News 18 Odia Digital
ଭୁବନେଶ୍ୱର; ଆସନ୍ତା ଡିସେମ୍ବର ୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର 'ପ୍ରତୀକ୍ଷା' । ପୂର୍ବରୁ ୱାଶିଂଟନ ଡିସି ଏମସି ମଣ୍ଟଗୋମେରି ସିକ୍କିନଠାରେ 'ପ୍ରତୀକ୍ଷା'ର ୱାର୍ଲ୍ଡ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇସାରିଛି । ଏଥି ସହିତ ଡିସି ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ ଲାଗି ମଧ୍ୟ ମନୋନୀତ ହୋଇଛି ଏହି ଫିଲ୍ମ।
ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଓଡ଼ିଆ ଘରର କାହାଣୀକୁ ନେଇ ଓଡ଼ିଆତ୍ଵର ବାସ୍ନାରେ 'ପ୍ରତୀକ୍ଷା' ନିର୍ମିତ ହୋଇଛି । ତେଣୁ ଏହା ଓଡ଼ିଆ ଦର୍ଶକଙ୍କୁ ନିଶ୍ଚିତ ଭାବରେ ବାନ୍ଧି ରଖିବ। ତେଣୁ ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଚଳଚ୍ଚିତ୍ରକୁ ଦେଖନ୍ତୁ ଏବଂ ଓଡ଼ିଆ ସିନେମା ଶିଳ୍ପର ପୁନରୁଦ୍ଧାର ପାଇଁ ମାଧ୍ୟମ ହୁଅନ୍ତୁ। ସିନେମାକୁ ନେଇ ଅଭିନେତା ଦ୍ୱିପାୟନ କହିଛନ୍ତି ଯେ, ସିନେମାରେ କାହାଣୀ ଦମଦାର। ଏହାକୁ ଚମତ୍କାର ଭାବେ ପରଦାରେ ଉତାରିବାକୁ ଚେଷ୍ଟା କରିଛନ୍ତି ନିର୍ମାତା। ଦର୍ଶକମାନେ ଏହାକୁ ନିଶ୍ଚେ ପସନ୍ଦ କରିବେ। ଅଭିନେତ୍ରୀ ବର୍ଷା ପଟ୍ଟନାୟକ ମଧ୍ୟ ସିନେମାର ଗ୍ରହଣୀୟତାକୁ ନେଇ ଖୁବ ଆଶାବାଦୀ।
ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ । ମୋଟ ଉପରେ ଏହା ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ଵପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ରୋ଼ଶନ୍ ବିଶୋଇ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି । ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ଵ ନିର୍ବାହ କରିଛନ୍ତି।
ଏହି ସିନେମାଟି ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଗୌରବ ହାସଲ କରିବା ସହ ଶ୍ରେଷ୍ଠ କାହାଣୀର ମାନ୍ୟତା ପାଇ ରାଜ୍ୟକୁ ଆହୁରି ଗୌରବମୟ କରିଛି । ସିନେମାଟି ଦକ୍ଷିଣ ଏସିଆ ଉପମହାଦେଶର ଚଳଚ୍ଚିତ୍ର ବର୍ଗରେ ଚୟନ ହୋଇଥିବା ଅନେକଗୁଡ଼ିଏ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ମୋଟ ଉପରେ 'ପ୍ରତୀକ୍ଷା' ମଧ୍ୟ ବିଶେଷ ଭାବରେ ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଥିବାରୁ ଓଡ଼ିଆ ଦର୍ଶକମାନେ ନିହାତି ଫିଲ୍ମକୁ ଦେଖନ୍ତୁ ବୋଲି ସିନେମାଟିର ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଅନୁରୋଧ କରିଛନ୍ତି ।
ଚଳଚ୍ଚିତ୍ରର ପ୍ରି-ରିଲିଜ କାର୍ଯ୍ୟକ୍ରମରେ ଅଭିନେତା ଦିପନ୍ବୀତ,ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ,ସିନେମାଟୋଗ୍ରାଫର ଦୀପକ କୁମାର , ଚିତ୍ରନାଟ୍ୟ ଓ ସଂଳାପ ଲେଖକ ରୋସନ୍ ବିଷୋୟୀ ,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।