News18 Odia Digital
ଭୁବନେଶ୍ୱର: ୟେ ହାତ ମୁଝେ ଦେଦେ ଠାକୁର..ହିନ୍ଦୀ ଫିଲ୍ମ ସୋଲେର ପ୍ରସିଦ୍ଧ ଡାଇଲଗକ ଦର୍ଶକମାନଙ୍କୁ ବେଶ ପସନ୍ଦ ଆସିଥିଲା। ସେହି ଲୋକପ୍ରିୟ ଡାଇଲଗ ସହ ପୁଣି ଗବ୍ବର ଭୂମିକାକୁ ଜୀବନ୍ତ କରିଛନ୍ତି ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଆଜି ରିଲିଜ ହୋଇଥିବା ତୋର ମୋର କଟି ଚଳଚ୍ଚିତ୍ରରେ ସିଦ୍ଧାନ୍ତଙ୍କ ଗବ୍ବର ଅଭିନୟ ସହ ଡାଇଲଗକୁ ପୁଣି ଶୁଣିବାକୁ ପାଇବେ ଦର୍ଶକ।
ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି ଝିଲିକ ମୋସନ୍ ପିକ୍ଚର୍ସର ତୃତୀୟ ଅବଦାନ ତଥା ନୂଆ ଓଡ଼ିଆ ସିନେମା 'ତୋର ମୋର କଟି' । ସମଗ୍ର ରାଜ୍ୟରେ ସମୁଦାୟ ୩୦ଟି ହଲରେ ସିନେମା ରିଲିଜ ହୋଇଥିବାବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପ୍ରିମିୟର ଶୋ ଅନୁଷ୍ଠିତ ହୋଇଛି। ପ୍ରିମିୟର ଶୋରେ ସିନେମାର କଳାକାର ଓ କର୍ମକର୍ତ୍ତାଙ୍କ ସମେତ ଦର୍ଶକ 'ତୋର ମୋର କଟି' ଦେଖିବାର ସୁଯୋଗ ପାଇବେ ।
ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ଝିଲିକ ଭଟ୍ଟାଚାର୍ଯ୍ୟ ଚଳଚ୍ଚିତ୍ରଟିକୁ ନେଇ ଖୁବ ଆଶାବାଦୀ ଅଛନ୍ତି । ଓଡ଼ିଆ ସିନେମା ଜଗତରେ ଏକ ବିରାଟ ପରିବର୍ତ୍ତନ ପାଇଁ ସେ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ, ଗୀତ ଗୁଡିକ ଗୀତିକାର ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀ ଲେଖିଥିବା ବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଦିପ୍ତୀରେଖା ପାଢ଼ୀ, ସବିଶେଷ, ଆଶୁତୋଷ, ଅନନ୍ୟା ଶ୍ରୀତମ ନନ୍ଦ ଏବଂ ଦେବକୃପା । ଚିତ୍ରତ୍ତୋଳନ ଭାର ଈଶ୍ୱର ବାରିକ ନେଇଛନ୍ତି । ଚଳଚ୍ଚିତ୍ରର ସଂଳାପକାର ଦୀପକ ଜେନା ଥିବା ବେଳେ ନିର୍ଦ୍ଦେଶନା ଭାର ନେଇଛନ୍ତି ଯୁବ ନିର୍ଦ୍ଦେଶକ ରମେଶ ରାଉତ । ପ୍ରଚାର ପ୍ରସାର ଦାୟୀତ୍ୱରେ ରହିଛନ୍ତି ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ପଙ୍କଜ ସିଲ । ଫାଇଟ ନିର୍ଦ୍ଦେଶନା ଦେଇଛନ୍ତି ଶୈଳେନ୍ଦ୍ର ପରିଡା ଓ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅରୁଣ ସ୍ବାଇଁ। ପ୍ରଡ଼କସନ୍ ଡିଜାଇନର ଅଛନ୍ତି ପ୍ରଶାନ୍ତ ବେହେରା (କାବୁଲି) ।
"ତୋର ମୋର କଟି" ଚଳଚ୍ଚିତ୍ର ମାଧ୍ୟମରେ ଶୈଳେନ୍ଦ୍ର - ଶୀତଲ ଯୋଡି ପ୍ରଥମ ଥର ପାଇଁ ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇଛନ୍ତି l ଏମାନଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାୟକ (ଟୁଟୁ ), ବବି ମିଶ୍ର, ସୁଦୀପ୍ତ, ଟୁକୁନା ଷ୍ଟାଇଲିଷ୍ଟ, କାଳିଆ ଷଣ୍ଢ, ଐଶର୍ଯ୍ୟା, ରୁପସା, କଟପ୍ପା, ଦେବିକା ପ୍ରମୁଖ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରରେ ୫ ଟି ଗୀତ ଥିବାବେଳେ "ତୋର ମୋର କଟି" ଶୀର୍ଷ ସଙ୍ଗୀତକୁ ଅରୁଣ ମନ୍ତ୍ରୀ ଲେଖିଛନ୍ତି । କଣ୍ଠଦାନ କରିଛନ୍ତି ଦେବକୃପା ଓ ଅନନ୍ୟା ଶ୍ରୀତମ ନନ୍ଦ । ଝିଲିକ ମୋସନ ପିକ୍ଚର୍ସ ଏହା ପୂର୍ବରୁ କିସମିସ ଓ ରୁଦ୍ରାଣୀ ପରି ସୁନ୍ଦର ଚଳଚ୍ଚିତ୍ର ଦର୍ଶକମାନଙ୍କୁ ଭେଟି ଦେଇସାରିଛି l "ଚଳଚ୍ଚିତ୍ର ତୋର ମୋର କଟି"ର ସଂଗୀତ ବିତରଣ ଦାୟିତ୍ୱ ନେଇଛନ୍ତି ଆମର ମ୍ୟୁଜିକ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।