News 18 Odia Digital
ଭୁବନେଶ୍ୱର: ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଲୋକମାନେ ନାନା ଅସୁବିଧା (problem)ର ସମ୍ମୁଖୀନ ହେଉଥିଲେ। ସେଥିପାଇଁ ବିଭିନ୍ନ ସ୍ଥାନରୁ ଶରଣାର୍ଥୀମାନେ ଯିବା ଆସିବା କରୁଥିଲେ। ବମ୍ବେ ସହରକୁ ମଧ୍ୟ ଅନେକ ଶରଣାର୍ଥୀ ସେହି ସମୟରେ ଆସିଥିଲେ । ଫଳରେ ଅନେକ କବି, ଲେଖକ ସେହି ସମୟରେ ମୁମ୍ବାଇ (mumbai) ଆସିଥିଲେ। ସେହି ସମୟରୁ ସାରା ଦେଶରେ ଏକ ସାଂପ୍ରଦାୟିକ ପରିବେଶ ମଧ୍ୟ ଦାନା ବାନ୍ଧିଥିଲା। ୧୯୪୨ରେ ଭାରତ ଛୋଡ଼ ଆନ୍ଦୋଳନ ହୋଇଥିଲା । କଂଗ୍ରେସ (congress)ର ବଡ଼ବଡ଼ ନେତା ଜେଲ୍ ଯାଇଥିଲେ। ସେହି ସମୟରେ ଏକ ସିନେମା (film) ଆସିଥିଲା ‘ସିକନ୍ଦର’ । ସେହି ସମୟରେ ସେହି ସିନେମା ସୁପରହିଟ୍ (superhit) ହୋଇଥିଲା। ଏହାର ସଫଳତା ଦେଖି ଅନେକ ସିନେମା ନିର୍ମିତ ହେବାରେ ଲାଗିଲା । ‘ଶକୁନ୍ତଳା’, କେ.ମୁନସିଙ୍କ ଉପନ୍ୟାସ ଉପରେ ଆଧାରିତ ‘ପୃଥ୍ବୀବଲ୍ଲଭ’ ଏବଂ ‘ଚନ୍ଦ୍ରଗୁପ୍ତ ମୌର୍ଯ୍ୟ’ ଭଳି ଅନେକ ବଡ଼ବଡ଼ ସିନେମା ଆସିଲା । କିନ୍ତୁ ଗୋଟିଏ ବି ସଫଳ ହୋଇ ନ ଥିଲା । କାରଣ ସେଥିରେ ଉପଯୁକ୍ତ ଭାଷାର ଅଭାବ ଥିଲା। ସେହି ସମୟରେ ବମ୍ବେ ସହର ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରିର ଚେହେରା ବି ଭିନ୍ନ ଥିଲା। ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ଏମିତି ଅନେକ କିଛି ଥିଲା ବି-ଟାଉନ୍ ଭିତରେ। ଅନେକ ଚର୍ଚ୍ଚା ଓ ବିବାଦ ବି ଥିଲା ସେହି ସମୟରେ। ବମ୍ବେ ସହରର ସିନେମା ପଛରେ ଥିଲା ଅନେକ କାହାଣୀ । କିଛି ଅଭିନୟର, ଆଉ କିଛି ବାସ୍ତବର।
ଅନେକ ଲୋକଙ୍କୁ ଭାରତୀୟ ସିନେମାର ଇତିହାସ (history) ବିଷୟରେ ଚର୍ଚ୍ଚା କରୁଥିବା ଆପଣ ଶୁଣିବାକୁ ପାଉଥିବେ । ଖାସ୍ କରି ସିନେମା ପ୍ରିୟ ଲୋକ ଏ ବିଷୟରେ ଚର୍ଚ୍ଚା କଲେ, ଧୀରେଧୀରେ ସେହି ଭିତରେ ସେମାନେ ବୁଡ଼ି ରହିଥା’ନ୍ତି । ୧୯୪୦ ଦଶକର ସିନେମା ଇଣ୍ଡଷ୍ଟ୍ରି ଏବଂ ସେଠାରେ ଘଟିଥିବା ଘଟଣାବଳୀକୁ ନେଇ ଆସିଛି ଏକ ୱେବ୍ ସିରିଜ ‘ଜୁବ୍ଲି’। ଆମାଜନ୍ ପ୍ରାଇମ୍ରେ ତିବା ଏହି ୱେବ ସିରିଜରେ, ଭାରତୀୟ ସିନେମାର ସେଇ ସ୍ବର୍ଣ୍ଣିମ ଯୁଗର କେତେକ ଅନାଲୋଚିତ ଅଧ୍ୟାୟ, ଘଟଣାକ୍ରମ ଓ ଷ୍ଟାର୍ଙ୍କ ମଧ୍ୟରେ ଥିବା ଅନେକ ବିବାଦ ହେଉ ଅବା ଗସିପ୍ ଦର୍ଶାଯାଇଛି। ଏହି କାହାଣୀ ହେଉଛି ଟକିଜ୍ ଜମାନାର। ସ୍ବାଧୀନତା ପୂର୍ବର ଭାରତୀୟ ସିନେମା ଇଣ୍ଡଷ୍ଟ୍ରି ଏଥିରେ ଦେଖିବାକୁ ମିଳୁଛି। ତିନି ଜଣ କଳାକାର ଅଛନ୍ତି, ଜମଶେଦ ଖାନ, ବିନୋଦ ଦାସ ଏବଂ ଜୟ ଖାନ୍ନା। ଏହି ତିନି ଜଣଙ୍କ ସ୍ବପ୍ନ ହେଉଛି ବଡ଼ ଷ୍ଟାର୍ (big star) ହେବା । ସେହିପରି ଜଣେ ଯୁବତୀ ଅଛି ନିଲୋଫର୍, ଯିଏ କେମିତି ନା କେମିତି ଏହି ତିନି ଜଣଙ୍କ ସହ ପର୍ଯ୍ୟାୟ କ୍ରମେ ଯୋଡ଼ି ହେଉଛି। ‘ଜୁବ୍ଲି’ ସିନେମା ଇଣ୍ଡଷ୍ଟ୍ରି ବିଷୟରେ କହିବା ସହ ସେଠାରେ କାମ କରୁଥିବା କଳାକାରଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଏହାର କାହାଣୀ ଭିତରେ ଆସୁଛି। ୧୯୪୦ରୁ ୧୯୫୫ ମସିହା ପର୍ଯ୍ୟନ୍ତ ଆପଣ ସିନେମା ଇଣ୍ଡଷ୍ଟ୍ରି ବିଷୟରେ ଯେତିକି ବିବାଦ ଓ ଚର୍ଚ୍ଚା ବିଷୟରେ ଶୁଣିଥିବେ, ସେସବୁ ଏହି ୱେବ ସିରିଜରେ ଅଛି।
ହିନ୍ଦୀ ସିନେମାର ପ୍ରାରମ୍ଭିକ ସମୟରେ ସବୁଠାରୁ ପ୍ରସିଦ୍ଧ ଷ୍ଟୁଡିଓ (studio) ହେଉଛି ବମ୍ବେ ଟକିଜ । ମୁମ୍ବାଇ ମଲାଡ୍ ଅଞ୍ଚଳରେ ଥିବା ଏହି ଷ୍ଟୁଡିଓ ନିଜେ ଏକ କାହାଣୀ । ଏହି ବମ୍ବେ ଟକିଜକୁ ଗଢ଼ିବା, ତୋଳିବା ଏବଂ ପ୍ରସିଦ୍ଧି କରିବାର ବିନ୍ଧାଣୀ ହେଉଛନ୍ତି ହିମାଂଶୁ ରାୟ ଏବଂ ଦେବିକା ରାନୀ । ଦେବିକା ରାନୀ ବିଦେଶରେ ପଢ଼ିଥିଲେ । ହିମାଂଶୁ ରାୟଙ୍କୁ ବିବାହ କରିବା ପରେ ଉଭୟ ଜର୍ମାନୀ ଗଲେ । ସିନେମା ନିର୍ମାଣ କରିବାର କୌଶଳ ସେଠାରେ ଶିଖିବା ପରେ ବମ୍ବେ ଫେରି ସିନେମା ନିର୍ମାଣ କରିବାର ବ୍ୟବସାୟ ଆରମ୍ଭ କରିଥିଲେ । ହିମାଂଶୁ ରାୟଙ୍କ ନିଧନ ପରେ ଦେବିକା ରାନୀଙ୍କ ଜଣେ ରୁଷୀୟ ଚିତ୍ରକରଙ୍କ ସହ ସମ୍ପର୍କ ବଢ଼ିବାରେ ଲାଗିଲା । ଆଉ ଉଭୟ ବିବାହ ମଧ୍ୟ କରିଥିଲେ। ତେବେ ଏହି ବମ୍ବେ ଟକିଜରେ ସୁଯୋଗ ପାଇ ଅଶୋକ କୁମାର ସୁପରଷ୍ଟାର ହୋଇଥିଲେ । ସାନ ଭାଇ କିଶୋର କୁମାରଙ୍କୁ ଗାଇବାର ନିଶା ଏଠାରୁ ହିଁ ଲାଗିଥିଲା । ପରେ ଯାହା ସବୁ ଘଟିଲା, ସିନେମା ପ୍ରିୟ ଲୋକଙ୍କୁ ସେ ବିଷୟରେ ଅଳ୍ପ ବହୁତ ଜଣାଥିବ।
ସତ-ମିଛର କାହାଣୀ ‘ଜୁବ୍ଲି’ୱେବ ସିରିଜ ‘ଜୁବ୍ଲି’ର କାହାଣୀ ରାୟ ଟକିଜରେ କାମ କରୁଥିବା ଜଣେ ସାମାନ୍ୟ କର୍ମଚାରୀ ବିନୋଦ ଦାସର । ସେ କେମିତି ପର୍ଯ୍ୟାୟ କ୍ରମେ ଭାରତର ସବୁଠାରୁ ବଡ଼ ସୁପରଷ୍ଟାର ମଦନ କୁମାର ହେଉଛି, ଏବଂ ସୁପରଷ୍ଟାର ହେବା ପରେ କ’ଣ ସବୁ ଜୀବନରେ ଘଟୁଛି, ତାହା ହିଁ ଏହାର କାହାଣୀ। ଦେଶକୁ ସ୍ବାଧୀନତା ମିଳି ନ ଥିଲା । କିନ୍ତୁ ରାୟ ଟକିଜକୁ ଦରକାର ଥିଲା ଜଣେ ନୂଆ ସୁପରଷ୍ଟାର ‘ମଦନ କୁମାର’ । ଲକ୍ଷ୍ନୌର ନାମୀଦାମୀ ମଞ୍ଚ କଳାକାର ଜମଶେଦ ଖାନ୍ ଅଡିସନରେ ସର୍ବାଗ୍ରେ ରହିବା ପରେ ରାୟ ଷ୍ଟୁଡିଓର ମାଲିକାଣୀ ସୁମିତ୍ରା କୁମାରୀ ଖୋଦ୍ ଫିଲ୍ମ ସାଇନ କରିବାକୁ ଲକ୍ଷ୍ନୌ ଆସନ୍ତି। ଉଭୟଙ୍କ ମଧ୍ୟରେ ଗଢ଼ି ଉଠେ ପ୍ରେମ ସମ୍ପର୍କ । ଆଉ ଏହା ଜାଣିପାରନ୍ତି ରାୟ ବାବୁ । ବିନୋଦ ଉଭୟଙ୍କୁ ନେବା ପାଇଁ ଆସେ । କିନ୍ତୁ ସେତେବେଳକୁ ଦେଶ ବିଭାଜନର ଦଙ୍ଗା ଆରମ୍ଭ ହୁଏ । ଏହାପରେ ଏମିତି କିଛି ଘଟେ, ଯାହା ପରେ ରାୟ ବାବୁ ବିନୋଦକୁ ‘ମଦନ କୁମାର’ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ଦିଅନ୍ତି। ସେହି ସମୟର ଦୃଶ୍ୟ ଓ ପ୍ରସନ୍ନଜିତ ଚାଟାର୍ଜୀ ଓ ଅପାରଶକ୍ତି ଖୁରାନାଙ୍କ ଅଭିନୟ ଦେଖିଲେ ଆପଣ ଅବାକ୍ ହୋଇଯିବେ। ଏହାପରେ ସିନେମା ହିଟ୍ ହୁଏ । ଆଉ ତା’ପରେ କ’ଣ ହୁଏ, ତାହା ଆପଣ ୱେବ ସିରିଜ ଦେଖିବା ପରେ ଜାଣିପାରିବେ। ‘ଉଡାନ୍’, ‘ଲୁଟେରା’, ‘ଟ୍ରାପ୍ଡ’, ‘କ୍ବିନ୍’ ଭଳି ସିନେମା ଦର୍ଶକଙ୍କୁ ପରଷି ଦେଇଥିବା ବିକ୍ରମାଦିତ୍ୟ ମୋଟୱାନୀ ହେଉଛନ୍ତି ଏହି ଡ୍ରାମା ସିରିଜର ନିର୍ଦ୍ଦେଶକ । ତେବେ ରାୟ ଟକିଜରେ କାମ କରୁଥିବା ବିନୋଦର ସୁପରଷ୍ଟାର ମଦନ କୁମାର ହେବା ହିଁ ଏହି କାହାଣୀର ମୁଖ୍ୟ ଥିମ୍ । ଏହାରି ଭିତରେ କାହାଣୀକୁ ଗତିଶୀଳ କରାଇବାକୁ ନିର୍ଦ୍ଦେଶକ ମୋଟୱାନୀ ଏଥିରେ ଭରିଛନ୍ତି ଅନେକ ଛଙ୍କ୍।
ଦେଶୀ ବାସ୍ନାର ଏକ ଜବରଦସ୍ତ ତଡ୍କାଚଳିତବର୍ଷର ୱେବ ସିରିଜ ଭିତରେ ‘ଜୁବଲି’ ଏପର୍ଯ୍ୟନ୍ତର ସବୁଠାରୁ ହିଟ୍ ୱେବ ସିରିଜ। ଏଥିରେ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନୀଙ୍କ ଛୋଟ ଛୋଟ କ୍ରାଫ୍ଟ ଆପଣଙ୍କୁ ବାନ୍ଧି ରଖିବ। ସୌମିକ ସେନ, ବିକ୍ରମାଦିତ୍ୟ ମୋଟୱାନୀ ଏବଂ ଅତୁଲ ସଭରୱାଲଙ୍କ ଦମ୍ଦାର କାହାଣୀ ଓ ସଂଳାପ । ସେହିପରି ‘କଲା’ରେ ନିଜ ସଙ୍ଗୀତର ତମାମ ଯାଦୁ ଦେଖାଇ ସାରିଥିବା ଅମିତ ତ୍ରିବେଦୀ ଏଥର ମଧ୍ୟ କୌସର ସୁନିଙ୍କ ସହ ମିଶି ସେହି ସ୍ବର୍ଣ୍ଣିମ ଯୁଗକୁ ଜବରଦସ୍ତ ମ୍ୟୁଜିକରେ ସଜାଇଛନ୍ତି। ଆପଣ ସବୁ ଗୀତରେ ସେଇ ପୁରୁଣା ହିନ୍ଦୀ ସିନେମା ଗୀତର ଛୁଙ୍କ୍ ପାଇବେ। ସଙ୍ଗୀତ କଥା ଯେତେବେଳେ ଉଠିଛି, ଏହାର ସାଉଣ୍ଡ ଡିଜାଇନ ଟିମ୍କୁ ମଧ୍ୟ କ୍ରେଡିଟ୍ ଯିବ । କାରଣ, ନିରବତା ଭିତରେ କେମିତି ବିନା ବ୍ୟାକ୍ ଗ୍ରାଉଣ୍ଡ ମ୍ୟୁଜିକରେ ସିନ୍ କ୍ରିଏଟ୍ କରାଯାଇପାରେ, ତାହା ସାଉଣ୍ଡ ଡିଜାଇନ୍ ଟିମ୍ ଚମତ୍କାର ଢଙ୍ଗରେ କରିଛନ୍ତି।
ଅପାରଶକ୍ତି ଖୁରାନାଙ୍କ ଅଭିନୟର ଯାଦୁଅନୁଭବୀ କଳାକାର ଭାବେ ପ୍ରସନ୍ନଜିତ ଚାଟାର୍ଜୀ ଏହି ସିରିଜରେ ଜବରଦସ୍ତ ଅଭିନୟ କରିଛନ୍ତି। ତାଙ୍କର ଗମ୍ଭୀର ସଂଳାପ ଭିତରେ ଆରିଷ୍ଟୋକ୍ରାସିର ଏକ ୟୁନିକ୍ ଛାପ ବାରି ହୋଇପଡୁଛି। ତାଙ୍କର ସଂଳାପ କହିବାର ଶୈଳୀ ଆପଣଙ୍କୁ ବାନ୍ଧି ରଖିବ । କିନ୍ତୁ ଏଥିରେ ଆଉ ଦୁଇ ଜଣ କଳାକାର ଅଭିନୟ କରିଛନ୍ତି, ଅପାରଶକ୍ତି ଖୁରାନା ଓ ସିଦ୍ଧାନ୍ତ ଗୁପ୍ତା। ବଡ଼ ଭାଇ ଆୟୁଷ୍ମାନ ଖୁରାନାଙ୍କ ଭଳି ଅପାରଶକ୍ତି ମଧ୍ୟ ଜଣେ ବଳିଷ୍ଠ ଅଭିନେତା । ପ୍ରଥମ ଥର ପାଇଁ ସେ ପରଦାରେ ନିଜ ଅଭିନୟର ଅସଲ ରଙ୍ଗ ଦେଖାଇଛନ୍ତି। ଷ୍ଟାଫ୍ କ୍ବାର୍ଟରରୁ ବାହାରି ଷ୍ଚାର କ୍ବାର୍ଟର୍ସରେ ରହୁଥିବା ଅପାରଶକ୍ତିଙ୍କ ଅଭିନୟର ଚମତ୍କାରିତା କାହାଣୀକୁ ଗୋଟିଏ ନିଃଶ୍ବାସରେ ଆଗକୁ ବଢ଼ାଉଛି। ଏଥିରେ ଗୋଟିଏ ଦୃଶ୍ୟ ଅଛି, ଗାଡ଼ି ଦୁର୍ଘଟଣା ହେବା ପରେ ତା’ ଭିତରୁ ବାହାରି ବିନୋଦ ଜମଶେଦ ଖାନଙ୍କୁ ଗୋଇଠା ମାରୁଛି, ଏବେ ଏହାପରେ ଦଙ୍ଗାକାରୀମାନେ ଆସିବା ପରେ ସେ ସେଠାରୁ ଛାଡ଼ି ପଳାଇ ଯାଉଛି । ଯିବା ପୂର୍ବର ଦୃଶ୍ୟକୁ ଅତି ଚମତ୍କାର ଢଙ୍ଗରେ ପ୍ରଦର୍ଶିତ କରାଯାଇଛି। ସେହି ସମୟରେ ଆପାରଶକ୍ତିଙ୍କ ଗମ୍ଭୀର ଅଭିନୟ ବାରି ହୋଇପଡୁଛି । ପ୍ରାୟ ସବୁ ଦୃଶ୍ୟରେ ସେ ନିଜ ଅଭିନୟକୁ ସଠିକ୍ ଢଙ୍ଗରେ ତୁଲାଇଛନ୍ତି।
ସିଦ୍ଧାନ୍ତ ଗୁପ୍ତାଙ୍କ ଅଭିନୟଜୟ ଖାନ୍ନା ଭୂମିକାରେ ଚମତ୍କାର ଅଭିନୟ କରିଛନ୍ତି ସିଦ୍ଧାନ୍ତ ଗୁପ୍ତା । ତାଙ୍କ ଅଭିନୟ ଭିତରେ ଏକ ସାଇଲେଣ୍ଟ ରାଜ କପୁର ନଜର ଆସୁଥିଲା । ବିନା ଏକ୍ସପ୍ରେସନ୍ରେ ବି ଜଣେ କଳାକାର କେତେ ପ୍ରଖର ଅଭିନୟ କରିପାରେ, ତାହା ସିଦ୍ଧାନ୍ତ ଏହି ସିରିଜରେ ଦେଖାଇଛନ୍ତି । ସେହିପରି ସୁମିତ୍ରା କୁମାରୀ ଭୂମିକାରେ ଅଦିତି ରାଓଙ୍କ ଅଭିନୟକୁ ପ୍ରଶଂସାଯୋଗ୍ୟ । ତାଙ୍କର ଏକ ନିଜସ୍ବ ଅଭିନୟ ଦକ୍ଷତା ରହିଛି । ଅଦିତି ରାଓଙ୍କ ରିଭେଞ୍ଜ ଭିତରେ ଏକ ଅଭିନେତ୍ରୀ ହେବାର ଆଗ୍ରେସିଭ ଅନ୍ଦାଜ ଆପଣ ଏଥିରେ ପାଇବେ। ଏଥିରେ ଗୋଟେ ଦୃଶ୍ୟ ଅଛି । ନିଲୋଫର୍ ପାର୍ଟି ଛାଡ଼ି କାନ୍ଦି କାନ୍ଦି ବାହାରକୁ ଆସୁଛି । ଜୟ ଖାନ୍ନା ମଧ୍ୟ ତା’ ସାଙ୍ଗରେ ବାହାରକୁ ଆସୁଛି। ସେଠାରେ ତଳେ ବସିଥିବା ନୋଲିଫର ସାମ୍ନାରେ ଛିଡ଼ା ହୋଇ ନିଜ ହାତରେ ଛତାର ନକଲ କରି ଏକ ରୋମାଣ୍ଟିକ ପଣ ଓ ପ୍ରେମ ଅଜାଡ଼ି ଦେଉଛି ଜୟ । ସେହି ସମୟରେ ସିଦ୍ଧାନ୍ତଙ୍କ ଅଭିନୟର ପରାକାଷ୍ଠାକୁ ଆପଣ ବାରି ପାରିବେ।
ଏହି ୱେବ ସିରିଜର ସିନେମାଟୋଗ୍ରାଫି ଖୁବ୍ ସୁନ୍ଦର । ପ୍ରତିଟି ଦୃଶ୍ୟ, ପ୍ରତିଟି ଗୀତରେ ଆପଣ ଶତ ପ୍ରତିଶତ ରେଟ୍ରୋ ଫିଲ୍ ପାଇବେ। ଯଦି ଆପଣ ଭାରତୀୟ ସିନେମା ଦେଖନ୍ତି, ସିନେମା ଇଣ୍ଡଷ୍ଟ୍ରିର ଇତିହାସ ବିଷୟରେ ଜାଣିବାର ରୁଚି ରଖନ୍ତି । ପରଦା ପଛର ସତ୍ୟତାକୁ ଠଉରାଇ ପାରିବାର ଇଚ୍ଛା ରଖନ୍ତି, ତେବେ ‘ଜୁବଲି’ ଦେଖନ୍ତୁ । କଳାକାର ଜୀବନର ଉତ୍ଥାନ,ପତନ ଓ ବ୍ୟକ୍ତିଗତ ଜୀବନରେ ଗୋପନୀୟତା ଭିତରେ ଲୁଚି ରହିଥିବା ସତ-ମିଛର ପ୍ରହେଳିକା ହେଉଛି ‘ଜୁବ୍ଲି’
‘‘ୟେ ଯୋ ହମାରା ବ୍ୟାପାର୍ ହୈ ନା, ଫିଲ୍ମ କା...ୟହାଁ ସବ୍କୋ ବଡ଼ା ବଡ଼ା ବୋଲ୍କେ ମଜା ଆତା ହୈ, ଯୋ ଚୁପ୍ ରେହତା ହୈ ନା ଲମ୍ବା ଚଲ୍ତା ହୈ’’...
ରିପୋର୍ଟ- ଚାରୁ ଚନ୍ଦନ ଦାଶ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।