News18 Odia Digital
Anubhav Mohanty: ଦୀର୍ଘ ଦିନର ବ୍ୟବଧାନ ପରେ ସାଧାରଣ ସଭା ଜରିଆରେ ଲୋକଙ୍କ ସମ୍ମୁଖକୁ ଆସିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି (Anubhav Mohanty)। କହିଲେ ଅନେକ ଅକୁହା କଥା।
ନିଜ ନିର୍ବାଚନ ମଣ୍ଡଳି ତଥା ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଠାରେ ଆୟୋଜିତ ମାହାଙ୍ଗା ମହୋତ୍ସବର ଉଦଯାପନି ଉତ୍ସବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଭବ (Anubhav Mohanty)। ଲମ୍ବା ସମୟ ଧରି ନିଜ ଦଳର କିମ୍ବା କୈଣସି ସାମାଜିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିବା ଏହି ଅଭିନେତା ତଥା ସାଂସଦ ବକ୍ତବ୍ୟ ମାଧ୍ୟମରେ ନିଜ ଅନୁଭୁତି ବଖାଣିଥିଲେ।
"ତିନି ଚାରି ବର୍ଷ ଭିତରେ ଟିଭି ପରଦାରେ ମୋ ବିଷୟରେ ଅନେକ କାହାଣୀ ହେଉଛି। ୪ ବର୍ଷ ପରେ ପ୍ରଥମ ଥର ଲାଗି ସିନେମା କରିଛି। ମୋ ନିଜର ଜୀବନ ପୃଥିବୀର ସବୁଠାରୁ ବଡ଼ ସିନେମା ଠାରୁ ବଳି ଗଲାଣି। ମୋତେ ଲାଗୁଛି ମୁଁ ବୋଧେ ଗୋଟେ କ୍ରିମିନାଲ। କିନ୍ତୁ ମୁଁ ସେମିତି କିଛି କାମ କରି ନାହିଁ କି କରିବି ନାହିଁ,’’ ବୋଲି କହିଛନ୍ତି ଅନୁଭବ। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା।
ଏହା ସହିତ ପ୍ରେମକୁ ନେଇ ଉପସ୍ଥିତ ଯୁବପିଢ଼ିକୁ ନେଇ ନିଜ ଅନୁଭବର କଥା କହି ବଖାଣିଛନ୍ତି, "ପ୍ରେମ କଲା ବେଳେ ଭାବିଚିନ୍ତି କର, କାରଣ ପ୍ରେମ କଲା ବେଳେ ଯଦି ଆଖି ଖୋଲିକି ଚେଇଁ ରହିଲ, ତା ହେଲେ ସବୁ ବଢ଼ିଆ ଦେଖାଯିବ। କିନ୍ତୁ ଯଦି ପ୍ରେମରେ ଭାସି ଗଲ, ତା ହେଲେ ଜୀବନ ସରିଗଲା।’’
ଏହା ବ୍ୟତୀତ ତାଙ୍କ ପାରିବାରିକ ବିବାଦକୁ ନେଇ ମଧ୍ୟ ମତ ରଖିଲେ ଅନୁଭବ। ଆଉ କହିଛନ୍ତି, ‘‘ଗତ ତିନି ଚାରି ବର୍ଷ ହେଲା ମୁଁ ଯେଉଁ ସମୟ ଦେଇ ଗତି କରୁଛି, ସେହି ସମୟରୁ ମୁଁ ଯେମିତି ଜଲଦି ବହାରି ଆସେ। ଆଉ ଆପଣମାନଙ୍କ ପାଖରେ ଛିଡ଼ା ହୋଇ କାମ କରିବାର ସୁଯୋଗ ମିଳୁ ମତେ।’’
ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ସମ୍ନାକୁ ଆସିବା ପର ଠାରୁ ଅନେକ ସମୟରେ ବିଜେଡି ପାଇଁ ଏହି ଷ୍ଟାର ପ୍ରଚାରକ ଭାବେ କାର୍ଯ୍ୟ କରିଥିବା ଅନୁଭବଙ୍କୁ କୈଣସି ଦଳିୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନାହିଁ। ଏପରିକି ନିଜ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ସହ କୌଣସି ସାଧାରଣ ସଭାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନାହିଁ।
ଫଳସ୍ବରୂପ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଆଉ ଅନୁଭବଙ୍କ ଆବଶ୍ୟକତା ଅନୁଭବ ନ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
ହେଲେ ସାଧାରଣ ନିର୍ବାଚନ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ହଠାତ ଅନୁଭବଙ୍କ ଏହି ଆର୍ବିଭାବ ଅନେକଙ୍କୁ ଚକିତ କରିଦେଇଛି। କାରଣ ମାହାଙ୍ଗାରେ ଆୟୋଜିତ ଏହି ଉତ୍ସବ କୌଣସି ଦଳୀୟ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଏହା ମାହାଙ୍ଗାର ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ବାରା ଆୟୋଜିତ ହୋଇଥିଲା।
ପାଖପାଖି ୪ ବର୍ଷର ପରେ ଅନୁଭବଙ୍କ ଅଭିନିତ ଦୁଇଟି ଫିଲ୍ମ "ଲଭ ଇନ୍ ଲଣ୍ଡନ୍" ଓ "ରାବଣ" ଫ୍ଲୋରକୁ ଆସିବାକୁ ଯାଉଛି। ଏହି ଦୁଇଟି ଫିଲ୍ମର ପ୍ରମୋସନ ମଧ୍ୟ ସେ ଆରମ୍ଭ କରି ସାରିଛନ୍ତି। ତେବେ ମାହାଙ୍ଗା ଉତ୍ସବରେ ଅନୁଭବ ଗୋଟିଏ ଗୁଳିର ତିନୋଟି ଶିକାର କରିଛନ୍ତି।
ପଢ଼ନ୍ତୁ ପୂରା ଖବର: ଆଜି CM ନବୀନଙ୍କୁ ଭେଟିବେ ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ; ଆସୁଛନ୍ତି ଭୁବନେଶ୍ବରପ୍ରଥମତଃ ନିଜ ଫିଲ୍ମର ପ୍ରମୋସନ, ଦ୍ବିତୀୟତଃ ତାଙ୍କ ପ୍ରତି ଥିବା ଦର୍ଶକଙ୍କ ଭଲ ପାଇବାକୁ ପରଖିଛନ୍ତି, ତୃତୀୟରେ ନିଜକୁ ପୀଡିତ ଦର୍ଶାଇ ଲୋକଙ୍କ ସମବେଦନା ହାସଲ କରିବା ଓ ଚତୁର୍ଥରେ ଏହି ଉତ୍ସବ ମାଧ୍ୟମରେ ନିଜର ରାଜନୈତିକ ଭବିଷ୍ୟତକୁ ମଧ୍ୟ ସଜାଡ଼ିବାକୁ ପ୍ରୟାସ କରିଛନ୍ତି ଅନୁଭବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।