ଉପସ୍ଥାପିକାରୁ ଅଭିନେତ୍ରୀ; ସହଜ ନଥିଲା ରାଜେଶ୍ୱରୀଙ୍କ ଯାତ୍ରା... ଝୁରୁଛନ୍ତି ସଭିଏଁ

କଳାକାର କେବେ ମରେନି, ଶରୀର ସିନା ତ୍ୟାଗ କରିଛନ୍ତି କିନ୍ତୁ ତାଙ୍କର ନିଖୁଣ ଅଭିନୟର ଝଲକ ଏବେ ବି ତାଜା ଅଛି ଦର୍ଶକଙ୍କ ହୃଦୟରେ ।

ଉପସ୍ଥାପିକାରୁ ଅଭିନେତ୍ରୀ; ସହଜ ନଥିଲା ରାଜେଶ୍ୱରୀଙ୍କ ଯାତ୍ରା... ଝୁରୁଛନ୍ତି ସଭିଏଁ

ଉପସ୍ଥାପିକାରୁ ଅଭିନେତ୍ରୀ; ସହଜ ନଥିଲା ରାଜେଶ୍ୱରୀଙ୍କ ଯାତ୍ରା... ଝୁରୁଛନ୍ତି ସଭିଏଁ

  • Share this:
News 18 Odia Digital

ଭୁବନେଶ୍ୱର; ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରୟ ମହାପାତ୍ରଙ୍କ ପରଲୋକ ହୋଇଛି । ୩୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ବାଲେଶ୍ଵରର ଝିଅ ବ୍ରହ୍ମପୁରର ବୋହୂ ଥିଲେ ରାଜେଶ୍ଵରୀ ରୟ ମହାପାତ୍ର । ଟେଲି ଦୁନିଆରେ ସଂଘର୍ଷ କରି ନିଜର ସୂତନ୍ତ୍ର ପରିଚୟ ସେ ସୃଷ୍ଟି କରିଥିଲେ । ୧୭ ରୁ ୧୮ ବର୍ଷର କ୍ୟାରିୟର ମଧ୍ୟରେ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣି ଥିଲେ । ଜଣେ ଖଳନାୟିକା ଭାବେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ ରାଜେଶ୍ୱରୀ । ସିନେମା, ଧାରାବାହିକରେ ଅଭିନୟ ସହ ତାଙ୍କର ନିଆରା ଉପସ୍ଥାପନା ଶୈଳୀ ମଧ୍ୟ ଖୁବ୍ ଉଚ୍ଚ କୋଟିର ଥିଲା । ଏଥିସହ ସୁନ୍ଦର ଗୀତ ମଧ୍ୟ ସେ ଗାଉଥିଲେ । ୧୯ ଡିସେମ୍ବର ୨୦୧୬ ରେ ସେ ବ୍ରହ୍ମପୁରର ସଞ୍ଜୟ ମହାପାତ୍ରଙ୍କୁ ବିବାହ କରିଥିଲେ। ପ୍ରଥମେ ଓଡ଼ିଆ ମ୍ୟାଟ୍ରିମୋନିରୁ ଦୁହିଁଙ୍କର ପରିଚୟ ହୋଇଥିଲା। ପରେ ନିଷ୍ପତ୍ତି ନେଇଥିଲେ ବିବାହ କରିବାକୁ ଏବଂ ପରିବାର ସହମତିରେ ବିବାହ କରିଥିଲେ ।



ସେ ପ୍ରଥମେ ଆଙ୍କରିଂ ଜରିଆରେ ଗ୍ଲାମର ଦୁନିଆକୁ ପ୍ରବେଶ କରିଥିଲେ ମଧ୍ୟ ଧାରାବାହିକରେ ହିଁ ବିଶେଷ ଲୋକପ୍ରିୟତା ହାସଲ କରିଥିଲେ । 'ଗୀତଟିଏ ମିତଟିଏ' କାର୍ଯ୍ୟକ୍ରମରେ ତାଙ୍କ ନିଆରା ଉପସ୍ଥାପନା ଶୈଳୀ ସମସ୍ତଙ୍କ ମନ ମୋହୁଥିଲା । ସେହିପରି ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ବାସ୍ତୁବିଚାର କାର୍ଯ୍ୟକ୍ରମରେ ମଧ୍ୟ ସେ ଉପସ୍ଥାପିକା ରହିଥିଲେ ।



ଓଡ଼ିଶା ଚଳଚ୍ଚିତ୍ର, ଦୂରଦର୍ଶନରେ ମେଗା ଧାରାବାହିକରେ ତାଙ୍କୁ ଦେଖିବାକୁ ମିଳିଥିଲା । ଧାରାବାହିକ ‘ଉଆଁସୀ କନ୍ୟା’ରେ ଖଳନାୟିକା ଅଳକା ଭୂମିକା ନିଭାଇ ଓଡ଼ିଶାର ଘରେ ଘରେ ପରିଚତ ହୋଇଥିଲେ । ପରେ ବସୁନ୍ଧରା’, ‘ସଂସ୍କାର’, ‘ସ୍ୱାଭିମାନ’ , ‘କୁମକୁମ୍’ ଦେବୀ ଧାରାବାହିକରେ କଳାତ୍ମକ ଅଭିନୟ ଦର୍ଶକଙ୍କ ମହଲରେ ସ୍ଵତନ୍ତ୍ର ପରିଚୟ ସୁଷ୍ଟି କରିଥିଲା ।'ଦେବୀ'ରେ ଇଶା ଚରିତ୍ରକୁ ବେଶ୍ ପସନ୍ଦ କରିଥିଲେ । ଏଥିସହ ଏହି ଚରିତ୍ର ରାଜେଶ୍ୱରୀଙ୍କୁ ବି ଖୁବ୍ ପସନ୍ଦ ଥିଲା । ପରବର୍ତ୍ତୀ ସମୟରେ ‘ତୋ ପାଇଁ ମୁଁ’ ସିରିରୟଲରେ ତାଙ୍କର ତାରା ପଟ୍ଟନାୟକ ଚରିତ୍ର ହଇଚଇ ସୃଷ୍ଟି କରିଥିଲେ । ଅଭିନୟ ସାଙ୍ଗକୁ ତାଙ୍କ ସଂଳାପ କହିବାର ଶୈଳୀ ଓ ମୁଖଭଙ୍ଗୀ ଖଳନାୟିକା ଚରିତ୍ରକୁ ଜୀବନ୍ତ କରୁଥିଲା । ରାଜେଶ୍ୱରୀଙ୍କୁ କେତୋଟି ଚଳଚ୍ଚିତ୍ରରେ ବି ଦେଖିବାକୁ ମିଳିଥିଲା । ତାଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ବସନ୍ତ ସାହୁଙ୍କ ନିର୍ଦେଶିତ ‘ସତ୍ୟମେବ ଜୟତେ’। ଏହାପରେ ସେ ଏନ୍ ପାଢ଼ୀଙ୍କ ନିର୍ଦେଶିତ ‘ଆରେ ସାଥୀ ଆ’ ଓ ଅମିତ ନାୟକଙ୍କ ନିର୍ଦେଶିତ ‘ବ୍ଲାକମେଲ୍’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।



'ତୋ ପାଇଁ ମୁଁ' ଧାରାବାହିକରେ ଅଭିନୟ କରୁଥିବା ସମୟରେ ହଠାତ ଜାଣିବାକୁ ପାଇଥିଲେ ଯେ, ତାଙ୍କୁ ମସ୍ତିଷ୍କ ଏବଂ ଫୁସଫୁସ୍ କର୍କଟ ହୋଇଛି । ଦୀର୍ଘ ଅଢ଼େଇ ବର୍ଷ ଧରି ସେ କ୍ୟାନସର ସହ ଲଢେ଼ଇ କରୁଥିଲେ । ଅଢେଇ ବର୍ଷ ତଳେ ଏପ୍ରିଲ ୧୯ ରେ ରାଜେଶ୍ୱରୀ ତାଙ୍କ ଫେସବୁକରେ ଦୁଇଟି ଫଟୋ ସେୟାର କରି ଲେଖିଥିଲେ, ‘ମୁଁ କର୍କଟ ସହ ଲଢ଼େଇ କରୁଛି, ଭଗବାନ ମୋ ସହ ଅଛନ୍ତି । ମୁଁ ମସ୍ତିଷ୍କ ଏବଂ ଫୁସଫୁସ କର୍କଟରେ ପୀଡ଼ିତ ଓ ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି । ମୁଁ ମୋ ନୂଆ ଲୁକରେ ଫେରିବି । ଭଗବାନ ମୋ ସହ ଅଛନ୍ତି । ଦୟାକରି ମୋତେ ଆଶୀର୍ବାଦ କରନ୍ତୁ ।

ଜଣେ ଉଚ୍ଚକୋଟିର ଅଭିନେତ୍ରୀ ଏବଂ ବାସ୍ତବ ଜୀବନରେ ସଂଗ୍ରାମୀ ଥିଲେ ରାଜେଶ୍ୱରୀ । ଖୁବ୍ ମେଳାପୀ ସ୍ୱଭାବର କ୍ୟାମେରାକୁ ଦେଖିଲେ ତାଙ୍କର ନିଖୁଣ କଳା ଆପେ ଆପେ ବାହାରି ଆସୁଥିଲା । ସେ ନିଜକୁ ବହୁତ ଭଲପାଉଥିଲେ । ସେ ଗଣମାଧ୍ୟମକୁ ସାକ୍ଷାତକାର ଦେବାବେଳେ କହିଥିଲେ ଯେ, ଯେତେବେଳେ ସେ ରୋଗ ବିଷୟରେ ଜାଣିଲେ କିଛି ସମୟ ପାଇଁ ଡରିଯାଇଥିଲେ। ହେଲେ ପରେ ନିଜକୁ ସମ୍ଭାଳି ନେଇଥିଲେ ଏବଂ ଘରଲୋକଙ୍କୁ ବି ବୁଝାଇଥିଲେ ଅଧର୍ଯ୍ୟ ନହୋଇ କିଭଳି ଭଲ ଭାବେ ଚିକିତ୍ସା କରିବା କରିବା । ଦୀର୍ଘ ଅଢେଇ ବର୍ଷ ଧରି ସେ କ୍ୟାନସର ସହ ଲଢ଼େଇ କରୁଥିଲେ । ପରିବାର ଲୋକଙ୍କଠାରୁ ମଧ୍ୟ ଖୁବ୍ ସହଯୋଗ ମିଳିଥିଲା । କ୍ୟାନସରକୁ ଜିତିଥିବା ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଦେଖି ସେ ପ୍ରେରଣା ପାଉଥିଲେ । ସେ କହିଥିଲେ ପ୍ରତି ମିନିଟ କୁ ମୁଁ ଉପଭୋଗ କରେ । ଡରିନି କି କୌଣସି କଷ୍ଟ ପାଇନି , ତାହା କେବଳ ତାଙ୍କ ସ୍ଵାମୀଙ୍କ ପାଇଁ ।

ଖରାପ ସମୟରେ କିଏ ପ୍ରକୃତରେ ଭଲ ପାଉଛନ୍ତି, କିଏ ଖରାପ ଚାହାନ୍ତି ସେମାନଙ୍କୁ ଜାଣିପାରିଥିଲେ । ରାଜେଶ୍ୱରୀ ଠିକ୍ ହେଉଥିଲେ , ପୁଣି ମଝିରେ ଦେହ ଖରାପ ହେଉଥିଲା । ଲଙ୍ଗ୍ସରୁ ବ୍ରେନ୍ କୁ ହୋଇଥିଲା କ୍ୟାନସର ।  ଡ଼ାକ୍ତର ୬ ମାସ ସମୟ ଦେଇଥିଲେ । କିନ୍ତୁ ସେ ସାହାସୀ ସଂଗ୍ରାମୀଙ୍କ ଭଳି ଗୋଟିଏ ଷ୍ଟେଜ୍ ଲଢେଇ ଜାରି ରଖିଥିଲେ । ରାଜଶ୍ୱେରୀଙ୍କ ମୃତ୍ୟୁ ସମସ୍ତ କଳାକାରଙ୍କ ସହ ପ୍ରଶଂସକଙ୍କ ମନରେ ଦୁଃଖ ଆଣିଦେଇଛି । ସଧବା ବେଶରେ ବିଦାୟ ନେଲେ ରାଜେଶ୍ୱରୀ । ରାଜେଶ୍ୱରୀଙ୍କ ପାର୍ଥୀବ ଶରୀରକୁ ଦେଖି କାନ୍ଦୁଛନ୍ତି ପରିବାର , ସହକର୍ମୀ । ପୁରୁଣା ଆଲବମ୍ କୁ ଦେଖି ଲୁହ ଝରାଉଛନ୍ତି ପରିବାର ।
Published by:Soubhagya Mishra
First published: