News18 Odia Digital
Pintu Nanda Health Condition: ଗୁରୁତର ଅସୁସ୍ଥ ଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଛି। ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ। ଦିଲ୍ଲୀର ଆଇଏଲବିଏସ୍ ହସ୍ପିଟାଲରେ ପିଣ୍ଟୁଙ୍କ ଚିକିତ୍ସା କରାଯିବ। ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି।
ସେପଟେ ପିଣ୍ଟୁଙ୍କ ସାଥୀ କଳାକାରଙ୍କ ଆର୍ଥିକ ସହାୟତା ପାଇଁ ଯାହା ସମ୍ଭବ ତାହା କରିବାରେ ଲାଗିପଡ଼ିଛନ୍ତି। ସମସ୍ତେ କିଛି ନା କିଛି ଟଙ୍କା ତାଙ୍କ ଅପରେସନ ପାଇଁ ଦାନ କରୁଛନ୍ତି। ଇତିମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ସବୁଠୁ ବଡ଼ କାମ କରି ଦେଖାଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ।
ପିଣ୍ଟୁ ନନ୍ଦଙ୍କ ପାଇଁ ଯାତ୍ରାରେ ଭିକ ମାଗିବା ପରେ ଆଜି ସକାଳେ ସେ ଭୁବନେଶ୍ବରର ଏୟାରପୋର୍ଟରେ ବି ଭିକ ମାଗିଥିଲେ। ଅସୁସ୍ଥ ପିଣ୍ଟୁ ଭାଇଙ୍କ ପାଇଁ ଯିଏ ଯାହା ପାରୁଛ ସାହାଯ୍ୟ କର ବୋଲି କହିଥିଲେ ଅଭିନେତ୍ରୀ। ଏହାସହ ଯେତେକି ଟଙ୍କା ସଂଗ୍ରହ କରିଥିଲେ ତାହା ପିଣ୍ଟୁଙ୍କୁ ଦାନ ମଧ୍ୟ କରିଥିଲେ।
ଏହାପରେ ସେ କହିଥିଲେ, ‘‘ମୁଁ ଓଡ଼ିଶାବାସୀଙ୍କୁ ଗୋଟିଏ ଗୋଟିଏ ଟଙ୍କା ମାଗୁଛି। ଅଧିକ ନୁହେଁ ଟଙ୍କାଏଁ ଟଙ୍କାଏଁ ଦେଲେ ସାଢ଼େ ଚାରି କୋଟି ଟଙ୍କା ହେବ। ଆଉ ଏହି ଟଙ୍କାରେ ମୋ ପିଣ୍ଟୁ ଭାଇଙ୍କର ଅପରେସନ ହୋଇପାରିବ। ଯାହା ଦ୍ବାରା ମୋ ଭାଇ ସୁସ୍ଥ ହୋଇ ପୁଣି ଥରେ ଆମ ପାଖକୁ ଆସିପାରିବେ। ଯେମେତି ଆମକୁ ଏଣ୍ଟରଟେନ କରୁଥିଲେ ସେମିତି ପୁଣି କରିବେ। ହସାଇବେ, କନ୍ଦାଇବେ, ରଗାଇବେ ଆମ ପିଣ୍ଟୁ ଭାଇ।’’
ଦିଲ୍ଲୀ ଯିବା ପୂର୍ବରୁ ଭାବବିହ୍ବଳ ହୋଇ ପ୍ରତିକ୍ରିୟା ରଖିଥିଲେ ପିଣ୍ଟୁ। ଆଉ କହିଥିଲେ, ‘‘ମୁଁ ସେହିମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମତେ ସାହାଯ୍ୟ କରି ଦିଲ୍ଲୀ ପଠାଉଛନ୍ତି।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।