ଓଡ଼ିଆ ସିନେ ଜଗତରେ ପାଦ ଥାପିଲେ ଅଭିନେତା ଶ୍ରୀତମ ଦାସଙ୍କ ଲାଡଲୀ ଲିପାକ୍ସି

ନିଜ ଝିଅ ସିନେମା କରିବା ସମ୍ପର୍କରେ ମତ ରଖି ଶ୍ରୀତମ କହିଛନ୍ତି ଯେ ସବୁଠୁ ବେଶୀ କଷ୍ଟ ହୁଏ ନିଜ ପିଲାକୁ ନିର୍ଦ୍ଦେଶନା ଦେବା।

ରିଲିଜ୍ ଅପେକ୍ଷାରେ ସିନେମା 'ମହାବାହୁ'

ରିଲିଜ୍ ଅପେକ୍ଷାରେ ସିନେମା 'ମହାବାହୁ'

  • Share this:
News 18 Odia Digital

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ନୂଆ ସିନେମା 'ମହାବାହୁ'ର ପୋଷ୍ଟର ଲୋକାର୍ପଣ ହୋଇଛି । ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ ଏହି ସିନେମାଟିକୁ ନେଇ ଖୁବ୍ ଖୁସି ଅଛନ୍ତି । କାରଣ ଅଭିନେତା ଶ୍ରୀତମଙ୍କ ଏକମାତ୍ର ଝିଅ ଲିପାକ୍ସି ପ୍ରଥମଥର ପାଇଁ ସିନେମା 'ମହାବାହୁ'ରେ ଶିଶୁ କଳାକାର ଭୂମିକାରେ ଅଭିନୟ କରିଛନ୍ତି ।

ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରାରେ ନନ୍ଦିଘୋଷ ରଥ ସାମ୍ନାରେ ସିନେମାଟିର ପୋଷ୍ଟର ଲୋକାର୍ପଣ ହୋଇଥିଲା । ଏହି ଅବସରରେ ଅନେକ କଳାକାରଙ୍କ ସମେତ ଶ୍ରୀତମଙ୍କ ଝିଅ ଲିପାକ୍ସି ମଧ୍ୟ ବଡ଼ଦାଣ୍ଡରେ ଉପସ୍ଥିତ ଥିଲେ।​ ଲିପାକ୍ସି ପ୍ରଥମଥର ଚଳଚ୍ଚିତ୍ରରେ ଅଭିନୟ କରୁଥିବାରୁ ନିର୍ଦ୍ଦେଶକ ହିସାବରେ ଶ୍ରୀତମଙ୍କ ଠାରୁ ପ୍ରତିକ୍ରିୟା ଆମେ ଚାହିଁଥିଲୁ।

ଶ୍ରୀତମଙ୍କ କହିବାନୁଯାୟୀ, ‘‘ଅଭିନୟ ପ୍ରତି ଲିପାକ୍ସିଙ୍କ ବହୁ ପୂର୍ବରୁ ଆଗ୍ରହ ଥିଲା। କିନ୍ତୁ ସବୁଠୁ ବେଶୀ କଷ୍ଟ ହୁଏ ନିଜ ପିଲାକୁ ନିର୍ଦ୍ଦେଶନା ଦେବା । କିନ୍ତୁ ଲିପାକ୍ସି ଓ ମୋ କ୍ଷେତ୍ରରେ ତାହା ହୋଇନାହିଁ । ଲିପାକ୍ସି ଖୁବ୍ ସହଜରେ ସ୍କ୍ରିପ୍ଟ ମନେ ରଖିପାରୁଥିଲେ।’’

ଫିଲ୍ମ ଦୁନିଆରେ ପାଦ ଥାପିଲେ ଶ୍ରୀତମଙ୍କ ଲାଡଲୀ


ତେବେ ସୁଟିଂ ସେଟରେ ଲିପାକ୍ସି କେମିତି ଅଭିନୟ କରୁଥିଲେ ପଚାରିବାରୁ ଉତ୍ତରରେ ଶ୍ରୀତମ କହିଛନ୍ତି, ‘‘ସିନେମାର କିଛି ଅଂଶ ସୁଟିଂ ପାଇଁ କଳିଙ୍ଗ ଷ୍ଟୁଡ଼ିଓ ସେଟ୍ ଆମକୁ ଦିନକ ପାଇଁ ମିଳିଥିଲା, କିନ୍ତୁ ସେହି ଦିନ ଲିପାକ୍ସି ଅସୁସ୍ଥ ହୋଇପଡ଼ିଥିଲେ । ପରେ ସୁଟିଂର ପରିସ୍ଥିତିକୁ ସେ ନିଜେ ବୁଝିପାରି ଅସୁସ୍ଥତା ସତ୍ୱେ ନିଖୁଣ ଭାବରେ ଅଭିନୟ କରିଥିଲେ । ଲିପାକ୍ସିଙ୍କର ଏକ କାନ୍ଦିବାର ସିନ୍ ଥିଲା ବିନା ଗ୍ଲିସରିନରେ ସତସତିକା କାନ୍ଦିବାର ଚମତ୍କାର ଅଭିନୟ ସେ କରିଥିଲେ । ତେଣୁ ନିର୍ଦ୍ଦେଶକ ହିସାବରେ ମୁଁ ମୋ ଝିଅକୁ ଗାଳି କରିବାର ସୁଯୋଗ ପାଇଲିନାହିଁ ବୋଲି କହିଛନ୍ତି ଶ୍ରୀତମ । ସୁଟିଂ ସରିବା ପରେ ଲିପାକ୍ସିଙ୍କୁ ଡାକ୍ତଙ୍କ ପାଖକୁ ନିଆଯାଇଥିଲା । ନିଜ କଷ୍ଟକୁ ଚାପି ଦର୍ଶକଙ୍କ ନିକଟରେ ପହଞ୍ଚିବା ହେଉଛି ଜଣେ ପ୍ରକୃତ କଳାକାରର ପରିଚୟ । ଏଥିସହ ସୁଟିଂ ସେଟରେ ଅନ୍ୟ କଳାକାରଙ୍କ ସହ ସେ ଖୁବ୍ ପରିଚିତ ଥିବାରୁ ସମସ୍ତେ ଲିପାକ୍ସିଙ୍କ ସହ ମଜା କରୁଥିଲେ।’’

ସିନେମାର କାହାଣୀଟି ଖୁବ ନିଚ୍ଛକ ହୋଇଥିବାରୁ ଦର୍ଶକେ ଏହାକୁ ବେସ୍ ପସନ୍ଦ କରିବେ । ଓଡ଼ିଆ ମାଟିର କଳା,ସଂସ୍କୃତିର ଝଲକ ଥିବାରୁ ସିନେମାଟି ଦର୍ଶକଙ୍କୁ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଦେବ । ଏଥିସହ ଏହି ସିନେମାଟି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଥିବା ଭାବ,ଭକ୍ତିକୁ ସଭିଙ୍କ ହୃଦୟରେ ପହଞ୍ଚାଇବ । ସବୁଠୁ ବଡ଼ କଥା ହେଉଛି ସିନେମାରେ ଉଭୟ କାହାଣୀ ଓ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ନିଜେ ଶ୍ରୀତମ ଦାସ ଏହାସହ ନିଜେ ଏକ ଗଡମ୍ୟାନ୍ ଚରିତ୍ରରେ ଅଭିନୟ ମଧ୍ୟ କରିଛନ୍ତି ।

ଅନ୍ୟାନ୍ୟ ଭୂମିକାରେ ଆକାଶ ଦାସନାୟକ , ପୁନମ୍ ମିଶ୍ର, ଉଷଶି ମିଶ୍ର, ତନୁଶ୍ରୀ, ହରି, ତପି ମିଶ୍ର, ଦିବ୍ୟାଙ୍କ ସମେତ ଅନେକ କଳାକାରଙ୍କୁ ଦେଖିବାକୁ ପାଇବେ । ଏଥିସହ ପ୍ରେମାନନ୍ଦଙ୍କ ସଙ୍ଗୀତ ନିର୍ଦ୍ଦେଶନା ସଙ୍ଗୀତ ପ୍ରେମୀଙ୍କ ମନକୁ ବାନ୍ଧିବାରେ ସକ୍ଷମ ହେବ । ସିନେମାର ଟାଇଟେଲ୍ ଟ୍ରାକଟିକୁ ଶ୍ରୀଚରଣ ମହାନ୍ତି ଗାଇଥିବାବେଳେ ଅନ୍ୟ ଗୀତ ଗୁଡ଼ିକୁ ଗାଇଛନ୍ତି ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଦିପ୍ତୀରେଖା, ଅନ୍ତରା, ଏବଂ ଶଶାଙ୍କ । କଟକ, ଭୁବନେଶ୍ୱର ସମେତ ପୁରୀ ଓ କୋଣାର୍କ ଅଞ୍ଚଳରେ ସିନେମାଟି ସୁଟିଂ କରାଯାଇଛି । ରମେଶ ବାରିକଙ୍କ ଦ୍ୱାରା ପ୍ରଯୋଜିତ ଏହି ସିନେମାଟି ଆସନ୍ତା ଜୁଲାଇ ୨୨ରେ ରିଲିଜ୍ ହେବ ବୋଲି ଶ୍ରୀତମ ଦାସ 'ନ୍ୟୁଜ ୧୮ ଓଡ଼ିଆ'କୁ ସୂଚନା ଦେଇଛନ୍ତି ।
Published by:Soubhagya Mishra
First published: