News18 Odia Digital
ସବୁଠି ଓଡ଼ିଆ ଫିଲ୍ମ ଦମନକୁ ନେଇ ଚର୍ଚ୍ଚା। ଦମନ ରିଲିଜକୁ ଏତେ ଦିନ ବିତି ଯାଇଥିଲେ ବି ଆଜି ବି ଲୋକମାନେ ବେଶ ଉତ୍ସାହିତ ଅଛନ୍ତି। ଦମନକୁ ନେଇ ହଲ ମାଲିକଙ୍କ ନିଆରା ଉଦ୍ୟମ ଦେଖିବାକୁ ମିଳିଛି । ଏହି ଫିଲ୍ମ ଦେଖିବାକୁ ଆସୁଥିବା ଲୋକମାନଙ୍କୁ ହଲ ପକ୍ଷରୁ ମାଗଣା ବିରିୟାନୀ ଦିଆଯାଇଛି।
ଯାଜପୁର ଜିଲ୍ଲା ଜାରକା ସ୍ଥିତ କେ-ୱାନ ଟକିଜରେ ଯେଉଁ ଦର୍ଶକମାନେ ଦମନ ଫିଲ୍ମ ଦେଖିବେ ସେମାନଙ୍କୁ ମାଗଣା ଦମ ବିରିୟାନୀ ପ୍ରଦାନ କରାଯାଇଛି । ହଲ ପକ୍ଷରୁ କରାଯାଇଥିବା ଏହି ବ୍ୟବସ୍ଥାକୁ ନେଇ ଖୁସି ଅଛନ୍ତି ଦର୍ଶକ। ଲୋକମାନେ ଫିଲ୍ମ ଦେଖିସାରି ସାଙ୍ଗରେ ବିରିୟାନୀ ଧରି ଘରକୁ ଫେରିଛନ୍ତି।
ଦମନର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ଫିଲ୍ମ ପ୍ରେମୀ । ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଓ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏଥି ପାଇଁ ଉପଯୁକ୍ତ ସିନେମା ବା ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
‘ଦମନ’ର ସଠିକ୍ କାର୍ଯ୍ୟାନ୍ୱୟନ ନିମନ୍ତେ ନିଷ୍ଠାପର ଡ଼ାକ୍ତର ଓ କ୍ଷେତ୍ରସ୍ତରୀୟ କର୍ମଚାରମାନଙ୍କୁ ଅନେକ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା । ଏହି ବାସ୍ତବିକ କଥାକୁ ଲକ୍ଷ୍ୟ କରି ଚଳଚିତ୍ର ଲେଖକ ଦେବୀ ପ୍ରସାଦ ଲେଙ୍କା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ ଫିଲ୍ମ ଦମନ ପ୍ରସ୍ତୁତ କରିଥିଲେ । ସିନେମାର ପ୍ରାକୃତିକ ପ୍ରଚ୍ଛଦପଟ୍ଟ ଓ ବାସ୍ତବିକ କଥାବସ୍ତୁ ଦର୍ଶକମାନଙ୍କୁ ବେଶ ଛୁଇଁଥିଲା । ଚଳଚ୍ଚିତ୍ରଟିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ଏହି ସିନେମାଟିକୁ ଗତ ରବିବାର ଦିନ ରାଜ୍ୟ ଲୋକସେବା ଭବନରେ ପ୍ରଦର୍ଶିତ କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।