ହାତରେ ମିଶାଇଲେ ହାତ; ଚର୍ଚ୍ଚାରେ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ ଓ ଗାୟିକା ପମି
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; କଂଗ୍ରେସ ହାତରେ ହାତ ମିଳାଇଲେ ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ତଥା ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ଗୁଡଲିଙ୍କ ସମେତ କଣ୍ଠଶିଳ୍ପୀ ପମି ମିଶ୍ର ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ପ୍ରଭାରୀ ଏ ଚେଲ୍ଲା କୁମାର ଏବଂ ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଭୟେ କଂଗ୍ରେସରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।
ପୂର୍ବରୁ ଗୁଡଲି ରଥଙ୍କ ବାପା କଂଗ୍ରେସ ଦଳର ବିଧାୟକ ଥିଲେ । ଗୁଡଲିଙ୍କ କହିବାନୁଯାୟୀ ସେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାରୁ ଅନୁପ୍ରାଣିତ ହୋଇଛନ୍ତି । ସେହିପରି ପମି ମିଶ୍ର ମଧ୍ୟ କଂଗ୍ରେସ ଦଳ ସପକ୍ଷରେ ରହିଛନ୍ତି । ଉଭୟେ କଂଗ୍ରେସରେ ଯୋଗଦେବା ପରେ ବର୍ତ୍ତମାନ ସେମାନଙ୍କୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ସବୁ ମହଲରେ ଚର୍ଚ୍ଚା ଲାଗି ରହିଛି । ରାଜ୍ୟରେ କଂଗ୍ରେସର ସ୍ଥିତି ଏତେଟା ଭଲ ନଥିବା ସମୟରେ ଓଲିଉଡର ଦୁଇ ପରିଚିତ କଳାକାର କଂଗ୍ରେସରେ କାହିଁକି ଯୋଗଦେଲେ ସେନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ଆଗକୁ ୨୦୨୪ରେ ନିର୍ବାଚନ । ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ପରି କଂଗ୍ରେସ ମଧ୍ୟ ନିଜ ଦଳକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛି ।
ସୂଚନାଯୋଗ୍ୟ, ସଙ୍ଗୀତ ଜଗତରେ ଗୁଡଲି ରଥ ଅନେକ ମିଠା ମିଠା ଗୀତ ସଙ୍ଗୀତପ୍ରେମୀଙ୍କୁ ଭେଟି ଦେଇଛନ୍ତି । ଓଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଗୁଡଲି । ସେହିପରି ପମି ମିଶ୍ର ମଧ୍ୟ ନିଜର ସୁମଧୁର କଣ୍ଠସ୍ୱରରେ ଶ୍ରୋତାଙ୍କର ମନରେ ସ୍ୱତନ୍ତ୍ର ସ୍ଥାନ ବନେଇଛନ୍ତି । କଂଗ୍ରେସରେ ଉଭୟଙ୍କ ଯୋଗଦାନ ପରେ କେବଳ ରାଜନୈତିକ ବ୍ୟକ୍ତି ବିଶେଷ କିମ୍ୱା ସାଧାରଣ ଲୋକ ନୁହଁନ୍ତି ବରଂ ଓଲିଉଡରେ ମଧ୍ୟ ଏମାନଙ୍କ ଉପରେ ଚର୍ଚ୍ଚା ଚାଲିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।