News18 Odia Digital
ଭୁବନେଶ୍ୱର: ନିକଟରେ ଓଡ଼ିଆ ଚଳଚ୍ଚିତ୍ର ଦମନକୁ ବେଶ ସଫଳତା ମିଳିଛି। ସେହି ଭଳି ଆସନ୍ତା କାଲି ଅର୍ଥାତ ଡିସେମ୍ବର ୨ରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ 'ପ୍ରତୀକ୍ଷା'। ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଦର୍ଶକ ଓ କଳାକାର। ପ୍ରତୀକ୍ଷାର ରିଲିଜ ଅବସରରେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର।
ଅଭିନେତାଙ୍କ କହିଛନ୍ତି,"ଭଲ ଚଳଚ୍ଚିତ୍ରରେ ତିଆରି କରିବା କିମ୍ବା ଦର୍ଶକଙ୍କ ମନକୁ ଛୁଇଁ ପାରିଲେ, କେହି କେବେ କହିପାରିବେନି ଯେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି କେବେ ବୁଡିଥିଲା! ପ୍ରତୀକ୍ଷାର ରିଲିଜ ହେବାକୁ ଯାଉଛି। ଛୋଟ କାହାଣୀକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା। ନିର୍ଦ୍ଦେଶକଙ୍କୁ ଏହି ଫିଲ୍ମ ତିଆରି ପାଇଁ ଅନେକ ଦିନ ଲାଗିଥିଲା। କଷ୍ଟ କରି ଭଲ ଭାବେ ଯଦି ଜଣେ ଫିଲ୍ମ ତିଆରି କରିବାକୁ ଚାହିଁବ ତେବେ ଅସମ୍ଭବ ନୁହେଁ"।
ଅନେକ ଲୋକ ଦମନ ଫିଲ୍ମ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ଶୀର୍ଷରେ ପହଞ୍ଚି ଯିବା ନେଇ ମତ ରଖିଥିବା ବେଳେ ଭିନ୍ନ ଶୈଳୀରେ ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧାନ୍ତ ମହାପାତ୍ର। ଦମନ ପାଇଁ ଚଳଚିତ୍ର ଓଡ଼ିଆ ଇଣ୍ଡଷ୍ଟ୍ରିର ଅଣ୍ଟା ସିଧା ହୋଇଯିବା କଥାକୁ ସେ ବିଶ୍ୱାସ କରନ୍ତିନି ବୋଲି କହିଛନ୍ତି ଅଭିନେତା। ଚଳଚ୍ଚିତ୍ର କରିବା ଆଗରୁ ଆତ୍ମ ସମୀକ୍ଷା ଜରୁରୀ ବୋଲ ସେ ମତ ବ୍ୟକ୍ତ କରିଛନ୍ତି। ଯେଉଁ ଚଳଚ୍ଚିତ୍ର ତିଆରି ହେଉଛି ତାହା ଦର୍ଶକ ମାନଙ୍କ ଉପଯୋଗୀ ତ? ସିନେମା କରିବା ପୂର୍ବରୁ କିମ୍ବା କାହାଣୀ ଶୁଣିବା ପୂର୍ବରୁ ନିଜକୁ ବାରମ୍ବାର ପଚାରିବା ଉଚିତ। ସମସ୍ତେ ନିଜର ପାରିଶ୍ରମିକ ପାଉଛନ୍ତି, କିନ୍ତୁ ପଇସା ଖର୍ଚ୍ଚ କରି ଦେଖିବାକୁ ଆସୁଥିବା ଦର୍ଶକଙ୍କ ସହ ନ୍ୟାୟ କରୁଛେ କି ନାହିଁ ନିଜ ହୃଦୟକୁ ପଚାରିବା ଦରକାର। ଠିକ ରାସ୍ତାରେ ନ ଯାଇ ବ୍ୟତିକ୍ରମରେ ଚଳଚ୍ଚିତ୍ର ତିଆରି ହେଉଛି। 'ମୁଁ' ଛାଡି 'ଆମେ'ରେ ବିଶ୍ୱାସ କଲେ ଦର୍ଶକ ଖୁସି ହେବେ। ଚଳଚ୍ଚିତ୍ରରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି ଅଭିନେତା କହିଛନ୍ତି।
ପ୍ରତୀକ୍ଷାର କାହାଣୀ ହୃଦସ୍ପର୍ଶୀ ଓ ସୁନ୍ଦର। ଦମନ ଭଳି ପ୍ରତୀକ୍ଷା ଛୋଟ ଜିନିଷକୁ ନେଇ ଭଲ କାହାଣୀ ହୋଇଛି। ଭଲ ଚଳଚ୍ଚିତ୍ର ଆସିଲେ ଦର୍ଶକ ବି ଆସିବେ ବୋଲି ଆଶା କରିଛନ୍ତି ସିଦ୍ଧାନ୍ତ ମହାପାତ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।