍ୟାଙ୍କୁ ପଚରାଯିବାକୁ ଥିବା ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରାଯାଇଛି।
ଏହି ପାନାମା ପେପର ଲିକ୍ ମାମଲାରେ ଭାରତର ପ୍ରାୟ ୫୦୦ ଲୋକଙ୍କ ନାମ ସାମ୍ନାକୁ ଆସିଛି। ଏଥିରେ ଅନେକ ନେତା, ଅଭିନେତା, କ୍ରୀଡ଼ାବିତ୍, ବ୍ୟବସାୟୀ ପ୍ରତ୍ୟେକ ଶ୍ରେଣୀର ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସାମିଲ ଅଛି । ଏହି ଲୋକ ଟ୍ୟାକ୍ସରେ ବଡ଼ ଧରଣର ଚୋରି ଅଭିଯୋଗ ହୋଇଛି। ଦୀର୍ଘ ଦିନ ଧରି ଇଡି ଏହି ମାମଲାରେ ପ୍ରଶ୍ନ କରିଆସୁଛି।
ଦୀର୍ଘ ଦିନ ଧରି ପାନାମା ପେପର ଲିକ୍ ମାମଲାର ତଦନ୍ତ ଚାଲିଛି ଓ ଇଡି ଅଧିକାରୀମାନେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଚରାଉଚରା କରିସାରିଛନ୍ତି। ଗତ ମାସରେ ଅଭିଷେକ ବଚ୍ଚନଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରାଯାଇଥିଲା। ସୂଚନାନୁସାରେ, ଅଭିଷେକ ବଚ୍ଚନ ମଧ୍ୟ ଏହି ମାମଲା ସହ ଜଡିତ କିଛି ଦଲିଲକୁ ଇଡି ଅଧିକାରୀଙ୍କୁ ଦେଇଛନ୍ତି। ଯେଉଁଭଳି ଭାବରେ ବଚ୍ଚନ ପରିବାରର ସଦସ୍ୟଙ୍କୁ ପଚରାଉଚରା କରାଯାଉଛି, ଅନୁମାନ କରାଯାଉଛି ଯେ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନଙ୍କୁ ମଧ୍ୟ ଇଡି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଡକାଯାଇପାରିବ ।
ପ୍ରକାଶ ଥାଉକି ୨୦୧୬ରେ ପାନାମା ଭିତ୍ତିକ ଆଇନ ସଂସ୍ଥାର ୧୧.୫ କୋଟି ଟ୍ୟାକ୍ସ ଡକ୍ୟୁମେଣ୍ଟ ବ୍ରିଟେନରେ ଲିକ୍ ହୋଇଥିଲା। ଏଥିରେ ବିଶ୍ବର ବିଭିନ୍ନ ସ୍ଥାନରୁ ବଡ଼ ବ୍ୟକ୍ତିତ୍ୱର ନାମ ପ୍ରକାଶ ପାଇଥିଲା । ଏଥିରେ ଭାରତର ପ୍ରାୟ ୫୦୦ ଲୋକଙ୍କ ନାମ ଅନ୍ତର୍ଭୁକ୍ତ ଅଛି । ବଚ୍ଚନ ପରିବାରର ନାମ ମଧ୍ୟ ଏହି ତାଲିକାରେ ଅଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅମିତାଭ ବଚ୍ଚନଙ୍କୁ ୪ଟି କମ୍ପାନୀର ନିର୍ଦ୍ଦେଶକ କରାଯାଇଥିଲା, ସେଥିମଧ୍ୟରୁ ତିନୋଟି ବାହାମାସରେ ଥିବାବେଳେ ଗୋଟିଏ ଭର୍ଜିନ ଦ୍ୱୀପପୁଞ୍ଜରେ ଥିଲା। ୧୯୯୩ରେ ଏହି କମ୍ପାନୀଗୁଡିକ ଗଠନ କରାଯାଇଥିଲା । ଏହି କମ୍ପାନୀଗୁଡ଼ିକର ପୁଞ୍ଜି ୫,୦୦୦ରୁ ୫୦,୦୦୦ ଡଲାର ମଧ୍ୟରେ ଥିଲା, କିନ୍ତୁ ଏହି କମ୍ପାନୀଗୁଡିକ ସେହି ଜାହାଜଗୁଡ଼ିକର ବ୍ୟବସାୟ କରୁଥିଲେ, ଯାହାର ମୂଲ୍ୟ କୋଟି କୋଟି ଟଙ୍କା ଥିଲା ।
ଐଶ୍ୱର୍ଯ୍ୟାଙ୍କୁ ଭର୍ଜିନ ଦ୍ୱୀପପୁଞ୍ଜର ଆମିକ୍ ପାର୍ଟନର୍ସ ପ୍ରାଇଭେଟ ଲିମିଟେଡରେ କମ୍ପାନୀର ନିର୍ଦ୍ଦେଶିକା ମଧ୍ୟ କରାଯାଇଥିଲା। ଅବଶ୍ୟ, କିଛି ସମୟ ପରେ ତାଙ୍କୁ କମ୍ପାନୀର ଅଂଶୀଦାର କରାଗଲା । ଏହି କମ୍ପାନୀରେ ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ପିତା କେ. ରାୟ, ମାତା ବୃନ୍ଦା ରାୟ ଓ ଭାଇ ଆଦିତ୍ୟ ରାୟ ମଧ୍ୟ ଏହି କମ୍ପାନୀରେ ଅଂଶୀଦାର ହୋଇଥିଲେ। ୨୦୧୫ରେ ଏହି କମ୍ପାନୀ ଗଠନ କରାଯାଇଥିଲା, ଯାହା ତିନି ବର୍ଷ ପରେ ବନ୍ଦ ହୋଇଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।