News 18 Odia Digital
ଭୁବନେଶ୍ୱର; ସିନେମା ହଲରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ପ୍ରଥମ ଦିନରେ ହାଉସଫୁଲ ସହିତ ସାଉଁଟିଛି ପ୍ରଶଂସା । ଓଡ଼ିଆ ଚଳଚ୍ଚିତ୍ରକୁ ନୂଆ ଦିସା ଦେଇଥିବା ଦମନ ପରେ ପ୍ରତୀକ୍ଷାକୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରକୃତ ନିଚ୍ଛକ ଓଡ଼ିଆ ମଧ୍ୟମିତ ପରିବାରର ନିତିଦିନର ଘଟଣା ବଳିକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଏଥିରେ ମଧ୍ୟବିତ ପରିବାରର ଯୁବକର ଚାକିରି ପାଇଁ ସଂଘର୍ଷ ସହିତ ଜୀବନରେ ବାପାଙ୍କର ଭୂମିକାକୁ ନେଇ ବେସ୍ ଭଲଭାବରେ ଚିତ୍ରଣ କରାଯାଇଛି । ଅନ୍ୟ କୌଣସି ଚଳଚ୍ଚିତ୍ରର ରିମେକ ଓ କପି ହୋଇନଥିବାରୁ ଏହାର କାହାଣୀ ଦର୍ଶକଙ୍କ ମନକୁ ଛୁଇଁପାରିଛି । ଆଗକୁ ଏହି ଚଳଚ୍ଚିତ୍ରଟି ସମସ୍ତଙ୍କର ହୃଦୟଙ୍ଗମ ହେବ ବୋଲି ପ୍ରଥମ ଦିନରୁ ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକ , କଳାକାର କହିଛନ୍ତି । ପ୍ରିମିୟର ଅବସରରେ ସିନେମା ହଲରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଅଭିନେତା ମନୋଜ ମିଶ୍ର, ପାର୍ଥସାରଥି, ଉଷଶ୍ରୀ ମିଶ୍ର, ପିଣ୍ଟୁ ନନ୍ଦ, ପୁପିନ୍ଦର ଓ ଅନେକ ସିନେ କଳାକାର ପହଞ୍ଚି ସିନେମା ଦେଖିଥିଲେ ।
ପ୍ରଯୋଜକ- ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା ‘ପ୍ରତୀକ୍ଷା’ରେ ଏକ ନୂଆ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ । ଏହି ଯୋଡ଼ି ହେଲେ ଦୀପନ୍ବିତ-ବର୍ଷା । ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ନିକଟରେ ମୁକ୍ତିଲାଭ କରିଥିବା ଯୁଗାନ୍ତକାରୀ ଓଡ଼ିଆ ସିନେମା ‘ଦମନ’ରେ ଖୁବ୍ ପସନ୍ଦ କରିଛନ୍ତି । ସେପଟେ ବର୍ଷା ମଧ୍ୟ ବହୁଚର୍ଚ୍ଚିତ ଓଡ଼ିଆ ଛବି’ ତୁଳସୀ ଅପା’ରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ ।
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପ୍ରତୀକ୍ଷା’ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ । ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ । କାର୍ଯ୍ୟନିର୍ବାହୀ ପ୍ରଯୋଜିକା ବର୍ଷା ପଟ୍ଟନାୟକ । ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ବିତ ଦାସମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର।
ଅଙ୍କେଶ-ଆଶିଷ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଂଜନ ସାହୁ ଗୀତ ରଚନା କରିଛନ୍ତି । ସୂଚନାଯୋଗ୍ୟ, ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’।
ବଦଳୁଛି ଓଡ଼ିଆ ସିନେମା, ପୁଣି ଫେରିବ କି ସେହି ସ୍ୱର୍ଣ୍ଣିମ ଯୁଗ ? କାହିଁକି ନା ବାବୁଶାନଙ୍କ ଫିଲ୍ମ ଦମନ ସୁପର ଡୁପର ହିଟ୍ ହେବା ପରେ ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ଫିଲ୍ମ ପ୍ରତିକ୍ଷା।ଯାହାକୁ ଦେଖିବା ପାଇଁ ହଲ୍ ଆଗରେ ଲମ୍ବା ଲାଇନ ଲାଗିଥିଲା ।
ହିନ୍ଦୀରେ ରିମେକ୍ ହେବ ଓଡିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' ।ହିନ୍ଦୀରେ ଏହି ଫିଲ୍ମ ନିର୍ମାଣ କରିବେ ବଲିଉଡ ଅଭିନେତା ଅନୁମପ୍ ଖେର । ଦମନ ପରେ ଆଉ ଏକ ଓଡିଆ ଫିଲ୍ମ ପ୍ରତିକ୍ଷାକୁ ନେଇ ନୂଆ ସମ୍ଭାବନା ଦେଖିବାକୁ ମିଳିଛି । ଗୋଆରେ ଚାଲିଥିବା ଇଣ୍ଟରନାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହି ଓଡିଆ ସିନେମାର ହିନ୍ଦି ରିମେକ୍ କରିବା ପାଇଁ ଘୋଷଣା କରିଥିଲେ ଅନୁପମ୍ । ତେବେ ଫିଲ୍ମ ପ୍ରଯୋଜନା ସହ ନିଜେ ମଧ୍ୟ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରିବେ ବୋଲି ସେ ଘୋଷଣା କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।