News18 Odia Digital
ଭୁବନେଶ୍ବର: ଓଡ଼ିଶାର ରାଜ୍ୟ ପରିବହନ ପ୍ରାଧିକରଣ (STA) ବୁଧବାର ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲୋକଙ୍କୁ ଲର୍ଣ୍ଣର୍ସ ଲାଇସେନ୍ସ (LL) ପରୀକ୍ଷା ବିଷୟରେ ଅବଗତ କରାଇବା ପାଇଁ ଏକ ନିଆରା ଉପାୟ ଆପଣାଇଥିଲା।
ଟ୍ୱିଟର ପୋଷ୍ଟ ଅନୁଯାୟୀ, ସଠିକ୍ ପ୍ରକ୍ରିୟା ମାଧ୍ୟମରେ LL ପରୀକ୍ଷା ପାଇଁ ହାଜର ହେବାକୁ ଏବଂ ମଧ୍ୟସ୍ଥିଙ୍କ ସାହାଯ୍ୟ ନ ନେବାକୁ STA ଲୋକଙ୍କୁ ସୂଚନା ଦେଇଛି। ଏହାସହ ଲୋକଙ୍କୁ ଲାଞ୍ଚର ଶିକାର ନହେବାକୁ ବୁଝାଇଥିଲେ।
ସୂଚନାଯୋଗ୍ୟ ଯେ, STA ଏହାର ଟ୍ୱିଟର ହ୍ୟାଣ୍ଡେଲରେ ଲୋକପ୍ରିୟ ଅଭିନେତା ବାବୁସାନଙ୍କ ଚର୍ଚ୍ଚି ଚଳଚ୍ଚିତ୍ର ‘ଦମନ’ ମାଧ୍ୟମରେ ସୃଜନଶୀଳତା ବିଷୟବସ୍ତୁ ଯୋଡି ସମସ୍ତ ବିବରଣୀ ଉଲ୍ଲେଖ କରିଛି। ଟ୍ୱିଟର ପୋଷ୍ଟରେ ‘ଦମନ’ ଚଳଚ୍ଚିତ୍ରର ଏକ କ୍ଲିପ୍ ରହିଛି ଯାହା ଭୟର ମୁକାବିଲା ବିଷୟରେ ବର୍ଣ୍ଣନା କରୁଛି।
ସେହିପରି ଏହି ପୋଷ୍ଟରେ STA ଲେଖିଛି, ‘‘ଅନଲାଇନ LL ପରୀକ୍ଷା ଦେବାକୁ ଡରନ୍ତୁ ନାହିଁ I ଏଥିପାଇଁ ଦଲାଲମାନଙ୍କ ସାହାଯ୍ୟ ଲୋଡ଼ନ୍ତୁ ନାହିଁ କିମ୍ବା ଲାଞ୍ଚ ଦିଅନ୍ତୁ ନାହିଁ I ଦରକାର ପଡ଼ିଲେ RTOକୁ ଯାଇ ଅଥବା ଘରେ ବସି ଅନଲାଇନ ପରୀକ୍ଷା Sample Paper http://parivahan.gov.inରେ ଅଭ୍ୟାସ କରନ୍ତୁI ଆସନ୍ତୁ, ମିଳିତ ଉଦ୍ୟମ କରି ଭ୍ରଷ୍ଟାଚାରକୁ #ଦମନ କରିବାI’’
STAରୁ ଏହି ପୋଷ୍ଟ ଦେଖିବା ପରେ, ଲୋକ ଏବଂ ଶିକ୍ଷାର୍ଥୀ ଲାଇସେନ୍ସର ଆବେଦନକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ସୃଜନଶୀଳ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଅଭିନେତା ବାବୁସାନଙ୍କ ଅଭିନୀତ ଚଳଚ୍ଚିତ୍ର ଦମନ ନିକଟରେ ମୁକ୍ତିଲାଭ କରିଥିଲା ଏବଂ ଏହା ଦର୍ଶକଙ୍କ ମନ କଣିବାରେ ସଫଳ ହୋଇଛି।
କାହାଣୀଟି ପ୍ରକୃତ ଘଟଣା ଉପରେ ଆଧାରିତ ହୋଇଥିବାରୁ ଓଡ଼ିଆ ସିନେ ଦର୍ଶକମାନେ ବର୍ଷ ବର୍ଷ ପରେ ଏହିପରି ପ୍ରତିଜ୍ଞାକାରୀ ବିଷୟବସ୍ତୁ ସହିତ ଆକର୍ଷଣୀ ମନୋରଞ୍ଜନର ଖୁରାକ ପାଇଛନ୍ତି।
ପ୍ରକାଶ ଥାଉକି ଓଡ଼ିଶାରେ ବେଶ୍ ଲୋକପ୍ରିୟ ହୋଇଥିବା ଏହି ଚଳଚ୍ଚିତ୍ରର ନିର୍ମାତା ଆସନ୍ତା ୧୧ ତାରିଖରେ ଅନ୍ୟ ୬ଟି ସହରରେ ଫିଲ୍ମକୁ ରିଲିଜ କରିବାକୁ ଯାଉଛନ୍ତି। ଏହି କ୍ରମରେ ସାମିଲ ଅଛି ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ରାୟପୁର। ଫିଲ୍ମଟିକୁ ସିନେମା ହଲରେ ରିଲିଜ କରାଯିବ। ଇଂରାଜୀ ସବଟାଇଟେଲରେ ଫିଲ୍ମ ଦେଖିବେ ଦର୍ଶକ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।