News18 Odia Digital
ଭୁବନେଶ୍ୱର: ହିନ୍ଦୀ ସିନେମା ଜ୍ୱିଗାଟୋରେ ରହିଛି ଓଡ଼ିଶାର ପାଣିପବନ ଓ ମାଟିର କାହାଣୀ । ଓଡ଼ିଆ ଭାଷାରେ ମଧ୍ୟ ଅନେକ ସଂଳାପ ରହିଛି ଏହି ଫିଲ୍ମରେ । ଫିଲ୍ମରେ ମୁଖ୍ଯ ଚରିତ୍ରରେ କପିଲ ଶର୍ମା ଫୁଡ ଡେଲିଭରି ରାଇଡର ବା ବୟର ଭୂମିକା ନିଭାଇଥିବା ବେଳେ ଜଣେ ଓଡିଆ ଝିଅର ଝଲକ ମଧ୍ଯ ଫିଲ୍ମରେ ଦେଖିବାକୁ ମିଳିଛି ।
କେବଳ ଯେ ଏହି ଫିଲ୍ମଟି ଭୁବନେଶ୍ଵରରେ ସୁଟିଂ ହୋଇଛି ତାହା ନୁହେଁ ବରଂ ଏହି ଫିଲ୍ମରେ ଓଡ଼ିଶାର କିଛି ଅଭିନେତା ସାମିଲ ହୋଇଛନ୍ତି। ଅଭିନେତା ଅଭିଷେକ ଗିରି, କଟକର କୁନି କଳାକାର ପ୍ରଜ୍ୱଳ ଓ ୟୁଭିକା ମଧ୍ଯ ଏଥିରେ ଅଭିନୟ କରିଛନ୍ତି । ସମସ୍ତେ ନିଜ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି ।
ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଥିବା ପ୍ରଯୋଜକ ଲେଖକ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ଜ୍ୱିଗାଟୋକୁ ନେଇ ବଢିଛି ଉତ୍ସାହ। ଭୁବନେଶ୍ୱରର ଗଳିକନ୍ଦିରେ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଓଡ଼ ଅଭିନେତା ତଥା କମେଡିଆନ କପିଲ ଶର୍ମା ଓ ଶହାନା ଗୋସ୍ୱାମୀ । ଝାରଖଣ୍ଡର ଏକ ବାସ୍ତବ କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହେଉଥିବା ବେଳେ ଏହି ଫିଲ୍ମଟି ଭୁବନେଶ୍ୱରରେ ସୁଟିଂ କରାଯାଇଛି । କାହାଣୀରେ ପରିବାର ଚଳାଇବା ପାଇଁ କପିଲ ଶର୍ମା କିଭଳି ଫ୍ଲୋର ମ୍ୟାନେଜରରୁ ପାଲଟି ଯାଇଛନ୍ତି ଡେଲିଭରି ବଏ ତାହା ଦେଖାଯାଇଛି। ଫୋନ ଆପରେ ସେ ନିଜ ବ୍ୟବସାୟ ଚଳାଉଛନ୍ତି । ଖାଲି ସେତିକି ନୁହେଁ ରେଟିଂ ପାଇଁ ଖୁବ ସଂଘର୍ଷ ମଧ୍ୟ କରୁଛନ୍ତି ଏଥିରେ କପିଲ । ଫୁଡ୍ ଡେଲିଭରୀ ବୟ ପାଇଁ ରେଟିଂ କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆଉ ରେଟିଂକୁ ନେଇ ଫୁଡ୍ ଡେଲିଭରୀ ବୟଙ୍କୁ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ଜଣେ ବସ୍ ଠାରୁ କେତେ କ’ଣ ଶୁଣିବାକୁ ପଡେ ଆଉ ତା’ପରେ ରେଟିଂ ପାଇଁ କେତେ କ’ଣ କରିବାକୁ ହୁଏ। ତାହା ଏହି ସିନେମାରେ ଦେଖିବାକୁ ମିଳିଛି। ଏଥିସହ ତାଙ୍କର ପତ୍ନୀ ମଧ୍ୟ ପରିବାର ଚଳାଇବା ପାଇଁ ସହାୟତାର ହାତ ବଢାଇଛନ୍ତି। ଘରେ ସହ ବିଭିନ୍ନ ସ୍ଥାନରେ କାମ କରୁଛନ୍ତି। ଏକ ସାଧାରଣ ପରିବାରର, ସାଧାରଣ ଲୋକଙ୍କ ନିତିଦିନିଆ ହସଖୁସି ଜୀବନର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ତେଣୁ ଓଡ଼ିଆ ଓ ଓଡ଼ିଶାର ଛୁଙ୍କ ଥିବା ଏହି ବାସ୍ତବ କାହାଣୀକୁ ଆସି ଦେଖନ୍ତୁ ଆଉ ଭଲପାଇବା ଦିଅନ୍ତୁ ବୋଲି କହିଛନ୍ତି ଦର୍ଶକ ।
ଏଥିରେ ପ୍ରଯୋଜକ ଓଡ଼ିଆ ଝିଅ ନନ୍ଦିତା ଏକ ନିଛକ କାହାଣୀ ଦର୍ଶାଇବାକୁ ପରିଶ୍ରମ ଚେଷ୍ଟା କରିଥିବା ବେଳେ ଓଡ଼ିଶାର ଲୋକମାନେ ଦେଖିବାକୁ ଆସି ତାଙ୍କ ଭଲପାଇବା ଦିଅନ୍ତୁ ବୋଲି କହିଛନ୍ତି ଦର୍ଶକ । ସେହିପରି ରିଲିଜ ପୂର୍ବରୁ ଜ୍ୱିଗାଟୋ ବେଶ ଚର୍ଚ୍ଚାରେ ରହିଥିଲା। ଟ୍ରେଲରକୁ ମଧ୍ୟ ବେଶ୍ ପସନ୍ଦ କରିଥିଲେ ଦର୍ଶକ।ଅନ୍ୟପଟେ ଏହି ଫିଲ୍ମରେ ଦେଶର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସିରିୟସ୍ ଅବତାର ଆସିଥିବା ବେଳେ ଆପଣ କେବେ ବି ବିଶ୍ୱାସ କରିବେ ନାହିଁ ତାଙ୍କର ଏହି ନୂଆ ଅବତାରକୁ । ଏଥିରେ ସେ ଦମଦାର ଅଭିନୟ କରୁଥିବା ନଜର ଆସିଛନ୍ତି। ସେ ଜଣେ ସାଧାରଣ ଲୋକର ଅବତାରରେ ବହୁତ ଫିଟ୍ ମଧ୍ୟ ଲାଗୁଥିବା ବେଳେ ବେଶ ଭଲ ଅଭିନୟ ମଧ୍ୟ କରିଛନ୍ତି । ଆଉ ଏହି ସିନେମାର ଆକର୍ଷଣ କପିଳ ଶର୍ମା ସାଜିଥିବା ବେଳେ ସିନେମାଟି ଭଲ ଚାଲିବ ବୋଲି ଆଶାବାଦୀ ଅଛନ୍ତି ପ୍ରଯୋଜନା ସଂସ୍ଥା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।