News 18 Odia Digital
ଭୁବନେଶ୍ୱର; ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । କିଛି ଦିନ ଅନ୍ତରରେ ବାବୁସାନ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଦମଦାର ଚଳଚ୍ଚିତ୍ର ‘ଦମନ’ । କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା । ପରିସ୍ଥିତି ସୁଧୁରିବା ପରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେଶିଳ୍ପ । ସେହି କ୍ରମରେ ରିଲିଜ୍ ପାଇଁ ସଜବାଜ ହେଉଛି ‘ଦମନ’।

ଏ ଫିଲ୍ମରେ ବାବୁସାନଙ୍କ ସହ କଳାକାର ଭାବେ ଆପଣ ଦେଖିବାକୁ ମିଳିବେ ଦୀପନ୍ୱିତ ଦାସ ମହାପାତ୍ରଙ୍କୁ । ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ । ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠାର କାହାଣୀ ସ୍ଥାନିତ ହୋଇଛି ଫିଲ୍ମରେ । ଡାକ୍ତରୀ ପାଠ ଶେଷ କରିବା ପରେ ଏହି ଯୁବ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ତାହା ଦେଖିବାକୁ ମିଳିବ ‘ଦମନ’ରେ। ବଡ଼ ବଜେଟର ଏହି ଫିଲ୍ମରେ ବାବୁସାନଙ୍କ ଭରପୂର ଆକ୍ସନ ଦେଖିବେ ସିନେପ୍ରେମୀ ।
ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଯୋଜନାରେ ଅଛନ୍ତି ଦୀପେନ୍ଦ୍ର ସାମଲ । ଜେପି ଓ୍ବାର୍ଡସ୍ମିଥ୍ ଓ ବାପୁ ଗୋସ୍ଵାମୀ ଏହାର ଗୀତ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କର ଟିମ୍ । ବଡ଼ ଷ୍ଟାର, ରିଅଲ ଷ୍ଟୋରୀକୁ ନେଇ ଆସନ୍ତା ୪ ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଥିବା 'ଦମନ'କୁ ଦର୍ଶକ ଆଗ୍ରହ ସହିତ ଅପେକ୍ଷା କରିଛନ୍ତି l ଫିଲ୍ମର କ୍ରିଏଟିଭ୍ ହେଡ୍ ତଥା ପ୍ରଚାର ପ୍ରସାର ଦାୟିତ୍ୱରେ ଅଛନ୍ତି ପ୍ରଣୟ ଜେଠୀ l
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।