News18 Odia Digital
ଭୋପାଳ: ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ବହୁ ଚର୍ଚ୍ଚିତ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ବିବାଦ ବଢ଼ିଚାଲିଛି। ମଧ୍ୟପ୍ରଦେଶ ବିଧାନସଭାର ବାଚସ୍ପତି ଗିରିଶ ଗୌତମ ଏହି ଫିଲ୍ମ ସମ୍ପର୍କରେ ଶାହରୁଖଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି ଯେ ଶାହରୁଖ ପ୍ରଥମେ ତାଙ୍କ ଝିଅ ସହିତ ବସି ଏହି ଫିଲ୍ମ ଦେଖିବା ଉଚିତ୍। ଏହା ପରେ ସେ ଏହାର ଫଟୋ ସୋସିଆଲ ମିଡ଼ିଆରେ ରଖିବା ଉଚିତ୍ ଏବଂ ବିଶ୍ବକୁ ଜଣାଇବା ଉଚିତ୍ ଯେ ସେ ତାଙ୍କ ଝିଅ ସହିତ ଏହି ଫିଲ୍ମ ଦେଖିଛନ୍ତି। ଏହାପୂର୍ବରୁ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଏହି ଫିଲ୍ମକୁ ବିରୋଧ କରିଥିଲେ। ମଧ୍ୟପ୍ରଦେଶରେ ଏହି ଫିଲ୍ମ ରିଲିଜ ନକରିବାକୁ ସେ କହିଥିଲେ।
ଏହା ସହିତ ବିଧାନସଭା ବାଚସ୍ପତି ଶାହରୁଖଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ପେଗାମ୍ବର ମହମ୍ମଦଙ୍କ ଉପରେ ସମାନ ଫିଲ୍ମ ନିର୍ମାଣ କରିବାକୁ ତଥା ଦେଶର ଯେକୌଣସି ସିନେମା ହଲରେ ରିଲିଜ କରନ୍ତୁ। ସେ ପ୍ରଶ୍ନ କରିଛନ୍ତି ଯେ ଶାହରୁଖଙ୍କର ଏହା କରିବାକୁ ସାହସ ଅଛି କି?
ସୋମବାର ମଧ୍ୟପ୍ରଦେଶରେ ଶୀତ ଅଧିବେଶନ ଆରମ୍ଭ ହେଉଥିବା ସମୟରେ ବାଚସ୍ପତି ଗିରିଶ ଗୌତମ ଏହି ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଶାସକ ବିଜେପି ଏହି ପ୍ରସଙ୍ଗକୁ ତଳେ ରଖିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହି ଚଳଚ୍ଚିତ୍ରକୁ କଂଗ୍ରେସ ମଧ୍ୟ ବିରୋଧ କରିଛି।
କଂଗ୍ରେସର ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ଡ଼ଃ. ଗୋବିନ୍ଦ ସିଂ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପଚୌରୀ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।
ପଠାନ ନୁହେଁ ପୋଷାକକୁ ନେଇ ବିରୋଧକଂଗ୍ରେସ ନେତା ସୁରେଶ ପଚୌରୀ କହିଛନ୍ତି ଯେ ଏହି ବିରୋଧ ପଠାନଙ୍କ ବିରୋଧରେ ନୁହେଁ, ବରଂ ପୋଷାକ ବିରୋଧରେ। ଭାରତୀୟ ସଭ୍ୟତା ଏବଂ ସଂସ୍କୃତିରେ ଏଭଳି ପୋଷାକ କୌଣସି ମହିଳାଙ୍କ ପାଇଁ ଉପଯୁକ୍ତ ନୁହେଁ। କିମ୍ବା ମହିଳାଙ୍କୁ ଏପରି ପୋଷାକ ପିନ୍ଧିବାକୁ ଦିଆଯାଇପାରିବ ନାହିଁ। ତେବେ ସେ ଜଣେ ହିନ୍ଦୁ କିମ୍ବା ମୁସଲମାନ ହୁଅନ୍ତୁ, କାହାକୁ ଏପରି ପୋଷାକ ପିନ୍ଧିବାକୁ ଦିଆଯାଇପାରିବ ନାହିଁ।
ଏହାପୂର୍ବରୁ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ରା ଏହି ଫିଲ୍ମକୁ ବିରୋଧ କରିଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ଫିଲ୍ମରେ ଏଭଳି ପୋଷାକର ପ୍ରଦର୍ଶନ ହେଉଛି ମଇଳା ମାନସିକତାର ସଙ୍କେତ।
ବିଧାୟକ ସୂଚନା ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତିମଧ୍ୟପ୍ରଦେଶର ବିଜେପି ବିଧାୟକ ନାରାୟଣ ତ୍ରିପାଠୀ ଫିଲ୍ମର ଗୀତ 'ବେସରମ ରଙ୍ଗ' ରିଲିଜ ହେବା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ। ଫିଲ୍ମର ରିଲିଜକୁ ବନ୍ଦ କରିବାକୁ ଦାବି କରି ସେ କହିଛନ୍ତି ଯେ ଗେରୁଆ ରଙ୍ଗକୁ ନେଇ ଫିଲ୍ମରେ ଭୁଲ ପ୍ରଦର୍ଶନ କରାଯାଉଛି। ଏହା ଭାରତୀୟ ସଂସ୍କୃତିର ବିରୋଧୀ ଏବଂ ଏହାକୁ ତୁରନ୍ତ ନିଷେଧ କରାଯିବା ଉଚିତ୍। ଏହା ସହିତ ଯେଉଁମାନେ ଏହାକୁ ତିଆରି କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।