News18 Odia Digital
Deepesh Bhan Passes Away: ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ନେରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ଟିଭି ଅଭିନେତା ଦୀପେଶ ବାହନଙ୍କ ଦେହାନ୍ତ ହୋଇଛି। ତାଙ୍କୁ ଶୋ ‘ଭାବି ଜି ଘର ପର ହୈ’ରେ ମଲଖାନ ସିଂଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କ କମେଡି ଅନ୍ଦାଜ ଦର୍ଶକଙ୍କ ମନ କିଣିଥିଲା।
ତାଙ୍କର ହଠାତ୍ ଦେହାନ୍ତ ହେବାର ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦୀପେଶଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ କିନ୍ତୁ ସେ ଶନିବାର ସକାଳେ କ୍ରିକେଟ୍ ଖେଳିବାକୁ ଯାଇଥିଲେ। ଆଉ ହଠାତ୍ ଖେଳୁଥିବା ସମୟରେ ତଳେ ଖସିପଡ଼ିଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେପଟେ ତାଙ୍କ କୋ-ଷ୍ଟାର ଚାରୁଲ ମଲିକ ତାଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି। ଦିପେଶଙ୍କ ସହ ତାଙ୍କର ବନ୍ଧୁତା ବିଷୟରେ ଆଲୋଚନା କରି ଚାରୁଲ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି, ‘‘ମୁଁ ତଥାପି ଏହାକୁ ବିଶ୍ବାସ କରିପାରିବି ନାହିଁ। ମୁଁ ସକାଳେ ଏହି ଖବର ଶୁଣିଥିଲି। ଗତକାଲି ମୁଁ ତାଙ୍କୁ ଭେଟିଥିଲି ଓ ସେ ସମ୍ପୂର୍ଣ୍ଣ ଭଲ ଥିଲେ। ଆମେ ଏକାଠି କିଛି ଭିଡିଓ ମଧ୍ୟ ତିଆରି କରିଥିଲୁ। ମୁଁ ତାଙ୍କୁ ଗତ ୮ ବର୍ଷ ଧରି ଜାଣିଛି ଓ ସେଟରେ ତାଙ୍କ ନିକଟତର ଥିଲି। ଆମେ ଏକାଠି ଖାଉଥିଲୁ। ସେ ମୋତେ ଅନେକ ଜିନିଷରେ ଗାଇଡ କରୁଥିଲେ।’’
ସେହିପରି ଏହି ଶୋ’ରେ ତିୱାରୀ ଜି ଭୂମିକାରେ ଅଭିନୟ କରିଥିବା ଅଭିନେତା ରୋହିତାଶ ଗୌର ଦିପେଶଙ୍କ ଦେହାନ୍ତରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, ‘‘ଆଜି ଆମର କଲ୍ ସମୟ ଟିକିଏ ବିଳମ୍ବ ହୋଇଥିଲା, ତେଣୁ ମୁଁ ଭାବୁଛି ଜିମ୍ ପରେ ସେ କ୍ରିକେଟ୍ ଖେଳିବାକୁ ଫିଲ୍ଡକୁ ଯାଇଥିଲେ। ଏହା ତାଙ୍କର ଫିଟନେସ୍ ରୁଟିନର ଏକ ଅଂଶ କିନ୍ତୁ କ୍ରିକେଟ୍ ଖେଳିବାବେଳେ ସେ ହଠାତ୍ ଖସିପଡ଼ିଥିଲେ। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଝଟକା ଥିଲା।’’
ଅନେକ ଶୋ’ରେ କାମ କରିଛନ୍ତି ଦୀପେଶ
ଦୀପେଶ ଅନେକ କମେଡି ଶୋ’ରେ କାମ କରିଛନ୍ତି। ସେ ‘ଭାବି ଜି ଘର ପର ହୈ’ ପୂର୍ବରୁ ଏଫ୍ଆଇଆର୍, ଭୂତୱାଲା ଓ ‘କମେଡି କ୍ଲବ’ରେ ଅଭିନୟ କରିଛନ୍ତି। କେବଳ ଏତିକି ନୁହେଁ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।