News18 Digital
ବ୍ରହ୍ମପୁର: ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂତନ ଉନ୍ମାଦନା ଭରିବାରେ ସହାୟକ ହୋଇଥିବା ଦମନ ଚଳଚ୍ଚିତ୍ର ପରେ ଏବେ ବାବୁସାନ ପୁଣି ଆଉ ଏକ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ବହୁ ଚର୍ଚ୍ଚିତ ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଚରିତ୍ରରେ ଅଭିନୟ କରିବେ ବାବୁସାନ। ବର୍ତ୍ତମାନ ମାଓ ନେତା ସବ୍ୟସାଚୀ ପଣ୍ଡା ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରଧିନ କଏଦୀ ଭାବେ ରହିଥିବା ବେଳେ ଚଳଚ୍ଚିତ୍ର ନିର୍ମାଣକୁ ନେଇ ବାବୁସାନ ସବ୍ୟସାଚୀଙ୍କ ଆଇନଜୀବୀଙ୍କ ସହ କଥା ହୋଇଛନ୍ତି ।
ଚଳଚ୍ଚିତ୍ର ନିର୍ମାଣକୁ ନେଇ ସବ୍ୟସାଚୀ ସ୍ୱୀକୃତି ପ୍ରଦାନ କରିଥିବା ବେଳେ ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ଅନେକ ଆଇନଗତ ଦିଗ ରହୁଛି । ଆଉ ସେ ନେଇ ଖୁବଶୀଘ୍ର ବାବୁସାନ ଓ ତାଙ୍କ ଟିମ ବ୍ରହ୍ମପୁରକୁ ଆସି ଆଇନଜୀବୀ ଓ ଜେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଚଳଚ୍ଚିତ୍ର ନିର୍ମାଣ କାମ ଖୁବଶୀଘ୍ର ହେବା ନେଇ ଆଶା କରାଯାଉଛି।
ସବ୍ୟସାଚୀଙ୍କ ଆତ୍ମଜୀବନ ଉପରେ ଚଳଚ୍ଚିତ୍ର କରିବା ନେଇ ସବ୍ୟସାଚୀଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି ବାବୁସାନ। ସବ୍ୟସାଚୀଙ୍କ ଚରିତ୍ରରେ ଅଭିନୟକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ନିମନ୍ତେ ତାଙ୍କୁ ପ୍ରଥମେ ଅନୁମତି ମାଗିବାକୁ ବାବୁସାନ କହିଥିଲେ । ଏନେଇ ସବ୍ୟସାଚୀଙ୍କୁ କହିବା ପରେ ସେ ଚଳଚ୍ଚିତ୍ର ନିର୍ମାଣ ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି । ସବ୍ୟସାଚୀଙ୍କ ସ୍ବୀକୃତି ପ୍ରଦାନ ପରେ ଚଳଚ୍ଚିତ୍ର ନିର୍ମାଣକୁ ନେଇ କାମ ଆଗକୁ ବଢ଼ିଛି ।"ସବ୍ୟସାଚୀ କିଭଳି ଜଣେ ଉଚ୍ଚ ଶିକ୍ଷିତ ଥିବା ବେଳେ ଲୋକ ମାନଙ୍କ ପାଇଁ କାମ କରିବା ପାଇଁ କେବେ ଠାରୁ ଓହ୍ଲାଇଥିଲେ । ଆଉ ଜଣେ ବିପ୍ଲବୀ ହେବା ପରେ କିଭଳି ସମାଜରେ ଜଣେ ଅଭିଯୁକ୍ତ ସାଜି ବର୍ତ୍ତମାନ ଜେଲରେ ରହିଲେ । ଏହିଭଳି ସମ୍ପୂର୍ଣ୍ଣ ସବ୍ୟସାଚୀଙ୍କ ପିଲା ଠାରୁ ଆରମ୍ଭ କରି ବର୍ତ୍ତମାନର ସମୟ ପର୍ଯ୍ୟନ୍ତ ସବୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଚଳଚ୍ଚିତ୍ରରେ ସ୍ଥାନିତ କରାଯିବା ନେଇ ବାବୁସାନ ଯୋଜନା ରହିଛି,‘‘ କହିଛନ୍ତି ସବ୍ୟସାଚୀଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ ।
ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ୨୦୧୪ ମସିହା ଜୁନ୍ ମାସ ୧୭ ତାରିଖରେ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ଗିରଫ କରିଥିଲା ପୋଲିସ । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସବ୍ୟସାଚୀ ବ୍ରହ୍ମପୁର ମଣ୍ଡଳ କାରାଗାରରେ କଏଦୀ ଭାବେ ରହିଆସୁଛନ୍ତି । ସବ୍ୟସାଚୀଙ୍କ ନାମରେ ୧୨୦ରୁ ଅଧିକ ମାମଲା ରହିଥିବା ବେଳେ ପ୍ରାୟ ୭୦ରୁ ଅଧିକ ମାମଲାରେ ସେ ନିର୍ଦ୍ଧୋଶରେ ଖଲାସ ହୋଇସାରିଛନ୍ତି । ଗୋଟିଏ ମାମଲାରେ ସେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି । ବର୍ତ୍ତମାନ ତାଙ୍କ ନାମରେ ଗଜପତି, ଗୁଣପୁର, ରାୟଗଡ଼ା, ଭଞ୍ଜନଗର ଓ ନୟାଗଡ଼ ଆଦି ଜିଲ୍ଲାର ବିଭିନ୍ନ କେର୍ଟରେ ଏକାଧିକ ମାମଲା ବିଚାରଧିନ ମଧ୍ୟ ରହିଛି । ସବ୍ୟସାଚୀ ଜେଲରୁ କୋର୍ଟକୁ ଯିବା ସମୟର ଦୃଶ୍ୟ, ଜଙ୍ଗଲ ମଧ୍ୟରେ ରହୁଥିବା ସମୟର କିଛି ଦୃଶ୍ୟକୁ ନେଇ ହେବାକୁ ଥିବା ଏହି ସିନେମାରେ ବାବୁସାନ ନିଜେ ସବ୍ୟସାଚୀ ଚରିତ୍ରରେ ଅଭିନୟ କରିବେ ।
‘‘ସବ୍ୟସାଚୀଙ୍କ ଭୂମିକାରେ ବାବୁସାନ ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଛନ୍ତି । ତେଣୁ ଜେଲର ଯେଉଁ ନିୟମ ରହିଛି ତାହାକୁ ପାଳନ କରିବାର ଆବଶ୍ୟକତା ରହିଛି । ଏନେଇ ଜେଲରେ ଏକ ପିଟିସନ ଫାଇଲ କରାଯିବ ଏହାପରେ ଯଦି ଜେଲ ଆଇଜି ତାଙ୍କୁ ଅନୁମତି ଦିଅନ୍ତି ତେବେ ଯାଇ ବାବୁଶାନ ଜେଲ ମଧ୍ୟରେ ସବ୍ୟସାଚୀଙ୍କୁ ସାକ୍ଷାତ କରିପାରିବେ । ସାକ୍ଷାତ କରିବା ପରେ ସବ୍ୟସାଚୀଙ୍କ ସମ୍ପୂର୍ଣ୍ଣ ଚରିତ୍ର ସମ୍ପକରେ କଥାବାର୍ତ୍ତା ହେବା ପରେ ହିଁ ଚଳଚ୍ଚିତ୍ର ନିର୍ମାଣ ସମ୍ଭବ ପର ହୋଇପାରିବ । ଆଉ ଏନେଇ ଖୁବଶୀଘ୍ର ବାବୁଶାନ ପଦକ୍ଷେପ ନେଇପାରନ୍ତି,‘‘ କହିଛନ୍ତି ସବ୍ୟସାଚୀଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।