News 18 Odia Digital
ଭୁବନେଶ୍ୱର; ଅଭିନେତା ପିଣ୍ଟୁ ନନ୍ଦଙ୍କ (Pintu nanda) ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଖବର ପାଇବା ପରେ ଅଭିନେତ୍ରୀ ନିଶା ମହାରଣା (Nisha moharana) ପିଣ୍ଟୁଙ୍କୁ ଭେଟିବା ସହ ସହଯୋଗର ହାତ ବଢାଇଛନ୍ତି । ପିଣ୍ଟୁ ଚିକିତ୍ସିତ ହେଉଥିବା ଘରୋଇ ଡାକ୍ତରଖାନାରେ ନିଶା ପହଞ୍ଚିବା ସହ ସକ୍ଷମ ଅନୁସାରେ ଆର୍ଥିକ ସହଯୋଗର (Financial help) ହାତ ବଢାଇଛନ୍ତି । ନିଶା ପିଣ୍ଟୁଙ୍କୁ ସାହାଯ୍ୟ କରିବା ସମୟରେ ଓଲିଉଡ ଅଭିନେତା ମିଟୁ ମିଥୁନ ମଧ୍ୟ ଉପସ୍ଥିତ ଥିଲେ ।
ପିଣ୍ଟୁଙ୍କୁ ଭେଟିବା ପରେ ନିଶା ଆର୍ଥିକ ସହଯୋଗ କରିବା ସହ ତାଙ୍କର ଆରୋଗ୍ୟ କାମନା କରିଛନ୍ତି । ଏଥିସହ ନିଶା ଭିଡିଓଟିକୁ ନିଜର ସୋସିଆଲ ମିଡିଆରେ ଅପଲୋଡ କରିବା ସହ ସମସ୍ତେ ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରନ୍ତୁ ବୋଲି ଲେଖିଛନ୍ତି । ନିଶାଙ୍କ ଏପରି କାମକୁ ଅନେକ ମହଲରୁ ପ୍ରଶଂସା କରାଯାଇଛି । ନିଜ ବକ୍ତବ୍ୟ ପାଇଁ ବିବାଦରେ ଥିବା ଅଭିନେତ୍ରୀ ନିଶାଙ୍କ ହୃଦୟ ଯେ, ଏତେ କୋମଳ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ନ୍ୟୁଜ ୧୮କୁ ନିଶା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସୋସିଆଲ ମିଡିଆରୁ ଖବର ପାଇବା ପରେ ମୁଁ ପିଣ୍ଟୁ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଚାହିଁଲି । ଆଗକୁ ମଧ୍ୟ ଆବଶ୍ୟକ ପଡିଲେ ମୋ ସକ୍ଷମ ହିସାବରେ ମୁଁ ସାହାଯ୍ୟ କରିବି । ପିଣ୍ଟୁ ଭାଇଙ୍କର ମୁଁ ବହୁତ ବଡ ଫ୍ୟାନ । ସେ ସୁସ୍ଥ ହୋଇ ଫେରିଲେ ମୁଁ ତାଙ୍କ ସହ ଅଭିନୟ କରିବି ।
ସୂଚନାଯୋଗ୍ୟ, ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଉନ୍ନତ ମାନର ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି କୁହାଯାଉଛି । ପିଣ୍ଟୁଙ୍କ ପାଇଁ ଡୋନର ମିଳିବା ପରେ ଚିକିତ୍ସା ଆରମ୍ଭ ହେବ । ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ସବୁ ଦିଗରୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରାଯାଉଛି । ନିକଟରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଲିଉଡ କଳାକାରମାନେ ଏକ ବୈଠକ କରିଥିଲେ । ପିଣ୍ଟୁଙ୍କୁ ସହଯୋଗ କରିବା ପାଇଁ ଓଲିଉଡ ମଧ୍ୟ ସବୁ ଦିଗରୁ ଚେଷ୍ଟା କରୁଛି ବୋଲି ବୈଠକରେ କଳାକାରମାନେ ମତ ଦେଇଥିଲେ । ଅଭିନେତା ଶ୍ରୀତମ ଦାସ କହିଥିଲେ ଯେ, ପିଣ୍ଟୁ ଆମ ପରିବାରର ସାନ ଭାଇ । ତେଣୁ ତାକୁ ବଞ୍ଚାଇବାକୁ ଆମେ ସବୁ ପ୍ରକାରର ଉଦ୍ୟମ କରିବୁ । ସରକାରଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇବା ସହ ଆର୍ଥିକ ସହଯୋଗ ଆଶା କରିବୁ । ପିଣ୍ଟୁର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ତେଣୁ ତାକୁ ତୁରନ୍ତ ସମସ୍ତ ପ୍ରକାରର ସହଯୋଗ ପାଇଁ ଆବେ ଚେଷ୍ଟା କରୁଛୁ ।
ଅଭିନେତ୍ରୀ ପୁଷ୍ପା ପଣ୍ଡା ମଧ୍ୟ ପିଣ୍ଟୁଙ୍କୁ ହସ୍ପିଟାଲରେ ଦେଖା କରିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ସେ କହିଥିଲେ ସୁଟିଂ ସେଟରେ ପିଣ୍ଟୁ ଖୁବ ମଜା ମସ୍ତି କରିଥାଏ । ଯାହାଦ୍ୱାରା ସୁଟିଂ ସମୟରେ ବୋର ହେବାକୁ ପଡେନି । ସେ ଖୁବ ଦୁର୍ବଳ ହୋଇପଡିଛି । ତା ସ୍ୱାସ୍ଥ୍ୟ ଖରାପ ଦେଖି ଆଦୌ ଭଲ ଲାଗୁନାହିଁ । ଭଗବାନ ତାକୁ ଶୀଗ୍ର ଭଲ କରିଦିଅନ୍ତୁ ।
ଅନ୍ୟପଟେ ପିଣ୍ଟୁ ନନ୍ଦଙ୍କ ଭାଇ ଅଭିରାମ ନନ୍ଦ ମଧ୍ୟ ତାଙ୍କ ଭାଇଙ୍କ ଚିକିତ୍ସା ପାଇଁ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ଆଶା କରିଛନ୍ତି । ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଏକ ଫୋନ ପେ, ଗୁଗୁଲ ପେ ନମ୍ୱର ମଧ୍ୟ ଦିଆଯାଇଛି । ଏଥିସହ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଆପଣ ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ଚଙ୍କା ପଠାଇପାରିବେ ।
ଫୋନ ପେ, ଗୁଗୁଲ ପେ ନମ୍ୱର- 9861131854
ବ୍ୟାଙ୍କ ଆକାଉଣ୍ଟ ନମ୍ୱର - 0614010065447, IFSC- PUNB 0061420
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।