News18 Odia Digital
କଟକ: ସୁପରଷ୍ଟାର ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ପୁଣି ଆସିଲା ନୂଆ ମୋଡ଼। କଟକ ଏସଡ଼ିଜେଏମଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଲେ ଜିଲ୍ଲା ଦୌରାଜଜ୍ । ବର୍ଷା ଅନୁଭବ ମହାନ୍ତିଙ୍କ ଘର ଛାଡିବେ ନାହିଁ ବର୍ଷା ଓ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସେହିଠାରେ ରହିବାକୁ ଜିଲ୍ଲା ଦୌରାଜଜଙ୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଦୁଇମାସ ମଧ୍ୟରେ ଅନୁଭବଙ୍କ ନନ୍ଦିସାହି ସ୍ଥିତ ଘର ଛାଡ଼ିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କଟକ ଏସଡ଼ିଜେଏମ । ବାହାରେ ଘରଭଡ଼ା ନେଇ ରହିବାକୁ ଅନୁଭବ ମହାନ୍ତି ବର୍ଷାଙ୍କୁ ମାସିକ ୩୦ ହଜାର ଦେବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ଥିଲା । ଦୁଇ ମାସର ଟଙ୍କା ପାଇବା ପରେ ବର୍ଷା ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଡ଼ିଜେଏମ କୋର୍ଟ । ଏହି କ୍ରମରେ ଅନୁଭବ ବର୍ଷାଙ୍କୁ ପ୍ରଥମ ମାସର ଅର୍ଥ ପ୍ରଦାନ କରିଥିଲେ ।
ତେବେ ଏସଡ଼ିଜେଏମଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ବର୍ଷା ମଙ୍ଗଳବାର ଦିନ ଜିଲ୍ଲା ଦୌରାଜଜଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ଷାଙ୍କ ଆବେଦନର ଶୁଣାଣି କରି ଜିଲ୍ଲା ଦୌରାଜଜଙ୍କ କୋର୍ଟ ଏସଡ଼ିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି । ଏହି ମାମଲାର ପରବର୍ତ୍ତି ଶୁଣାଣି ଆସନ୍ତା ଜୁଲାଇ ୪ ତାରିଖକୁ ଧାର୍ଯ୍ୟ ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ସାଂସଦ ଅନୁଭବ ମହାନ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସେପଟେ ଅନୁଭବ ଓକିଲ ଆଲୋକ ମହାପାତ୍ର କହିଛନ୍ତି,"ଏପର୍ଯ୍ୟନ୍ତ ଆମକୁ କୋର୍ଟଙ୍କ ଅର୍ଡ଼ର କପି ମିଳିନାହିଁ । ଅର୍ଡ଼ର କପି ମିଳିବା ପରେ ଆମେ ଆମର ପରବର୍ତ୍ତୀ ଆଇନଗତ କାର୍ଯ୍ୟପନ୍ଥା ଗ୍ରହଣ କରିବୁ"।
ସୋମବାର ଦିନ ଅନୁଭବଙ୍କ ବିରୁଦ୍ଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ବର୍ଷା । ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବିବାଦୀୟ ମତ ରଖିଥିବାରୁ ତାଙ୍କ ବିରୋଧରେ ବର୍ଷା ଅଦାଲତ ଅବମାନନା ମାମଲା ରୁଜୁ କରିବା ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।