News18 Odia Digital
ଭୁବନେଶ୍ବର: ନାୟକ ତଥା ଖଳନାୟକ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଥିବା ହର ପଟ୍ଟନାୟକଙ୍କ ଆଜି ଜୟନ୍ତୀ। ତାଙ୍କ ଜନ୍ମ ୧୨ ଅକ୍ଟୋବର ୧୯୫୮ରେ ହୋଇଥିଲା। ସେ ଆଜି ଆମ ଗହଣରେ ନାହାଁନ୍ତି ସତ ହେଲେ ତାଙ୍କର ଦମଦାର ଅଭିନୟ ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ବଞ୍ଚିରହିଛି।
ତାଙ୍କ ଜୟନ୍ତୀ ଅବସରରେ ଓଲିଉଡର ଫେମସ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି।
ସେ ଟ୍ବିଟରରେ ନିଜ ଗୁରୁ ହର ପଟ୍ଟନାୟକଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘‘ଅଙ୍କଲ ଥିଲେ ଆଧୁନିକ ଓଡ଼ିଆ ଚଳଚ୍ଚିତ୍ରର ସ୍ରଷ୍ଟା, ଅନେକ ନବାଗତ ଅଭିନେତା ଓ ଅଭିନେତ୍ରୀଙ୍କୁ ନିଜ ହାତରେ ଗଢ଼ିଥିବା ନିର୍ଦ୍ଦେଶକ ଓ ନିପୁଣ ଅଭିନୁୟ ଶକ୍ତିର ଅଧିକାରୀ। ଆଜି ତାଙ୍କ ଜନ୍ମ ଜୟନ୍ତୀରେ ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପାଦପଦ୍ମରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପାର୍ଥନା କରୁଛି। ମିସ୍ ୟୁ ହର ଅଙ୍କଲ।’’
ସେ ଥିଲେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ, ଅଭିନେତା ଓ ଚିତ୍ରନାଟ୍ୟକାର। ସେ ପ୍ରାୟ ୬୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଓ ୧୯ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ।
୧୯୯୦ରେ ସେ ତାଙ୍କ ପେସାଦାର ଜୀବନ ଆରମ୍ଭ କରିଥିଲେ। ନିର୍ଦ୍ଦେଶକ ଭାବେ ତାଙ୍କ ପ୍ରଥମ ଫିଲ୍ମ ଥିଲା ‘ଦଇବ ଦଉଡ଼ି’। ଏହାପରେ ସେ ଆହୁରି ଅନେକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେଥିମଧ୍ୟରୁ ‘କପାଳ ଲିଖନ’, ‘ଭାଗ୍ୟ ହାତେ ଡୋରି’, ‘ପୁଅ ମୋର ଭୋଳା ଶଙ୍କର’, ‘ପରଦେଶୀ ବାବୁ’, ‘ସାଥୀରେ’, ‘ବର୍ଷା ମାଇଁ ଡାର୍ଲିଂ’ ଆଦି ତାଙ୍କର ସୁପର୍ହିଟ୍ ସିନେମା ଥିଲା।
ସେହିପରି ନିର୍ଦ୍ଦେଶକ ଭାବେ ତାଙ୍କ ଶେଷ ଫିଲ୍ମ ଥିଲା ‘ଓମ ସାଇ ରାମ’। ନାୟକ ଅପେକ୍ଷା ଖଳନାୟକ ଭାବେ ତାଙ୍କ ଅଭିନୟକୁ ଦର୍ଶକ ବେଶି ପସନ୍ଦ କରୁଥିଲେ। ‘ଜୀବନ ସଂଗ୍ରାମ’ ହର ପଟ୍ଟନାୟକଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ଥିଲା। ‘ସହରୀ ବାଘ’, ‘ସୁନା ଚଢ଼େଇ’, ‘କୁରୁକ୍ଷେତ୍ର’, ‘ଛାତି ଚିରିଦେଲେ ତୁ’, ‘ପାଗଳ ପ୍ରେମୀ’, ‘ଅଗ୍ନି ପରୀକ୍ଷା’, ‘ମୋ କୋଳ ତୋ ଝୁଲଣା’ ଆଦି ହର ପଟ୍ଟନାୟକଙ୍କ ଅଭିନୀତ ସଫଳ ଚଳଚ୍ଚିତ୍ର।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।