News 18 Odia Digital
ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା ଷଡ଼ଯନ୍ତ୍ର ବିଷୟରେ ଲରେନ୍ସ ବିଷ୍ଣୋଇ ଏକ ବଡ଼ ଖୁଲାସା କରିଛନ୍ତି। ସୂଚନାନୁସାରେ ପଞ୍ଜାବ ପୋଲିସର ପଚରାଉଚରା ବେଳେ ଗ୍ୟାଙ୍ଗଷ୍ଟର ଲରେନ୍ସ କହିଛନ୍ତି ଯେ ସେ ସଲମାନ ଖାନଙ୍କୁ ଏକ ଶିକ୍ଷା ଦେବାକୁ ଚାହୁଁଥିଲେ ସେଥିପାଇଁ ସେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ଏହାସହ ସେ ହତ୍ୟା ପାଇଁ କିଣିଥିଲେ ୪ ଲକ୍ଷ ଟଙ୍କାର ଏକ ବନ୍ଧୁକ।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଲରେନ୍ସ ପଞ୍ଜାବ ପୋଲିସର ରିମାଣ୍ଡରେ ଅଛନ୍ତି। ଲରେନ୍ସ କହିବା ଅନୁଯାୟୀ, ସେ ଗ୍ୟାଙ୍ଗଷ୍ଟର ସମ୍ପତ୍ତ ନେହେରାଙ୍କୁ ସଲମାନ ଖାନଙ୍କ ହତ୍ୟା କରିବା ପାଇଁ ମୁମ୍ବାଇ ପଠାଇଥିଲେ।
ପଚରାଉଚରା ବେଳେ ଲରେନ୍ସ ପ୍ରକାଶ କରିଥିଲେ ଯେ, ସମ୍ପତ୍ତଙ୍କ ପାଖେ ଏକ ବନ୍ଧୁକ ଥିଲା। ଦୀର୍ଘ ଦୂରତା ହେତୁ ସମ୍ପତ୍ତ ସଲମାନ ଖାନଙ୍କ ପାଖରେ ପହଞ୍ଚି ପାରି ନଥିଲେ। ଏହା ପରେ ସମ୍ପତ୍ତ ତାଙ୍କ ଗାଁର ଦୀନେଶ ଫାଉଜିଙ୍କ ମାଧ୍ୟମରେ ଆର.କେ ସ୍ପ୍ରିଙ୍ଗ ବନ୍ଧୁକ ପାଇଥିଲେ। ଲରେନ୍ସ ତାଙ୍କ ପରିଚିତ ଅନିଲ ପାଣ୍ଡ୍ୟାଙ୍କଠାରୁ ଏହି ବନ୍ଧୁକକୁ ୪ ଲକ୍ଷ୍ୟରେ କିଣିଥିଲେ। ହେଲେ ବନ୍ଧୁକ ଦୀନେଶଙ୍କ ପାଖୁରୁ ଜବତ କରାଗଲା , ଏହା ପରେ ସମ୍ପତ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ହରିଣ ଶିକାର ମାମଲାରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଲରେନ୍ସ ଧମକ ଦେଇଥିଲେ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସମାଜର। ତେଣୁ ଯେତେବେଳେ ସଲମାନ ଖାନଙ୍କୁ ସେହି ମାମଲାରେ ଅଭିଯୁକ୍ତ କରାଯାଇଥିଲା, ସେତେବେଳେ ଲରେନ୍ସ ବହୁତ ରାଗି ଯାଇଥିଲେ। ‘ରେଡ୍ଡି’ ଫିଲ୍ମର ସୁଟିଂ ସମୟରେ ସଲମାନ ଖାନଙ୍କ ହତ୍ୟା କରିବା ପାଇଁ ଲରେନ୍ସ ଯୋଜନା କରିଥିଲେ। କିନ୍ତୁ ଏହା ସଫଳ ହୋଇପାରିନଥିଲା।
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କୁ ଧମକ ମଧ୍ୟ ମିଳିଥିଲା । ଧମକପୂର୍ଣ୍ଣ ଚିଠିରେ ଲେଖାଥିଲା, ‘‘ସଲିମ ଖାନ, ସଲମାନ ଖାନ, ଖୁବ୍ ଶୀଘ୍ର ତୁମର ଅବସ୍ଥା ସିଦ୍ଧୁ ମୋସେୱାଲା ପରି ହେବ।’’ ଏହି ପ୍ରସଙ୍ଗରେ ବାନ୍ଦ୍ରା ପୋଲିସ ଏଫଆଇଆର ପଞ୍ଜୀକୃତ କରିଥିଲା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।