News18 Odia Digital
ନୂଆ ଦିଲ୍ଲୀ : ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟ୍ସମ୍ୟାନ ହରଭଜନ ସିଂହ ଫିଲ୍ମ ଦୁନିଆରେ ପାଦ ଦେଇ ସାରିଛନ୍ତି। ବର୍ତ୍ତମାନ ତାଙ୍କର ନୂଆ ତାମିଲ ଫିଲ୍ମ ‘ଫ୍ରେଣ୍ଡ୍ସିପ’ର ଟ୍ରେଲର ମଧ୍ୟ ରିଲିଜ ହୋଇସାରିଛି। ଏହି ଫିଲ୍ମ ଦେଖିଲେ କଲେଜ ବେଳର ଜୀବନ ନିଶ୍ଚିତ ମନେ ପଡ଼ିଯିବ। ହରଭଜନଙ୍କ ଏହି ଫିଲ୍ମକୁ ଦର୍ଶକେ ବହୁଦିନ ଧରି ଅପେକ୍ଷା କରିଛନ୍ତି। ଏବେ ଯେତେବେଳେ ଏହାର ଟ୍ରେଲର ରିଲିଜ ହୋଇଯାଇଛି ସେମାନଙ୍କ ଉତ୍ସାହ ଦୁଇଗୁଣା ବଢ଼ିଯାଇଛି। ପ୍ରଶଂସକମାନେ ଟ୍ରେଲରକୁ ନେଇ ରିଆକ୍ଟ କରିବା ସହ ହରଭଜନଙ୍କୁ ଶୁଭେଛା ମଧ୍ୟ ଜଣାଉଛନ୍ତି ।
ଟ୍ରେଲର କଥା କହିଲେ, ଏଥିରେ କଲେଜ ଜୀବନର କମ୍ପ୍ଲିକେଟେଡ କାହାଣୀ ଦେଖାଯାଇଛି। ପୂର୍ବରୁ ସବୁ ଛାତ୍ରମାନେ ବହୁତ ଉପଭୋଗ କରୁଥିବା ବେଳେ ସବୁ କିଛି ଠିକ ଠାକ ଚାଲିଛି। କିନ୍ତୁ ପରେ ସବୁ କିଛି ଗୋଳମାଳ ହେବା ସହ ଓଲଟ ପାଲଟ ହୋଇଯାଇଛି। ପୁଲିସ ହରଭଜନ ସିଂ ଓ ଅନ୍ୟ ସାଥିମାନଙ୍କୁ ଗିରଫକରି ନେଇଯାଏ। ଦେଖିବାକୁ ଗଲେ ଏହାର କୌଣସି ଠୋସ କାରଣ ମଧ୍ୟ ନ ଥାଏ। ଏହା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ହକ ପାଇଁ ସ୍ୱର ଉଠାଇବାର ଦୃଶ୍ଯ ଦେଖାଯାଇଛି। ଫିଲ୍ମର କାହାଣୀରେ ରାଜନୈତିକ ଦୃଷ୍ଟିଭଙ୍ଗୀ ମଧ୍ୟ ଦିଆଯାଇଛି। ତେବେ ପୂରା ଫିଲ୍ମ ଦେଖିଲା ପରେ ହିଁ ଫିଲ୍ମର କାହାଣୀ କ’ଣ ଜଣାପଡ଼ିବ।
ଏହି ଫିଲ୍ମର ଟ୍ରେଲର ଉଭୟ ତେଲୁଗୁ ଓ ତାମିଲିରେ କରାଯାଇଛି। ହରଭଜନ ଟ୍ରେଲର ରିଲିଜ କରି ଲେଖିଛନ୍ତି ଯେ- “ଥ୍ରୀଲର୍, ସସ୍ପେନ୍ସ, କମେଡୀ, ରିଭେଞ୍ଜ୍, ସେଣ୍ଟିମେଣ୍ଟ୍ ଓ ଇମୋସନ୍ସ। ଆପଣଙ୍କୁ ସବୁକିଛି ଏହି ଗୋଟିଏ ସୁପର୍ଏଣ୍ଟରଟେନିଙ୍ଗ୍ ଫିଲ୍ମ ଫ୍ରେଣ୍ଡସିପରେ ମିଳିଯିବ।" #Friendship ର ଟ୍ରେଲର ରିଲିଜ୍ ହୋଇସାରିଛି। ଏହି ଫିଲ୍ମକୁ ଜନ ପାଲ୍ ରାଜ୍ ଓ ଶାମ ସୂର୍ଯ୍ୟା ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ଆକ୍ସନ କିଙ୍ଗ୍ ଅର୍ଜୁନ୍ ଏକ ବିଶେଷ ଭୂମିକାରେ ନଜର ଆସିବେ। ଏହା ଛଡା ଏହି ଫିଲ୍ମରେ ସତୀଶ ହରଭଜନ ସିଂହଙ୍କ ସାଙ୍ଗ ଭୂମିକାରେ ଆସିବେ।
ପ୍ରକାଶଥାଉ ଯେ କ୍ରିକେଟ୍ରେ ହରଭଜନ ସିଂହଙ୍କ କ୍ଯାରିଅର ବହୁତ ଭଲ ଥିଲା। ଭାରତୀୟ ଟିମରେ ଅନିଲ କୁମ୍ବିଲଙ୍କ ପରେ ସେ ସବୁଠାରୁ ଅଧିକ ୱିକେଟ ନେବା ବୋଲର ଥିଲେ। ଏହା ଛଡା ବ୍ୟାଟିଂରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ଅଭିନୟ ଦୁନିଆରେ ବି ନିଜର ନାମକୁ ସାମିଲ କରି ଆଉ ଏକ ଦିଗ ଖୋଲିବା ସହିତ ନା କମେଇବାକୁ ଆଗଭର ହୋଇଛନ୍ତି। ତେବେ ଫିଲ୍ମରେ ତାଙ୍କ ଅଭିନୟ ପ୍ରଶଂସକମାନଙ୍କୁ କିପରି ଲାଗିବ ତାହା ସମୟ ହିଁ କହିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।