News 18 Odia Digital
ଭୁବନେଶ୍ୱର; ଯାତ୍ରାପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଯାତ୍ରା ସିଜିନ । ବିଳମ୍ୱିତ ରାତ୍ରିରେ ଝଲସି ଉଠିବ ମଞ୍ଚ , ଖଳନାୟକଙ୍କ ଡାଇଲଗ ଆଉ ନାୟକ ନାୟିକାଙ୍କ ରୋମାନ୍ସ ଦେଖିବା ପାଇଁ ଯାତ୍ରା ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଜୁଲାଇ ଶେଷ ସୁଦ୍ଧା ଲୋକଙ୍କ ଗହଣରେ ଯାତ୍ରା ଆରମ୍ଭ କରିବେ ବିଭିନ୍ନ ଯାତ୍ରାପାର୍ଟି । ଯାତ୍ରା ପାଇଁ ଏବେ ଆଖଡ଼ା ଶାଳରେ ଚାଲିଛି ଜୋରଦାର ପ୍ରସ୍ତୁତି ।
ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଦେବା ପାଇଁ ଯାତ୍ରା ଜଗତ ଏବେ ଚଳଚଞ୍ଚଳ । ସବୁ ପାର୍ଟିରେ ଚାଲିଛି ଜୋରଦାର ପ୍ରସ୍ତୁତି । ନାଚ ,ଗୀତ ମେଲୋଡି ସାଙ୍ଗକୁ ଦମଦାର ନାଟକ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ସମସ୍ତ କଳାକାର ଲାଗିପଡିଛନ୍ତି । ସୂଚନା ମୁତାବକ ଜୁଲାଇ ଶେଷ ସୁଦ୍ଧା ଅଧିକାଂଶ ଯାତ୍ରା ପାର୍ଟି ପ୍ରଥମ ନାଟକ ଲୋକଙ୍କ ସମ୍ମୁଖରେ ପରିବେଷଣ କରିବେ । ସବୁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । ସାମାଜିକ ନାଟକ ସାଙ୍ଗକୁ ସମାଜରେ ଘଟୁଥିବା ବିଭିନ୍ନ ଘଟଣା ଗୁଡ଼ିକୁ ନେଇ କାହାଣୀ ପ୍ରସ୍ତୁତ କରିଛନ୍ତି ଯାତ୍ରାପାର୍ଟି ।
ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ଯାତ୍ରା ଜଗତକୁ ବେଶ ହଇରାଣ ହେବାକୁ ପଡିଥିଲା । ମୁଖ୍ୟତଃ ପ୍ରଥମ ବର୍ଷ କରୋନା ପାଇଁ ଯାତ୍ରା ବନ୍ଦ ଥିବାବେଳେ ଦ୍ୱିତୀୟ ବର୍ଷ ଅଧା ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ମିଳିଥିଲା । ହେଲେ ଚଳିତ ଥର କଟକଣା କୋହଳ ପରେ ଦର୍ଶକଙ୍କ ଭିଡ଼ ହେବା ନେଇ ଯାତ୍ରା କମିଟି ମାନେ ଆଶା ରଖିଛନ୍ତି । ଯାତ୍ରା ଅଭିନେତା ବାପି ପଣ୍ଡା କହିଛନ୍ତି... କରୋନା କଟକଣା କୋହଳ ହୋଇଛି ହେଲେ ଶେଷ ହୋଇନି । ଆମ ସମସ୍ତଙ୍କୁ କୋଭିଡ ଉପରେ ସଚେତନ ଓ ସାବଧାନ ହେବାକୁ ପଡିବ । ତେବେ ଏହା ଭିତରେ ଦର୍ଶକଙ୍କୁ ମନରଞ୍ଜନ କରିବା ପାଇଁ ଆମେ ପ୍ରସ୍ତୁତ ହେଉଛୁ । ଖୁବଶୀଘ୍ର ଲୋକଙ୍କ ସାମ୍ନାରେ ଆମେ ଆସିବୁ ନୂଆ କାହାଣୀ ନେଇ ।
ଯାତ୍ରା ଦର୍ଶକ ମଧ୍ୟ ଉତ୍କଣ୍ଠାର ସହିତ ଯାତ୍ରା ଦେଖିବାକୁ ଅପେକ୍ଷା କରିଛନ୍ତି । କେଉଁ କଳାକାରଙ୍କୁ ଏଥର କେଉଁ ଯାତ୍ରାପାର୍ଟି ରଖିଛି ଏବଂ କିଏ କେଉଁ ନାଟକ ପରିବେଷଣ କରୁଛି ଏସବୁ ଉପରେ ଏବେ ସଭିଙ୍କ ନଜର । ଯାତ୍ରା ନିର୍ଦ୍ଦେଶକ ଗୁରୁ ପ୍ରସାଦ ମିଶ୍ରଙ୍କ କହିବାନୁଯାୟୀ.. ଚଳିତ ଥର ଯାତ୍ରା ବିଶ୍ୱ ଦରବାର ଏକ ନୂଆ ଢଂଗର କାହାଣୀ ନେଇ ସମସ୍ତଙ୍କ ସାମ୍ନାକୁ ଆସିବ । ଏନେଇ ଅଭ୍ୟାସ ଶେଷ ହୋଇଛି । ଗୋଟିଏ ଷ୍ଟୋରୀ ଅଭ୍ୟାସ ପାଇଁ ପାଖାପାଖି ୧୫ ଦିନ ସମୟ ଲାଗିଥାଏ । ଓଡ଼ିଶାର ଯାତ୍ରା ବା ଜଲିଉଡ଼ ଇଣ୍ଡଷ୍ଟ୍ରିର ରହିଛି ଅନେକ ସ୍ୱତନ୍ତ୍ରତା । ମନୋରଞ୍ଜନ ମାଧ୍ୟମ ମଧ୍ୟରେ ଗୋଟିଏ ଅଂଶକୁ ଯାତ୍ରା ନିଜ ଅକ୍ତିଆରରେ ରଖିଛି । ତେଣୁ ଭଲ କଳାକାର, ଭଲ ଷ୍ଟେଜ୍ ଓ ଦର୍ଶକଙ୍କ ରୁଚି ଉପରେ ସବୁ ଯାତ୍ରାପାର୍ଟି ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।