News18 Odia Digital
ଭୁବନେଶ୍ବର: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ। ୮୨ ବର୍ଷରେ ଦୁନିଆକୁ ଅଲବିଦା କହିଛନ୍ତି ଅଭିନେତ୍ରୀ। ଅନେକ ଓଡ଼ିଆ ଫିଲ୍ମରେ ଶାନଦାର ଅଭିନୟ କରି ଦର୍ଶକଙ୍କ ବେଶ୍ ଭଲ ପାଇବା ସାଉଁଟିଥିଲେ ସେ।
ବର୍ତ୍ତମାନ ତାଙ୍କ ମୃତ୍ୟୁ ଖବରକୁ ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖେଳିଯାଇଛି ଶୋକର ଛାୟା।
‘ମଲାଜହ୍ନ’, ‘ଅଦିନ ମେଘ’, ‘ସମୟ ବଡ଼ ବଳବାନ’, ‘ଅମଡା ବାଟ’, ‘ଶ୍ରୀଜଗନ୍ନାଥ’, ‘ନାରୀ’, ‘ହୀରାନୀଳା’ ଭଳି ଫିଲ୍ମରେ ଶାନଦାର ଅଭିନୟ କରିଥିଲେ ସେ। ଏବେ ତାଙ୍କର ଦେହାନ୍ତ ସାରା ଓଲିଉଡ ପାଇଁ ଏକ ଦୁଃଖଦ ଘଟଣା ପାଲଟିଛି। ତେବେ ଗୁରୁବାର ବିଳମ୍ବିତ ରାତିରେ କଟକ ଚଣ୍ଡିରୋଡ୍ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ପ୍ରକାଶ ଥାଉକି ୧୯୪୫ ମସିହାରେ କଟକର ଚାନ୍ଦିନି ଚୌକରେ ଝରଣା ଦାସଙ୍କ ଜନ୍ମ। ସମେସ୍ତ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ ଟାଣି ମଞ୍ଚା କରି ଭାଇ ଭଉଣୀ ମିଶି ଅଭିନୟ କରୁଥିଲେ । ଝରଣା ଦାସ ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ ।
ଝରଣାଙ୍କ ବଡ଼ ଭାଇଙ୍କ ବନ୍ଧୁ ଅଭିନେତା ତଥା ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ। କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ । ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।